ଭୁବନେଶ୍ୱର: ମାତ୍ର ବର୍ଷକ ତଳେ ମହାଆଡ଼ମ୍ବରରେ ଆରମ୍ଭ ହୋଇଥିବା ଓଡ଼ିଶା-ସାଇ ବ୍ୟାଡମିଣ୍ଟନ ଏକାଡେମି ପ୍ରଷ୍ପୁଟିତ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇ ମଉଳିବା ଆଶଙ୍କାରେ ପଡ଼ିଯାଇଛି। ବିଶେଷକରି ଏହାର ପରିଚାଳନାକୁ ନେଇ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ରୋମେନ ଘୋଷ ଏବଂ କୋଲକାତାରେ ଥିବା ପୂର୍ବାଞ୍ଚଳ ସାଇ କେନ୍ଦ୍ରର ନିର୍ଦେଶକ ମନମିତ ସିଂହ ଗୋଏଣ୍ଡି ମୁହାଁମୁହିଁ ହେବା ଏକାଡେମିର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ଏକାଡେମିରେ ବଡ଼ ଧରଣର ଗଡ଼ବଡ଼ ଚାଲିଥିବା ଏଠାରେ ପ୍ରଶିକ୍ଷଣ ନେଉଥିବା କେତେକ ପିଲାଙ୍କ ଅବିଭାବକ ମଧ୍ୟ ଅଭିଯୋଗ କରିଛନ୍ତି। ହେଲେ ଏଭଳି ସମସ୍ତ ଅଭିଯୋଗକୁ ଶ୍ରୀ ଘୋଷ ଖଣ୍ଡନ କରିଛନ୍ତି।
ଓଡ଼ିଶା ସହ ସମଗ୍ର ପୂର୍ବ ଭାରତରୁ ବିଶ୍ୱସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗତବର୍ଷ ମେ ୧୫ ତାରିଖରେ ସ୍ଥାନୀୟ ସହିଦ୍‌ନଗର ଇନଡୋର ହଲ୍‌ରେ ଆରମ୍ଭ ହୋଇଥିଲା ଓଡ଼ିଶା-ସାଇ ଆଞ୍ଚଳିକ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ୩୦ ଜଣ ପ୍ରଶିକ୍ଷାର୍ଥୀ ଥିବା ଏହି ଏକାଡେମି ଗତ ୧୦ ମାସରେ ଭିତରେ ଢେର ସଫଳତା ସାଉଁଣ୍ଟିଥିଲା। ଏବେ କିନ୍ତୁ ଏକାଡେମି ଯେମିତି ବାଟବଣା ହୋଇଯାଇଛି। ପରିଚାଳନା ତଥା ପ୍ରଶିକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଏକାଡେମିର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି।
ଏକାଡେମିରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଲାଗି ଘୋଷ କୋଲକାତା ସାଇ କେନ୍ଦ୍ରର ନିର୍ଦେଶକ ଗୋଇଣ୍ଡିଙ୍କୁ ଦାୟୀ କରିଛନ୍ତି। ଗୋଇଣ୍ଡି କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି। ଶ୍ରୀ ଘୋଷ ମୋ ନାଁରେ ଆଣିଥିବା ଅଭିଯୋଗରେ କୌଣସି ସତ୍ୟତା ନଥିବା ସେ କହିଛନ୍ତି। ସମ୍ବାଦ ସହ କଥାହେଲା ବେଳେ ଗୋଇଣ୍ଡି କହିଛନ୍ତି ଯେ ରୋମେନ ଘୋଷ କୌଣସି ସରକାରୀ ନୀତି ନିୟମ ମାନୁନାହାନ୍ତି। ପ୍ରଚଳିତ ପ୍ରକ୍ରିୟାର ଅନୁସରଣ କରୁନାହାନ୍ତି। ଏକାମେଡିରେ ୨୦ ଜଣ ପିଲା ରହିବାକୁ ମଞ୍ଜୁରି ଦିଆଯାଇଛି। ହେଲେ ସେ ୩୦ ପିଲା ରଖିଛନ୍ତି। ପିଲାମାନଙ୍କୁ ସେଠାରେ ମାରଧର କରାଯାଉଛି ବୋଲି ଆସାମର ଜଣେ ଅବିଭାବକ ମୋତେ ଲିଖିତ ଭାବେ ଅଭିଯୋଗ କରିଥିଲେ। ସେଥିପାଇଁ ମୁଁ ମାର୍ଚ ୫ରେ ଭୁବନେଶ୍ୱର ପହଞ୍ଚି ଏହାର ସତ୍ୟାସତ୍ୟ ଜାଣିବାକୁ ଚାହିଁଥିଲି। ମୁଁ ଏକାଡେମିରେ ପହଞ୍ଚିଲା ବେଳେ ରୋମେନ ସେଠାରେ ନଥିଲେ। କିଛି ସମୟ ପରେ ସେ ପହଞ୍ଚିବା ପରେ ମୁଁ ତାଙ୍କୁ ସାପ୍ତାହିକ ଏବଂ ଦୈନିକ ପ୍ରଶିକ୍ଷଣ ସାରଣୀ ଦେଖାଇବାକୁ କହିଥିଲି। ହେଲେ ସେ ଦେଖାଇ ପାରି ନଥିଲେ।

Advertisment

ଏପରିକି ଏକାଡେମିରେ ଦୁଇ ଜଣ ବାହାରର ପିଲା (ବରିଷ୍ଠ ଆଇଏଏସଙ୍କ ସନ୍ତାନ) ପ୍ରଶିକ୍ଷଣ ନେଉଥିବା ତଦନ୍ତରୁ ଜଣାପଡ଼ିଥିଲା। ଏବେ ସେ ଇସ୍ତଫା ଦେଇଥିବା କଥା ସମସ୍ତଙ୍କୁ କହୁଛନ୍ତି। ହେଲେ ତାଙ୍କ କାର୍ଯ୍ୟକାଳ ଗତ ଫେବ୍ରୁଆରିରୁ ଶେଷ ହୋଇଯାଇଛି। ଏହାର ନବୀକରଣ ବି ଆଉ କରାଯିବ ନାହିଁ। ଯଦି ସେ ଇସ୍ତଫା ଦେଇଛନ୍ତି ତାହାଲେ ଏକାଡେମି ଆସୁଛନ୍ତି କାହିଁକି? ସେ ଡାହା ମିଛ କହୁଛନ୍ତି। ତାଙ୍କ ବୟସ ବି ସାଇ ନିର୍ଧାରିତ ବୟସଠାରୁ ଢେର ଅଧିକ। ଏକାଡେମି ଆରମ୍ଭ କରିବାର ଥିବାରୁ ଏବଂ ପ୍ରଥମ ପସନ୍ଦର ପ୍ରଶିକ୍ଷକ ଶୁଭଙ୍କର ଭଟ୍ଟାଚାର୍ଯ୍ୟ କୌଣସି କାରଣରୁ ଯୋଗ ନଦେବାରୁ ଆମେ ତାଙ୍କୁ ବାଧ୍ୟ ହୋଇ ନିଯୁକ୍ତି ଦେଇଥିଲୁ। ସାଇଠାରୁ ଦରମା ନେଉଥିବାରୁ ତାଙ୍କୁ ସାଇ ନୀତି ନିୟମ ମାନିବାକୁ ପଡ଼ିବ। ମୁଁ ମୋ ଉପର ଅଧିକାରୀଙ୍କୁ ଏହି ବିଷୟ ଜଣାଇଦେଇଛି। ଖୁବଶୀଘ୍ର ନୂଆ ପ୍ରଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରାଯିବା ନେଇ ଆଲୋଚନା ଚାଲିଛି। ରୋମେନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ। କାରଣ ସେ ନିଜ ସ୍ୱାର୍ଥ ପାଇଁ ଓଡ଼ିଶା ଓ ସାଇର ନାଁ ବଦନାମ କରୁଛନ୍ତି।
ତେବେ ଗୋଇଣ୍ଡିଙ୍କ ମାତ୍ରାଧିକ ହସ୍ତକ୍ଷେପ ପାଇଁ ଗତ ୨୭ ତାରିଖରେ ସେ ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିବା ଶ୍ରୀ ଘୋଷ ମତ ରଖିଛନ୍ତି। ସେପଟେ କେତେକ ଅବିଭାବକ ଶ୍ରୀ ଘୋଷଙ୍କ ବିରୋଧରେ ସାଇ ମହାନିର୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ କେତେକ ଅଭିଯୋଗକାରୀଙ୍କ ସ୍ୱାକ୍ଷର ଅବିଭାବକଙ୍କ ସ୍ୱାକ୍ଷର ସହ ମିଶୁ ନଥିବା ଏକାଡେମିର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି।