ପୁରୀର ଗର୍ବ ଅନୀଲ

ପୁରୀ: କଠୋର ଅଧ୍ୟବସାୟ ଓ ଏକାଗ୍ରତା ସଫଳତା ଆଣିଦିଏ। ଏହାକୁ ପ୍ରମାଣିତ କରିଛନ୍ତି ପୁରୀ ମଣିକର୍ଣ୍ଣିିକା ସାହି ସେବାୟତ ଘରର ପୁଅ ଅନୀଲ ଗୋଛିକାର। ଗତ ବର୍ଷ ଗୋଆରେ ଅନୁଷ୍ଠିତ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ସେ ମିଷ୍ଟର ଇଣ୍ଡିଆ ହେବାର ସୌଭାଗ୍ୟ ଲାଭ କରିଥିବା ବେଳେ ବ୍ରହ୍ମପୁରରେ ଅନୁଷ୍ଠିତ ୧୫ତମ ରାଜ୍ୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବିଜେତା ହୋଇ ଓଡ଼ିଶା ଶ୍ରୀ (ମିଷ୍ଟର ଓଡ଼ିଶା) ଆଖ୍ୟା ଲାଭ କରିଛନ୍ତି। ବ୍ରହ୍ମପୁରରେ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେବାୟତ ପରିବାରରେ ଜନ୍ମ ଗ୍ରହଣ କରିଥିବା ଅନୀଲ କେବଳ ପୁରୀ ସେବାୟତଙ୍କ ପାଇଁ ନୁହେଁ, ବରଂ ଓଡ଼ିଶା ଓ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ୫ମ ଥର ମିଷ୍ଟର ଓଡ଼ିଶା ହୋଇ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି।

ସେବାୟତ ପରିବାର ହେଲେ ବି ପିଲାଟି ବେଳୁ ସେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଥିଲେ। ପୁରୀର ଜାଗାଘର ପରମ୍ପରା ସହ ପ୍ରଥମେ ଜଡ଼ିତ ଥିଲେ ମଧ୍ୟ ପରେ ଜିମ୍‌ ଯିବା ଆରମ୍ଭ କରିଥିଲେ। କାଳକ୍ରମେ ସେ ନିଜର ଏକ ଜିମ୍‌ ତିଆରି କରିଥିଲେ। ୨୦୧୨ ମସିହାରେ ତାଙ୍କୁ ବଡ଼ ସଫଳତା ମିଳିଥିଲା। ମିଷ୍ଟର ଓଡ଼ିଶା ୫୦ ତମ ବରିଷ୍ଠ ରାଜ୍ୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତି ମିଷ୍ଟର ଓଡ଼ିଶା ଆଖ୍ୟା ପାଇଥିଲେ। ଏହା ପରେ ୫ ବର୍ଷ ଧରି ସେ ଆଉ ପଛକୁ ଚାହିଁ ନାହାନ୍ତି। ଏହି ବର୍ଷ ଫେଡ଼େରେସନ କପ୍‌ରେ ରୌପ୍ୟ ପଦକ ପାଇଥିବା ବେଳେ ୱାର୍ଲଡ ବଡିବିଲ୍‌ଡିଂ ଆଣ୍ଡ ଫିଜିକ୍‌ ଫେଡେରେସନରେ ୨୦୧୪ ମସିହାରେ ବ୍ରୋଞ୍ଜ ପଦକ ପାଇଥିଲେ। ୨୦୧୬ ମସିହାରେ ମିଷ୍ଟର ଇଣ୍ଟରନ୍ୟାସନାଲ ଇଣ୍ଡିଆନ୍‌ରେ ସ୍ୱର୍ଣ୍ଣ ପଦକ ପାଇ ମୁକୁଟ ହାସଲ କରିଥିବା ବେଳେ ଗୋଆର ଏହି ସଫଳତା ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏହା ଛଡ଼ା ରାଜ୍ୟ ତଥା ବାହାରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ହୋଇ ଅନେକ ଯୁବକଙ୍କ ପାଇଁ ମାଇଲଖୁଣ୍ଟ ସାଜିଛନ୍ତି। ସମସ୍ତ ଶ୍ରେୟ ସେ ତାଙ୍କ ପରିବାରକୁ ଦେଇଛନ୍ତିି। କାରଣ ତାଙ୍କ ବଡ଼ଭାଇ ଯିଏ କି ଦାମୋଦର ଗୋଛିକାର ସେ ମଧ୍ୟ ବଡ଼ି ବିଲ୍‌ଡିଂରେ ଅନେକ ପୁରସ୍କାର ପାଇଛନ୍ତି। ସେ ହିଁ ତାଙ୍କର ପ୍ରଥମ ଗୁରୁ। ତାଙ୍କ ସହ ମିଶି ଅଭ୍ୟାସ କରୁ କରୁ ସେ ଗୁରୁ ପାଲଟି ଯାଇଥିଲେ।

ଅନୀଲଙ୍କ କହିବାନୁସାରେ ଏହା ଏକ ଖର୍ଚ୍ଚାନ୍ତ ପେସା। ଦିନକୁ ୫ ଲିଟର କ୍ଷୀର, ୨ରୁ ଅଢ଼େଇ କେଜି ଫଳ ଓ ଅଧାକେଜି ଲହୁଣୀ ଖାଇବାକୁ ପଡ଼ିଥାଏ। ମା’ ଜାଣନ୍ତି ଜଣେ ବଡ଼ିବିଲ୍‌ଡର ପାଇଁ ଖାଦ୍ୟ କ’ଣ ଆବଶ୍ୟକ। ଶୁଦ୍ଧ ଶାକାହାରୀ ଭାବରେ ତାଙ୍କ ଘରେ ଏକ ବଡ଼ ରେଫ୍ରିଜରେଟର ରହିଛି। ଏହା ଭିତରେ ସେଓ, କାକୁଡ଼ି, ମୂଳା, ଗାଜର, ଅଙ୍ଗୁର, ସପୁରୀ ଭର୍ତ୍ତିି ହୋଇଥାଏ। ଯାହା ତାଙ୍କ ମା’ କେବେ ଖାଲି ହେବାକୁ ଦିଅନ୍ତି ନାହିଁ। ୨୦୦୬ ମସିହାରେ ବାପାଙ୍କ ମୃତ୍ୟୁ ପରେ ମଧ୍ୟ ପରିବାରର ସହଯୋଗ ତାଙ୍କୁ ଏତେବାଟ ଆଣିପାରିଛି ବୋଲି ସେ କୁହନ୍ତି। ୨୦୧୦ ମସିହାରେ ସେ ଆଇନରେ ଡିଗ୍ରି ହାସଲ କରିଥିଲେ। ଏହା ପରେ ସେ ବିବାହ କରିଥିଲେ। ବଡ଼ଭାଇ ଦାମୋଦର ମଧ୍ୟ ବଡ଼ିବିଲ୍‌ଡର ଥିଲେ। ପୂର୍ବଭାରତ ଚାମ୍ପିଅନସିପ୍‌ରେ ସେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେ ହିଁ ତାଙ୍କ ପ୍ରେରଣାର ଉତ୍ସ ଥିଲେ। ବାପାଙ୍କ ମୃତ୍ୟୁ ପରେ ସେ ଏହି ପେସାରୁ ଓହରି ଯାଇଥିଲେ। ସେବାୟତ ଘରର ହୋଇଥିବାରୁ ଦାମୋଦର ମହାପ୍ରଭୁଙ୍କ ସେବାରେ ଲାଗିଥିଲେ। ତାଙ୍କ ଠାରୁ ପ୍ରେରଣା ପାଇଥିବା ଅନୀଲ ୩୦ ବର୍ଷ ବୟସରେ ଭାଇଙ୍କ ସ୍ୱପ୍ନକୁ ପୂରଣ କରିବାପାଇଁ ୨୦୦୯ ମସିହାରେ ଏହାକୁ ଏକ ପେସା ଭାବେ ଗ୍ରହଣ କରିଥିଲେ। ପୁରୀରେ ଏଥିପାଇଁ ଭିତ୍ତିଭୂମିର ଅଭାବ ଥିଲା। ଯାହା ବି ଥିଲା ତାହା ଅଧିକ ଦେୟ ସହ ଉଚିତ ସମୟରେ ଚାଲୁନଥିଲା। ୨୦୧୦ ମସିହାରେ ଦାମୋଦର ନିଜର ଏକ ଗୋଛିକାର ଲାଇଫ୍‌ ଷ୍ଟାଇଲ ଜିମ୍‌ ନାମରେ ଏକ ଜିମ୍‌ ତିଆରି କଲେ। ଆଉ ସେହି ଜିମ୍‌ରୁ ହିଁ ତିଆରି ହୋଇଥିଲେ ଏହି ମିଷ୍ଟର ଇଣ୍ଡିଆ। ଏହି ମିଷ୍ଟର ଇଣ୍ଡିଆଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଏବେ ତାଙ୍କର ୨ଶହରୁ ଊଦ୍ଧ୍ଵର୍ ଛାତ୍ର।

ପୁରୀରେ ଏହି ପେସା ପ୍ରତି ପ୍ରୋତ୍ସାହନ ନାହିଁ। ସରକାରୀ ସ୍ତରରେ କେବେ ଏକ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଏ ନାହିଁ। ଗୋଟାଏ କଠୋର ଗେମ୍‌କୁ ଆମ ଭଳି ଖେଳାଳିମାନେ ମଞ୍ଚରେ ଅତି ସୁନ୍ଦର ଭାବରେ କରୁଥିବା ଦେଖାଯାଏ। କେବଳ କ୍ରୀଡ଼ାପ୍ରେମୀଙ୍କ ଭଲପାଇବା ଏହି ପେସାକୁ ସହଜ କରିଦିଏ। କିନ୍ତୁ ପୁରୀରେ ଏଥିପ୍ରତି ନା ସମର୍ଥନ ନାହିଁ। ନା କେହି ଯତ୍ନ ନିଅନ୍ତି। ଏଣୁ ଏଥିପାଇଁ ପାଗଳ ହେଉଥିବା ଅନେକ ଯୁବକ ଏହି ପେସାରୁ ଓହରି ଯିବାକୁ ଚାହୁଁଛନ୍ତି। ଯାହା ଏହି ନିଆରା କ୍ରୀଡ଼ାରେ ପୁରୀ ପାଇଁ ଏକ ସତର୍କ ଘଣ୍ଟି ବୋଲି କହିଛନ୍ତି ଅନୀଲ। ଆଗକୁ ଆହୁରି ବଡ଼ ବଡ଼ ପ୍ରତିଯୋଗିତା ରହିଛି। ସେଥିପାଇଁ ସେ ଅଭ୍ୟାସରେ ଲାଗି ପଡ଼ିଛନ୍ତି। ଶ୍ରୀମନ୍ଦିରର ସେବାୟତ ହିସାବରେ ଏଭଳି ଏକ ଭିନ୍ନ ପେସାରେ ସମଗ୍ର ଭାରତବର୍ଷରେ ସେ ଏକ ମାଇଲଖୁଣ୍ଟ ତିଆରି କରିବାକୁ ଚାହୁଁଛନ୍ତି। ତାଙ୍କ ଭଳି ଆହୁରି ଅନୀଲ ଏଇ ଶ୍ରୀକ୍ଷେତ୍ରରୁ ବାହାରି ସମଗ୍ର ବିଶ୍ୱରେ ନାମ କମାଇବା ପାଇଁ ଯାହା ଯାହା ଆବଶ୍ୟକ ହେବ ତାହା କରିବାପାଇଁ ସେ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧିତ ଖବର