ଓଡ଼ିଶା-ସର୍ଭିସେସ୍ ରଣଜୀ ମ୍ୟାଚ୍‌ ଆଜିଠୁ

ଭୁବନେଶ୍ବର: ନୂଆଦିଲ୍ଲୀର ପାଲମ ପଡ଼ିଆରେ ରବିବାରଠାରୁ ଆରମ୍ଭ ହେବ ଓଡ଼ିଶା-ସର୍ଭିସେସ୍ ମଧ୍ୟରେ ରଣଜୀ ଟ୍ରଫି ଅଷ୍ଟମ ରାଉଣ୍ଡ୍ ମ୍ୟାଚ୍‌। ଉଭୟ ଦଳ କ୍ବାର୍ଟର ଫାଇନାଲ୍ ଦୌଡ଼ରୁ ଏକ ପ୍ରକାର ବାଦ୍ ପଡ଼ିଥିବାରୁ ବଞ୍ଚିଥିବା କ୍ଷୀଣ ସୁଯୋଗ ଲାଗି ଏଠାରେ ନିଶ୍ଚିତ ସିଧାସଳଖ ବିଜୟ ଆବଶ୍ୟକ କରୁଛନ୍ତି। ୧୦ ଦଳୀୟ ଏଲିଟ୍‌ ଗ୍ରୁପ୍-ସିରେ ୭ ମ୍ୟାଚ୍ ସୁଦ୍ଧା ଓଡ଼ିଶା ୩ ବିଜୟ, ୩ ପରାଜୟ ସହିତ ୧୯ ଏବଂ ସର୍ଭିସେସ୍ ୨ ବିଜୟ ୨ ପରାଜୟ ସହିତ ୧୬ ପଏଣ୍ଟ୍ ପାଇ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ଶୀର୍ଷ ଦୁଇ ସ୍ଥାନରେ ରହିବା ଏବେ କାଠିକର ପାଠ ରହିଛି। ଏହି ମ୍ୟାଚ୍ ପାଇଁ ଓଡ଼ିଶାର ମନୋବଳ କିନ୍ତୁ ଉଚ୍ଚରେ ରହିଛି। ଗତ ସପ୍ତାହରେ ଓଡ଼ିଶା ଜମ୍ମୁଠାରେ ଘରୋଇ ଜମ୍ମୁ ଓ କଶ୍ମୀରକୁ ହରାଇଥିବା ବେଳେ ରାଞ୍ଚିଠାରେ ସର୍ଭିସେସ୍‌ ଘରୋଇ ଝାଡ଼ଖଣ୍ଡ ନିକଟରୁ ହାରି‌ ଫେରିଛି। କିନ୍ତୁ ପାଲମ ପଡ଼ିଆରେ ସର୍ଭିସେସ୍ ନିଜର ପୂର୍ବ ମ୍ୟାଚ୍‌ରେ ଜମ୍ମୁ ଓ କଶ୍ମୀରକୁ ହରାଇଥିବାରୁ ଘରାଇ ଦଳ ନିଶ୍ଚିତ ଫାଇଦାରେ ରହିବ। ପାଲମ ପଡ଼ିଆ ପିଚ୍‌ ବ୍ୟାଟିଂ ଅକୁକୂଳ ରହୁଥିଲେ ବି ଏହା ଖୋଲା ରହୁଥିବାରୁ ଦିନତମାମ ଥଣ୍ଡା ଏବଂ ପବନ ବହିଥାଏ। କ୍ରିଜ୍‌ରେ ଜମି ବ୍ୟାଟିଂ କରିବା ସହଜ ହୋଇନଥାଏ। ସେହି ଦୃଷ୍ଟିରୁ ଅସ୍ଥିର ପ୍ରଦର୍ଶନ ଦେଇ ଗତି କରୁଥିବା ଓଡ଼ିଶା ବ୍ୟାଟସମ୍ୟାନ୍ ନିଶ୍ଚିତ ଅଡୁଆରେ ପଡ଼ିବେ। କୁହୁଡି ଏଠାରେ ଅନ୍ୟତମ ସମସ୍ୟା ରହୁଥିଲେ ବି ଶନିବାର ଭଲ ପାଗ ଥିବାରୁ ଉଭୟ ଦଳ ଭଲରେ ଅଭ୍ୟାସ କରିଛନ୍ତି। ଓଡ଼ିଶା ଦଳ ନିଶ୍ଚିତ‌ ବୋଲିଂ ଭରସାରେ‌ ଖେଳିବ। ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଚଳିତ ଋତୁରେ ଦଳକୁ ବିଜୟ ଦେବାରେ ବଡ଼ ଭୂମିକା ତୁଲାଇଛନ୍ତି। ଏଭଳି ପ୍ରଦର୍ଶନ ଦୋହରାଇବା ଆଶା ରଖିଛନ୍ତି ଅଧିନାୟକ ବିପ୍ଳବ ସାମନ୍ତରାୟ। ଆମେ ସବୁ ବିଭାଗରେ ଭଲ କରି ଆସିଛୁ, ଗତ ମ୍ୟାଚ୍‌ ମଧ୍ୟ ଜିତିକି ଆସିଥିବାରୁ ଦଳର ଆତ୍ମବିଶ୍ବାସ ଉଚ୍ଚରେ ରହିଛି। ପିଚ୍‌ ପରୀକ୍ଷଣ ପରେ ରବିବାର ଚୂଡାନ୍ତ ଏକାଦଶ କଥା ଚିନ୍ତା କରିବୁ ବୋଲି କହିଛନ୍ତି ଅଭିଜ୍ଞ ଅଲରାଉଣ୍ଡର୍ ବିପ୍ଳବ।

ଓଡ଼ିଶା ଦଳ: ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ‌ଦେବାଶିଷ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋନ୍ଦାର, ବିପ୍ଳବ ସାମନ୍ତରାୟ (ଅଧିନାୟକ), ଅଭିଷେକ ରାଉତ, ପି ରୋଶନ କୁମାର ରାଓ (ୱିକେଟରକ୍ଷକ), ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଧୀରରାଜ ସିଂହ, ଦେବବ୍ରତ ପ୍ରଧାନ, ଶୁଭମ ନାୟକ, ରଂଜିତ ସିଂହ। ପ୍ରଶିକ୍ଷକ: ରଶ୍ମି ରଂଜନ ପରିଡ଼ା।

ସର୍ଭିସେସ୍ ଦଳ: ରଜତ ପଲିୱାଲ (ଅଧିନାୟକ), ଅଂଶୁଲ ଗୁପ୍ତା, ନଭନିତ୍ ସିଂହ, ରବି ଚୌହାନ, ନକୁଲ ବର୍ମା (ୱିକେଟରକ୍ଷକ), ରାହୁଲ ସିଂହ, ମୋହିତ ଅହଲାୱତ, ଅରୁଣ ବମଲ, ଦୀବେଶ ପଠାଣିଆ, ରୋଶନ ରାଜ, ସଚିଦାନନ୍ଦ ପାଣ୍ଡେ, ‌ଦେବେନ୍ଦ୍ର ଲୋଚାନ୍ଦ, ନିତିନ ତନୱାର, ଶିଭମ ତିୱାରୀ, ରାଜ ବାହାଦୂର, ପୁନମ ପୁନିଆ, ମୁଜାଫରଉଦ୍ଦିନ ଖଲିଦ, ଆକାଶ ଶର୍ମା।

ସମ୍ବନ୍ଧିତ ଖବର