ଓଡ଼ିଶା ରଣଜୀ ଦଳ ‌ଘୋଷିତ, ବିପ୍ଳବ ଅଧିନାୟକ: ୩ ନୂଆ ମୁହଁ

ଭୁବନେଶ୍ବର: ନୂଆ ରଣଜୀ ଋତୁର ପ୍ରଥମ ଦୁଇ ମ୍ୟାଚ୍ ପାଇଁ ଓଡ଼ିଶା ଦଳ ରବିବାର ଘୋଷିତ ହୋଇଛି। ବିପ୍ଳବ ସାମନ୍ତରାୟଙ୍କୁ ପୁଣି ଥରେ ଅଧିନାୟକ ଦାୟିତ୍ବ ଅର୍ପଣ କରାଯାଇଥିବାବେଳେ ୩ ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି। ସେମାନେ‌ ହେଲେ ସଦ୍ୟ ସମାପ୍ତ କନିଷ୍ଠ ଏସିଆ କପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ରାଜେଶ ମହାନ୍ତି, ଦେଓଧର ଟ୍ରଫି ଦଳରେ ସାମିଲ ହୋଇଥିବା ବାମହାତୀ ସ୍ପିନର ପପୁ ରାୟ ଏବଂ ଯୁବ ଦ୍ରୁତ ବୋଲର ଦେବବ୍ରତ ପ୍ରଧାନଙ୍କୁ ଦଳରେ ପ୍ରଥମ ଥର ସୁଯୋଗ ମିଳିଛି। ଅନ୍ୟପକ୍ଷରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ନଟରାଜ ବେହେରା, ଦ୍ରୁତ ବୋଲର ଦୀପକ ବେହେରା, ଆଲୋକ ସାହୁ, ୱିକେଟରକ୍ଷକ ବ୍ୟାଟସମ୍ୟାନ୍ ରାଜେଶ ଧୂପର ପ୍ରମୁଖଙ୍କୁ ଦଳରୁ ବାଦ୍ ଦିଆଯାଇଛି। ସେହିଭଳି ମହାରାଷ୍ଟ୍ର, ମୁମ୍ବାଇ, ଗେଆ ପାଇଁ ୮ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଅଭିଷେକ ରାଉତ ଓଡ଼ିଶା ରଣଜୀ ଦଳରେ ପ୍ରଥମ ଥର ସ୍ଥାନ ପାଇଛନ୍ତି। ଗତଋତୁଠାରୁ ସେ ସୀମିତ ଓଭର ପ୍ରତିଯୋଗିତା‌େର ଖେଳି ଆସୁଥିଲେ। ଓଡ଼ିଶା ନିଜର ପ୍ରଥମ ଦୁଇ ମ୍ୟାଚ୍ କିଟ୍ ବିଶ୍ବବିଦ୍ୟାଳୟ କ୍ରିକେଟ ଷ୍ଟାଡିୟମରେ ନଭେମ୍ଭର ୧ରୁ ୪ ପର୍ଯ୍ୟନ୍ତ ହରିଆନା ସହିତ ଏବଂ ୧୨ରୁ ୧୫ ମଧ୍ୟରେ ଉତ୍ତରପ୍ରଦେଶ ସହିତ ଖେଳିବ। ଓଡ଼ିଶା ‌େଖଳାଳିଙ୍କୁ ସୋମବାରଠାରୁ କଟକ ସନସାଇନ୍ ପଡ଼ିଆରେ ରିପୋର୍ଟ କରିବାକୁ କୁହାଯାଇଛି।

ଓଡ଼ିଶା ଦଳ: ଅନୁରାଗ ଷଡ଼ଙ୍ଗୀ, ରଂଜିତ ସିଂହ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ (ଅଧିନାୟକ), ଶୁଭ୍ରାଂଶୁ ଶେଖର‌ ସେନାପତି, ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା (ୱି‌େକଟରକ୍ଷକ), ପପୁ ରାୟ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ ଏବଂ ଶୁଭମ ନାୟକ। ସପୋର୍ଟ ଷ୍ଟାଫ: ରଶ୍ମିରଂଜନ ପରିଡ଼ା (ପ୍ରଶିକ୍ଷକ), ଶୁଭକାନ୍ତ ସାହୁ (ଫିଜିଓ), ମନୋଜ କୁମାର ବିଶ୍ବାଳ (ଟ୍ରେନର), ଶୁଭାଶିଷ ଭୂୟାଁ (ପର୍ଯ୍ୟବେକ୍ଷକ)।

ସମ୍ବନ୍ଧିତ ଖବର