ଭୁବନେଶ୍ବର: ଗୁଆହାଟୀରେ ରବିବାର ଶେଷ ହୋଇଥିବା ପ୍ରଥମ ଜାତୀୟ ପୂର୍ବାଞ୍ଚଳ ୧୭ ବର୍ଷରୁ କମ୍ ରୋଲ୍ ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଚମକ ଛାଡ଼ିଛି। ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ଫାଇନାଲ୍ରେ ହାରି ପ୍ରଥମ ଉପବିଜେତା ଗୌରବ ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ବାଳିକା ଦଳ ଲିଗ୍ ପର୍ଯ୍ୟାୟରେ ୧୩-୦ ଗୋଲ୍ରେ ମେଘାଳୟକୁ, ୫-୨ରେ ଛତିଶଗଡ଼କୁ, ୭-୨ରେ ବିହାରକୁ ପରାସ୍ତ କରିବା ପରେ ସେମିଫାଇନାଲ୍ରେ ଝାଡ଼ଖଣ୍ଡକୁ ୭-୬ରେ ମାତ୍ ଦେଇଥିଲେ। ଫାଇନାଲ୍ରେ କିନ୍ତୁ ଓଡ଼ିଶା ବାଳକମାନେ ୬-୯ରେ ଆସାମଠାରୁ ହାରିଯାଇଥିଲେ। ସେହିଭଳି ବାଳିକା ବିଭାଗରେ ଓଡ଼ିଶା ୪-୦ରେ ଝାଡ଼ଖଣ୍ଡକୁ, ୧୦-୦ରେ ମେଘାଳୟକୁ ପରାସ୍ତ କରିଥିବା ବେଳେ ସିକିମ୍ ସହ ଗୋଲଶୂନ୍ୟ ଡ୍ର’ ଏବଂ ଆସାମଠାରୁ ୦-୧ରେ ପରାସ୍ତ ହୋଇଥିଲେ।
ସେମିଫାଇନାଲ୍ରେ ଝାଡ଼ଖଣ୍ଡକୁ ୨-୦ରେ ହରାଇ ଦେଇଥିଲେ ମଧ୍ୟ ପୁଣି ଥରେ ଆସାମଠାରୁ ୧-୪ ଗୋଲ୍ରେ ହାରିଯାଇଥିଲେ। ଓଡ଼ିଶା ଦଳର କମଲ କ୍ରିଷ୍ଣା ଶ୍ରେଷ୍ଠ ଗୋଲକିପର୍ ଏବଂ ଆଟାକର୍ ପ୍ରୀତିଶ ଆର୍ଯ୍ୟନ ଜେନା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଖେଳାଳିଙ୍କ ସହିତ ଓଡ଼ିଶା ରୋଲ୍ ବଲ୍ ସଂଘ ସମ୍ପାଦକ ପାର୍ଥ ସାରଥି ଜେନା ଯାତ୍ରା କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।