କଟକ: ଗୋବିନ୍ଦ ପୋଦ୍ଦାରଙ୍କ ଦ୍ରୁତ ଅର୍ଧଶତକ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଘାତକ ବୋଲିଂ ବଳରେ ରାଞ୍ଚି ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ଲଗାତାର ଦ୍ୱିତୀୟ ବିଜୟ ହାସଲ ହୋଇଛି। ପୂର୍ବରୁ ଆସାମ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିବା ଓଡ଼ିଶା ଶୁକ୍ରବାର ତ୍ରିପୁରାକୁ ୭୨ ରନ୍ରେ ପରାସ୍ତ କରିଦେଇଛି।
ଟସ୍ ଜିତି ବ୍ୟାଟିଂ ନେଇଥିବା ଓଡ଼ିଶା ନିର୍ଧାରିତ ଓଭରରେ ୬ ଓ୍ଵିକେଟ ବିନିମୟରେ ୧୭୯ ରନ୍ କରିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାଜେଶ ଧୂପର ଓ ଅନୁରାଗ ଷଡ଼ଙ୍ଗୀ ଆକ୍ରମଣାତ୍ମକ ଢଙ୍ଗରେ ପାଳି ଆରମ୍ଭ କରିଥିଲେ। ପାଓ୍ଵାର ପ୍ଲେ ମଧ୍ୟରେ ୮ରୁ ଅଧିକ ହାରରେ ରନ୍ ସଂଗ୍ରହ ହେଉଥିଲା ବେଳେ ସପ୍ତମ ଓଭରରେ ଅନୁରାଗ (୧୮) ଆଉଟ୍ ହୋଇଥିଲେ। ଏହାପରଠୁ ରନ୍ ସଂଗ୍ରହ ଗତି ସାମାନ୍ୟ ଧିମା ହୋଇଥିଲେ ବି ସ୍କୋର୍ବୋର୍ଡରେ କିଛି ଫରକ୍ ପଡ଼ୁନଥିଲା। ଦଶମ ଓଭରରେ ରାଜେଶ (୪୨) ଆଉଟ୍ ହେବା ବେଳକୁ ଓଡ଼ିଶା ଭଲ ସ୍ଥିତିରେ ପହଞ୍ଚିସାରିଥିଲା। ପରେ ଶୁଭ୍ରାଂଶୁ ସେନାପତି (୩୦) ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ସହ ମିଶି ଓଡ଼ିଶା ପାଳିକୁ ଆଗକୁ ବଢ଼ାଇଥିଲେ। ତେବେ ଦ୍ରୁତ ରନ୍ ସଂଗ୍ରହ କରିବାକୁ ଯାଇ ଶୁଭ୍ରାଂଶୁ ଓ୍ଵିକେଟ୍ ହରାଇଥିଲେ। ଏଥିମଧ୍ୟରେ ଗୋବିନ୍ଦ ପୋଦ୍ଦାର ଅର୍ଧଶତକ ପୂରଣ କରିନେଇଥିଲେ। ସେ ୨୭ ବଲ୍ରୁ ୫୫ ରନ୍ କରିଥିଲା ବେଳେ ପରବର୍ତୀ ବଲ୍ରେ ଆଉଟ ହୋଇଯାଇଥିଲେ। ଏହାପରେ ବିପ୍ଲବ ସମାନ୍ତରାୟ ୧୫ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୧୩ ରନ୍ କରିଥିଲେ। ପ୍ରଥମ ଓ୍ଵିକେଟ୍ରେ ୫୩ ଓ ତୃତୀୟ ଓ୍ଵିକେଟ୍ରେ ୬୭ ରନ୍ର ଭାଗୀଦାରି ହିଁ ଓଡ଼ିଶା ପାଳିର ଊଲ୍ଲେଖନୀୟ ଥିଲା। ୧୮୦ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ତ୍ରିପୁରା ୧୦୭ ରନ୍ରେ ସମସ୍ତ ଓ୍ଵିକେଟ ହରାଇଥିଲା। ପ୍ରଥମ ଓଭରରୁ ଏସ୍କେ ପଟେଲ୍ ଓ ଯଶପାଲ୍ ସିଂହଙ୍କୁ ଖାତା ଖୋଲିବା ପୂର୍ବରୁ ସୂର୍ଯ୍ୟକାନ୍ତ ପାଭିଲିୟନ୍ ପଠାଇ ଦେଇଥିଲେ। ନିଜର ଦ୍ୱିତୀୟ ଓଭରରେ ଉଦିୟାନ ବୋଷ୍ଙ୍କୁ ମଧ୍ୟ ମାତ୍ର ୧୧ ରନ୍ରେ ପାଭିଲିଅନ୍ ଫେରାଇଥିଲେ। ଏହାପରଠୁ ଦେବବ୍ରତ ପ୍ରଧାନ, ପ୍ରୟାସ ସିଂହ, ଜୟନ୍ତ ବେହେରା, ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର ନିଜ ନିଜ ଭିତରେ ଓ୍ଵିକେଟ ବାଣ୍ଟିନେଇଥିଲା ବେଳେ ଶେଷ ଓ୍ଵିକେଟକୁ ମଧ୍ୟ ସୂର୍ଯ୍ୟକାନ୍ତ ଶିକାର କରିଥିଲେ। ସୂର୍ଯ୍ୟକାନ୍ତ ୩.୨-୧-୨୪-୪ର ବୋଲିଂ ଚିତ୍ର ପାଇଥିଲେ। ତ୍ରିପୁରା ପାଇଁ ଗୁରିନ୍ଦର ସିଂହ ସର୍ବାଧିକ ୩୯ ଓ ମୁରା ସିଂହ ୨୩ ରନ୍ କରିଥିଲେ।
ଓଡ଼ିଶାର ଦ୍ୱିତୀୟ ବିଜୟ
ଗୋବିନ୍ଦଙ୍କ ଦ୍ରୁତ ଅର୍ଧଶତକ, ସୂର୍ଯ୍ୟକାନ୍ତଙ୍କ ଘାତକ ବୋଲିଂ
/sambad/media/post_attachments/wp-content/uploads/2018/01/govind-poddar-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)