ଭୁବନେଶ୍ୱର: ବାଙ୍ଗାଲୋରରେ ଆୟୋଜିତ ନାଗେଶ ଟ୍ରଫି ଦୃଷ୍ଟିହୀନ ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତାରେ ସନ୍ତୁଷ୍ଟ ରହିଛି। ମଙ୍ଗଳବାର ଫାଇନାଲ୍‌ରେ ଓଡ଼ିଶା ୮୦ ରନ୍‌ରେ ଆନ୍ଧ୍ରପ୍ରଦେଶଠୁ ହାରି ଯାଇଛି। ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ମଧ୍ୟ ଆନ୍ଧ୍ରପ୍ରଦେଶଠୁ ହାରି ଓଡ଼ିଶା ଉପବିଜେତା ହୋଇଥିଲା।

Advertisment

ଟସ୍‌ ଜିତି ବ୍ୟାଟିଂ କରିଥିବା ଆନ୍ଧ୍ରପ୍ରଦେଶ ଡି ଭେଙ୍କଟେଶ୍ବର (୧୩୨ ରନ୍‌)ଙ୍କ ଶତକ ବଳରେ ୨୪୬/୩ କରିଥିଲା। ଓଡ଼ିଶା ଅଧିନାୟକ ମହମ୍ମଦ ଜାଫର ଇକ୍‌ବାଲ୍‌ଙ୍କ ମହଙ୍ଗା ବୋଲିଂ (୪ ଓଭର ୭୦ ରନ୍‌) ପରାଜୟର ମୁଖ୍ୟ କାରଣ ଥିଲା। ୧୪୭ ରନ୍‌ ବିଜୟଲକ୍ଷ୍ୟକୁ ପିଛା କରି ଓଡ଼ିଶା ୧୬୬/୫ରେ ସୀମିତ ରହିଥିଲା। ସୁଖରାମ ମାଝୀ ୫୨, ନକୁଳ ବଡ଼ନାୟକ ୪୦, ପଙ୍କଜ ଭୁଏ ୩୫ ରନ୍‌ କରିଥିଲେ ମଧ୍ୟ ଦଳକୁ ବିଜୟୀ କରିବାରେ ବିଫଳ ହୋଇଥିଲେ। ଡି ଭେ‌ଙ୍କଟେଶ୍ବର ଫାଇନାଲ୍‌‌ର ଏବଂ ପ୍ରକାଶ ଜୟରମୟା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ଭାବେ କର୍ଣ୍ଣାଟକ କ୍ରୀଡ଼ାମନ୍ତ୍ରୀ ସି ନାରାୟଣ ଗୌଡ଼ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ଦଳ ଫାଇନାଲକୁ ପ୍ରବେଶ କରିଥିବାରୁ ଓଏଏସ୍‌ ସନ୍ୟାସ କୁମାର ବେହେରା, ପ୍ରକାଶ କୁମାର ରଥ, ବିରଞ୍ଚି ନାରାୟଣ ସାହୁ, ଯୋଗେନ୍ଦ୍ର ଜାନି ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।