ଓଡ଼ିଶା ପ୍ରିମିୟର୍‌ ବ୍ୟାଡ୍‌ମିଣ୍ଟନ୍‌ ଲିଗ୍‌ ପାଇଁ ଖେଳାଳି ନିଲାମ

 

କଟକ: ଜାନୁଆରିରେ ହେବାକୁଥିବା ଓଡ଼ିଶା ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ପାଇଁ ଶନିବାର ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ୮ ଦଳ ଏବିସି ୱାରିୟର୍ସ, ବାରବାଟୀ ଷ୍ଟାର୍ସ, ବଡ଼ବିଲ ଟାଇଗର୍‌, ଫାଲକନ୍‌ ଫାଇଟର୍ସ, ଢେଙ୍କାନାଳ ଡିଫେଣ୍ଡର୍ସ, କଳିଙ୍ଗ ଷ୍ଟାଇକର୍ସ, ଏଲ୍‌ବିଏନ୍‌ ଲାୟନ୍ସ ଓ ପୁରୀ ସ୍ମାଶ୍‌ କିଙ୍ଗ୍‌ ଅଂଶଗ୍ରହଣ କରୁଛନ୍ତି। ମାଲିକମାନେ ଶନିବାର କଟକ କ୍ଲବ୍‌ ଆନେକ୍ସ-୧ରେ ନିଲାମ ପ୍ରକ୍ରିୟାରେ ଏକାଧିକ ଖେଳାଳିଙ୍କୁ ଦଳରେ ନେଇଛନ୍ତି। ରାଜ୍ୟ ବ୍ୟାଡମିଣ୍ଟନ ସଂଘଠୁ ଖେଳାଳି ତାଲିକା ସଂଗ୍ରହ ପରେ ୧୨୦ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଥିଲା। ନିଲାମରେ ଖେଳାଳିଙ୍କୁ ଟଙ୍କାରେ କିଣାଯିବା ପରିବର୍ତ୍ତେ ପଏଣ୍ଟ ପ୍ରଦାନ କରାଯାଉଛି। ପ୍ରତ୍ୟେକ ଫ୍ରାଞ୍ଚାଇଜିକୁ ୫୦୦ ପଏଣ୍ଟ ଦିଆଯାଇଛି। ଗୋଟିଏ ଫ୍ରାଞ୍ଚାଇଜି ଅନ୍ୟୁନ ୧୨ଜଣ ଖେଳାଳି ନେବେ। ୫ ବରିଷ୍ଠ, ୨ ଭେଟେରାନ୍‌, ୨ ଅଣ ମାନ୍ୟତା, ୨ଜଣ ୧୯ ବର୍ଷରୁ କମ୍‌ ଓ ଜଣେ ଅତିରିକ୍ତ ଖେଳାଳି ଗୋଟିଏ ଦଳରେ ରହିବେ ବୋଲି ସୂଚନା ଦିଆଯାଇଛି।

ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବାକୁଯାଉଥିବା ଏହି ପ୍ରତିଯୋଗିତା ଜାନୁୟାରୀ ୧୯ ତାରିଖରୁ ଆରମ୍ଭ ହୋଇ୨୧ ତାରିଖ ଯାଏଁ ଚାଲିବ। କଟକର ଜବାହାରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ପ୍ରତିଯୋଗିତା ଚାଲିବ। ଶନିବାରର ନିଲାମ ପ୍ରକ୍ରିୟାରେ ପ୍ରତିଯୋଗିତାର ମୁଖ୍ୟ ପରିଚାଳିକା ରୀତା ଦାଶ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ସାବିତ୍ରୀ ରଥ, ପୂର୍ବତନ ରାଜ୍ୟସ୍ତରୀୟ କ୍ରୀଡାବିତ୍‌ ଅମିୟ ମିଶ୍ର ଓ ଶ୍ରୀହର୍ସ ରାଉତରୟ, ଚଳଚ୍ଚିତ୍ର ନିର୍ଦ୍ଦେଶକ ବସନ୍ତ ସାହୁ, ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ତଥା କଟକ କ୍ଲବ୍‌ କୋଷାଧ୍ୟକ୍ଷ କମଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର