ଭୁବନେଶ୍ବର: ରଣଜୀ ଟ୍ରଫି‌ର ୨୦୨୪-୨୫ ଋତୁରେ ଓଡ଼ିଶାର ଅଭିଯାନ ନିରାଶାଜନକ ଥିଲେ ମଧ୍ୟ ଗତ ଦୁଇ ରାଉଣ୍ଡରେ ଦଳ ବିଜୟୀ ହୋଇ କିଛି ସମ୍ମାନ ବଞ୍ଚାଇଛି। ଗୁରୁବାରଠାରୁ କଟକର ଟାଙ୍ଗୀସ୍ଥିତ ଡ୍ରିମ୍ସ ପଡ଼ିଆରେ ଅନ୍ତିମ ରାଉଣ୍ଡ୍‌ ମୁକାବିଲାରେ ଓଡ଼ିଶା ଖେଳିବ ସର୍ଭିସେସ୍‌ ସହିତ। ଉଭୟ ଦଳ ନକ୍ ଆଉଟ୍ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିବାରୁ କେବଳ ସମ୍ମାନ ରକ୍ଷା କରିବା ପାଇଁ ଖେଳିବେ। ଘରୋଇ ଓଡ଼ିଶା ହ୍ୟାଟ୍ରିକ୍ ବିଜୟ ସହ ଅଭିଯାନ ଶେଷ କରିବା ଆଶାରେ ରହିଛି।

Advertisment

ଓଡ଼ିଶା ଓ ସର୍ଭିସେସ୍‌ ମଧ୍ୟରେ ଖେଳାଯାଇଥିବା ପୂର୍ବ ୪ ରଣଜୀ ମୁକାବିଲା ଦେଖିଲେ ପରିସଂଖ୍ୟା‌ନରେ ଓଡ଼ିଶା ଆଗୁଆ ରହିଛି। ମୋଟ ୪ ମୁକାବିଲାରୁ ଓଡ଼ିଶା ଶେଷ ମୁକାବିଲାଟି ଜିତିଥିବାବେଳେ ପୂର୍ବ ୩ଟି ଡ୍ର’ ରହିଥିଲା। ଏହା ମଧ୍ୟରୁ ଉଭୟ ଦଳ ଥରେ ଲେଖାଏଁ ପାଳି ଅଗ୍ରଣୀ ନେଇଥିବାବେଳେ ଅନ୍ୟଟିରୁ ଉଭୟ ଦଳ ୧-୧ ପଏଣ୍ଟରେ ସନ୍ତୁଷ୍ଟ ହୋଇଥିଲେ। ୨୦୦୩ରେ ନୂଆଦିଲ୍ଲୀର ଏୟାର ଫୋର୍ସ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଅନ୍ୟୂନ ଗୋଟିଏ ଲେଖାଏଁ ପାଳି ଶେଷ ହୋଇପାରିନଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ ଭାଗ କରିଥିଲେ। ପ୍ରତିକୂଳ ପାଗ ଭିତରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସର୍ଭିସେସ୍‌ ପ୍ରଥମ ପାଳିରେ ୨୬୮ ରନ୍ କରିଥିଲା। ଦେବାଶିଷ ମହାନ୍ତି ୪, ଶ୍ରୀକାନ୍ତ ଜେନା ୩ ୱିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ଚତୁର୍ଥ ଦିନ ଖେଳ ବନ୍ଦ ବେଳକୁ ୧୭୩/୪ରେ ରହିଥିଲା। ଶିବସୁନ୍ଦର ଦାସ (୧୦୦*) ଶତକ ମାରିଥିଲେ। ଏହାର ୩ ବର୍ଷ ପରେ ୨୦୦୬ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମୁକାବିଲାରେ ଓଡ଼ିଶା ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ୍‌ ଅର୍ଜନ କରିଥିଲା। ସୌରଭ ସେହଗଲଙ୍କ ୪ ୱିକେଟ୍ ସଫଳତା ସହ ସର୍ଭିସେସ୍‌ ୩୪୬ ରନ୍ କରିଥିଲା। ଜବାବରେ ଓଡ଼ିଶା ୩୯୯ ରନ୍ ସଂଗ୍ରହ କରିଥିଲା। ହଳଧର ଦାସ (୮୬) ଓ ଦେବାଶିଷ ମହାନ୍ତି (୯୭) ସପ୍ତମ ୱିକେଟ୍‌ ପାଇଁ ୧୬୧ ରନ୍ ଯୋଡ଼ିବାରୁ ଏହା ସମ୍ଭବ ହୋଇଥିଲା। ଦେବାଶିଷ ରନ୍‌ ଆଉଟ୍ ହୋଇ ଶତକରୁ ବଞ୍ଚିତ ହୋଇଥିଲେ। ଦ୍ବିତୀୟ ପାଳିରେ ସର୍ଭିସେସ୍‌ ୩୭/୦ ସହ ମ୍ୟାଚ୍‌ ଶେଷ କରିବାରୁ ଓଡ଼ିଶା ୩ ପଏଣ୍ଟ୍ ନେଇଥିଲା। ଏହି ଦୁଇ ମୁକାବିଲା ପ୍ଲେଟ୍ ଗ୍ରୁପ୍‌ ଅନ୍ତର୍ଗତ ଥିଲା।

୧୨ ବର୍ଷ ପରେ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିଥିଲେ ଏଲିଟ୍ ଗ୍ରୁପ୍ ମୁକାବିଲାରେ। ନୂଆଦିଲ୍ଲୀରେ କଟକର ପ୍ରତିଶୋଧ ନେଇଯାଇଥିଲା ସର୍ଭିସେସ୍‌। ଅଭିଷେକ ରାଉତ (୫୬) ଓ ଅଧିନାୟକ ବିପ୍ଲବ ସାମନ୍ତରାୟ (୪୧)ଙ୍କ ପାଳି ସତ୍ତ୍ବେ ଓଡ଼ିଶା ପ୍ରଥମ ପାଳିରେ ମାତ୍ର ୧୭୭ ରନ୍ କରିଥିଲା। ଜବାବରେ ସର୍ଭିସେସ୍‌ ୪୧୭/୮ରେ ପାଳି ଘୋଷଣା କରିଥିଲା।  ଦ୍ବିତୀୟ ପାଳିରେ ଦେବାଶିଷ ସାମନ୍ତରାୟଙ୍କ ଶତକ (୧୦୨) ଓ ଅନୁରାଗ ଷଡ଼ଙ୍ଗୀ (୪୬*)ଙ୍କ ପାଳି ବଳରେ ଓଡ଼ିଶା ୨୫୬/୫ରେ ଚତୁର୍ଥ ଦିନ ଶେଷ କରିଥିଲା। ଶେଷ ଥର ପାଇଁ ୨୦୧୯ରେ କଟକରେ ଖେଳାଯାଇଥିବା ମୁକାବିଲାରେ ଓଡ଼ିଶା ପ୍ରଥମ ଥର ସିଧାସଳଖ ବିଜୟ ପାଇଥିଲା। ଏଲିଟ୍ ଗ୍ରୁପ୍‌ର ଏହି ମୁକାବିଲାକୁ ଓଡ଼ିଶା ଏକ ପାଳି ଓ ୩୧ ରନ୍‌ରେ ଜିତିଥିଲା। ବସନ୍ତ ମହାନ୍ତିଙ୍କ ୬ ୱିକେଟ୍ ଦଖଲ କାରଣରୁ ସର୍ଭିସେସ୍‌ ୨୭୧ ରନ୍‌ରେ ସୀମିତ ରହିଥିଲା। ଜବାବରେ ଓଡ଼ିଶା ୫୪୦ ରନ୍‌ର ବିଶାଳ ସ୍କୋର୍‌ ଛିଡ଼ା କରିଥିଲା। ଦେବାଶିଷ ସାମନ୍ତରାୟ (୧୯୫)ଙ୍କ ମାରାଥନ୍ ପାଳି ସାଙ୍ଗକୁ ବିପ୍ଳବ ସାମନ୍ତରାୟ (୭୩) ଏବଂ ନିମ୍ନକ୍ରମରେ ସୂର୍ଯ୍ୟକାନ୍ତ ପ୍ରଧାନ (୬୪), ଦେବବ୍ରତ ପ୍ରଧାନ (୫୭)ଙ୍କ ଅର୍ଦ୍ଧଶତକ ବଳରେ ଏହି ସ୍କୋର୍‌ ସଂଗୃହିତ ହୋଇଥିଲା। ଜବାବରେ ସର୍ଭିସେସ୍‌ ଦ୍ବିତୀୟ ପାଳିରେ ୨୩୮ ରନ୍ କରିଥିଲା। ରାଜେଶ ମହାନ୍ତି, ଅଭିଷେକ ରାଉତ ୩-୩ ୱିକେଟ୍ ଅକ୍ତିଆର କରିଥିଲେ।

ଓଡ଼ିଶା ଦଳ: ସ୍ବସ୍ତିକ ସାମଲ, ସନ୍ଦୀପ ପଟ୍ଟନାୟକ (ଅଧିନାୟକ), ଶାନ୍ତନୁ ମିଶ୍ର, ଗୋବିନ୍ଦ ପୋଦ୍ଦାର, ଆଶୀର୍ବାଦ ସ୍ବାଇଁ (ୱିକେଟରକ୍ଷକ), ରାଜେଶ ଧୂପର (ୱିକେଟରକ୍ଷକ), କାର୍ତ୍ତିକ ବିଶ୍ବାଳ, ଅନିଲ ପରିଡ଼ା, ସୁନିଲ କୁମାର ରାଉଳ, ରାଜେଶ ମହାନ୍ତି, ତରଣୀ ସାହା,  ତାପସ ଦାସ, ସୁମିତ ଶର୍ମା, ଜାମଲା ଭଞ୍ଜନ ମହାପାତ୍ର, ସତ୍ୟକାମ ଭରଦ୍ବାଜ, ବିଶ୍ବଭୂଷଣ ବିହାରୀ, ଆର୍ଯ୍ୟଶ୍ରୀ ଦେବାଶିଷ ଭଟ୍ଟ, ପ୍ରଶାନ୍ତ ରାଣା, ପପୁ ରୟ।

ବିରଳ କ୍ଲବ୍‌ରେ ଆଶୀର୍ବାଦ
ଭୁବନେଶ୍ବର(ସୁରେଶ ସ୍ବାଇଁ): ଓଡ଼ିଶା ରଣଜୀ ଦଳର ଯୁବ ୱିକେଟ୍‌ରକ୍ଷକ ଆଶୀର୍ବାଦ ସ୍ବାଇଁ ଏକ ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଗତ ସପ୍ତାହରେ ଶିଲଂରେ ଅନୁଷ୍ଠିତ ମେଘାଳୟ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ଆଶୀର୍ବାଦ ୱିକେଟ୍‌ ପଛପଟେ ୮ଟି କ୍ୟାଚ୍‌ ନେଇ ଓଡ଼ିଶାର ଅଗ୍ରଣୀ ଡିସମିସାଲ୍ କ୍ଲବ୍‌ରେ ଯୁଗ୍ମ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ମେଘାଳୟର ପ୍ରଥମ ପାଳିରେ ୩ ଓ ଦ୍ବିତୀୟ ପାଳିରେ ୫ କ୍ୟାଚ୍ ନେଇଥିବା ଆଶୀର୍ବାଦଙ୍କ ପୂର୍ବରୁ କେବଳ ଗୌତମ ଗୋପାଳ ସର୍ବାଧିକ ୯ ଡିସ୍‌ମିସାଲ୍ (କ୍ୟାଚ୍‌ ଓ ଷ୍ଟମ୍ପିଂ)  କରିଥିଲେ। ଗୌତମ ଏହି ସଫଳତା ୧୯୯୭-୯୮ ଋତୁରେ ବାରବାଟୀ ଷ୍ଟାଡିୟମ୍‌ରେ ଆସାମ ବିପକ୍ଷ ମୁକାବିଲାରେ ପାଇଥିଲେ। ଆଶୀର୍ବାଦଙ୍କ ପୂର୍ବରୁ ପାନ୍ନାଲାଲ୍ ବୋଷ (ବନାମ ତ୍ରିପୁରା, ବାରବାଟୀ ଷ୍ଟାଡିୟମ୍, ୧୯୮୭-୮୮) ଓ ଗୌତମ ଗୋପାଳ (ବନାମ ଆସାମ, ଗୁଆହାଟୀ, ୧୯୯୬-୯୭) ମଧ୍ୟ ଥରେ ଲେଖାଏଁ ୮ ଡିସମିସାଲ୍‌ କରିଥି‌ଲେ। ଗୌତମ ଗୋପାଳଙ୍କ ସହିତ ବିଷ୍ଣୁଦେବ ମହାନ୍ତି, ପ୍ରିୟବ୍ରତ ପ୍ରଧାନ, ହଳଧର ଦାସ ମଧ୍ୟ ନିଜ ଖେଳ ଜୀବନରେ ତୃତୀୟ ସର୍ବାଧିକ ୭ ଲେଖାଏଁ ଡିସମିସାଲ୍ କରିବାର ଗୌରବ ରଖିଛନ୍ତି। ଗୌତମ ଓ ହଳଧର ୨ ଥର ଲେଖାଏଁ ୭ ଡିସମିସାଲ୍ କରିଛନ୍ତି। ଗୋଟିଏ ପାଳିରେ ସର୍ବାଧିକ ୬ ଡିସ୍‌ମିସାଲ୍‌ କରିବାର ରେକର୍ଡ କିନ୍ତୁ ସୁଜିତ ଲେଙ୍କାଙ୍କ ନାମରେ ରହିଛି। ସୁଜିତ୍‌ ଡ୍ରିମ୍‌ସ ଗ୍ରାଉଣ୍ଡ୍‌ରେ ୨୦୧୯-୨୦ ଋତୁରେ ଜମ୍ମୁ ଓ କାଶ୍ମୀର ବିପକ୍ଷରେ ଏହି ସଫଳତା ପାଇଥିଲେ। ସେହିଭଳି ଜଣେ ୱିକେଟ୍‌ରକ୍ଷକ ଭାବେ ଖେଳ ଜୀବନରେ ସର୍ବାଧିକ ଡିସମିସାଲ୍ ରେକର୍ଡ ହଳଧର ଦାସ (୧୪୦) ଓ ଗୌତମ ଗୌପାଳ (୧୨୦)ଙ୍କ ନାମରେ ରହିଛି। ସର୍ବାଧିକ କ୍ୟାଚ୍‌ ରେକର୍ଡ ମଧ୍ୟ ହଳଧର (୧୩୦) ଓ ଗୌତମ (୧୦୮)ଙ୍କ ନାମରେ ରହିଛି।