ଓଡ଼ିଶା ରେଡ୍‌ ଜିତିଲା ମହିଳା ଟି-୨୦ ଟ୍ରଫି: ମାଧୁରୀ ପ୍ରତିଯୋଗିତାର ଶ୍ରେଷ୍ଠ କଳ୍ପନା, ଶ୍ରେଷ୍ଠ ଉଦୀୟମାନ ଖେଳାଳି

ଭୁବନେଶ୍ବର: କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ‌ ହୋଇଛି। ଫାଇନାଲ୍‌ରେ ଅଞ୍ଜଳି ସିଂହଙ୍କ ଓଡ଼ିଶା ଭାଓଲେଟ୍‌କୁ ୬ ୱିକେଟ୍‌ ବ୍ୟବଧାନରେ ହରାଇ ମାଧୁରୀ ମେହେଟ୍ଟାଙ୍କ ଓଡ଼ିଶା ରେଡ୍‌ ବିଜେତା ଟ୍ରଫି ହାସଲ କରିଛି।

ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଓଡ଼ିଶା ରେଡ୍‌ ଦଳ ଭାଓଲେଟ୍‌ ବ୍ୟାଟର୍‌ଙ୍କୁ ୧୨୪/୫ରେ ସୀମିତ ରଖିଥିଲା। ପାଳି ସାରା ବ୍ୟାଟିଂ କରିଥିବା ପ୍ରାରମ୍ଭିକ ବ୍ୟାଟର୍‌ ରଶ୍ମିତା ଚିନ୍ନରା (୫୨* ରନ୍‌, ୫୮ ବଲ୍‌, ୬ ଚୌକା)ଙ୍କ ବ୍ୟତୀତ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ (୨୯ ରନ୍‌, ୩୨ ବଲ୍‌, ୨ ଚୌକା) ଓ ସୁଇଟ୍‌ ବେଉରା (୨୩ ରନ୍, ୧୮ ବଲ୍, ୩ ଚୌକା) ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ କରିପାରିଥିଲେ। ରେଡ୍‌ ପକ୍ଷରୁ ତନ୍ମୟୀ ବେହେରା (୩-୧-୯-୧), ଏସ୍‌ବି ଲରେନ୍ସ (୪-୦-୩୦-୧) ଏବଂ ରାଜଶ୍ରୀ ସ୍ବାଇଁ (୪-୦-୨୬-୧) ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଞ୍ଜଳି ଓ ତରାନ୍ନାଙ୍କ ରନ୍‌ ଆଉଟ୍ ଦଳକୁ ଆଗକୁ ବଢ଼ିବାକୁ ଦେଇନଥିଲା। ଜବାବରେ ଓଡ଼ିଶା ରେଡ୍‌ ପାଇଁ ଅଧିନାୟିକା ମାଧୁରୀ ମେହେଟ୍ଟା (୫୪ ରନ୍‌, ୪୦ ବଲ୍‌, ୭ ଚୌକା) ଆକର୍ଷଣୀୟ ଅର୍ଧଶତକ ହାସଲ କରି ମ୍ୟାଚ୍‌କୁ ସହଜ କରି ଦେଇଥିଲେ। ତନ୍ମୟୀ ବେହେରା (୨୧ ରନ୍‌, ୩୩ ବଲ୍‌, ୨‌ ଚୌକା) ଉପଯୋଗୀ ଅବଦାନ ଦେଇଥିବା ବେଳେ ସୁନିତା ମୁର୍ମୁ (୯*, ୪ ବଲ, ୧ ଛକା) ଏବଂ ରାଜଶ୍ରୀ ସ୍ବାଇଁ (୧୩*, ୧୧ ବଲ୍‌, ୨ ଚୌକା) ଦଳକୁ ଗୋଟିଏ ବଲ୍ ପୂର୍ବରୁ ରୋମାଞ୍ଚକ ବିଜୟ ପ୍ରଦାନ କରିଥିଲେ। ରେଡ୍‌ ୧୯.୫ ଓଭରରେ ୪ ୱିକେଟ୍ ହରାଇ ୧୨୬ ରନ୍ କରିଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀ ଏବଂ କୁନି ବେହେରା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ମାଧୁରୀ ଫାଇନାଲ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୂର୍ବରୁ ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ଓଡ଼ିଶା ପର୍ପଲ ୨୬ ରନ୍‌ରେ ଓଡ଼ିଶା ଗ୍ରିନ୍‌କୁ ପରାସ୍ତ କରିଥିଲା। ମଧୁସ୍ମିତା ବେହେରା (୪୪ ରନ୍‌, ୫୧ ବଲ୍‌), ଶୁଭ୍ରା ସ୍ବାଇଁ (୨୧ ରନ୍‌, ୩୭ ବଲ୍‌, ୧ ଚୌକା), ସରିତା ମେହେର (୧୮ ରନ୍, ୨୪ ବଲ୍‌)ଙ୍କ ବଳରେ ପର୍ପଲ୍‌ ୨୦ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା। ରାଣୀ କେ ପ୍ରସାଦ, ରୋସନାର ପରବିନ, ସୁଶ୍ରୀ ଏ ସିଂହ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଗ୍ରିନ୍‌ ୮୭/୭ରେ ସୀମିତ ରହିଥିଲା। ଆଲିପ୍ସା ବିଶ୍ବାଳ (୨୫ ରନ୍, ୪୦ ବଲ୍‌), ରୋସନାରା ପରବିନ୍‌ (୧୦ ରନ୍, ୨୩ ବଲ୍‌), ସରୋଜିନି ଗିରି (୧୩ ରନ୍, ୨୪ ବଲ୍‌) ଏବଂ ବିଏସ୍‌ ବୈଷ୍ଣବୀ (୧୧ ରନ୍‌, ୧୬ ବଲ୍‌) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ମଧୁସ୍ମିତା ବେହେରା (୪-୦-୧୫-୩) ସଫଳ ବୋଲିଂ କରିଥିବା ବେଳେ ଶୁଭ୍ରା ସ୍ବାଇଁ, ଡି ଜାନକୀ ରେଡ୍ଡୀ, ପୂଜା ଆର୍‌ ଦାସ, ଜିଏମ୍ ଅଳକାନନ୍ଦା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବାରୁ ଅଧିନାୟିକା ମଧୁସ୍ମିତା ବ‌େହେରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ମାଧୁରୀ ମେହେଟ୍ଟାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ, କଳ୍ପନା ନାୟକଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ କୁମାର ବେହେରା, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌, ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନ, କିଶୋର ଚନ୍ଦ୍ର ବିଶ୍ବାଳ, କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ମଧୁସ୍ମିତା ସବୁଠୁ ମୂଲ୍ୟବାନ ସରିତା, କଳ୍ପନା ଶୀର୍ଷରେ
ପ୍ରଥମ ଥର ପାଇଁ ଆୟୋଜିତ ଏହି ପ୍ରତିଯୋଗିତାର ସବୁଠୁ ମୂଲ୍ୟବାନ (ମୋଷ୍ଟ ଭ୍ୟାଲୁଏବୁଲ୍) ବିବେଚିତ ହୋଇଛନ୍ତି ତୃତୀୟ ସ୍ଥାନ ଦଖଲ କରିଥିବା ଓଡ଼ିଶା ପର୍ପଲ୍ ଦଳର ଅଧିନାୟିକା ମଧୁସ୍ମିତା ବେହେରା। ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ କରିଥିବା ମଧୁସ୍ମିତା ସର୍ବାଧିକ ୪୦.୭୮୧ ପଏଣ୍ଟ୍ ପାଇଁ ଶୀର୍ଷରେ ରହିଥିଲେ। ମଧୁସ୍ମିତା ୬ ମ୍ୟାଚ୍‌ରୁ ୨୨୬ ରନ୍‌ ଏବଂ ୯ ୱିକେଟ୍‌ ନେଇଥିଲେ। ଭାଓଲେଟ୍ ଦଳର ଅଞ୍ଜଳି ସିଂହ (୩୯.୩୫୨), ଗ୍ରିନ୍‌ର ରୋସନାରା ପରବିନ୍‌ (୩୮.୫୪୯), ବିଜେତା ରେଡ୍‌ ଦଳର ଅଧିନାୟିକା ମାଧୁରୀ ମେହେଟ୍ଟା (୩୮.୦୩୮), ପର୍ପଲ୍‌ ଦଳର ସରିତା ମେହେର (୩୬.୭୭୯) ଶୀର୍ଷ ୫ର ପରବର୍ତୀ ୪ ସ୍ଥାନରେ ରହିଥିଲେ। କେବଳ ବ୍ୟାଟିଂରେ ସରିତା ମେହେର (୯ ମ୍ୟାଚ୍‌ରୁ ୩୬୨ ରନ୍‌) ଏବଂ ବୋଲିଂରେ କଳ୍ପନା ନାୟକ (୯ ମ୍ୟାଚ୍‌ରୁ ୧୩ ୱିକେଟ୍‌) ଶୀର୍ଷରେ ରହିବାର ସମ୍ମାନ ପାଇଥିଲେ।

ସମ୍ବନ୍ଧିତ ଖବର