ରାଉରକେଲା: ଉପକନିଷ୍ଠ ବାଳିକା ଜାତୀୟ ହକି ପ୍ରତିଯୋଗିତାରୁ ଓଡ଼ିଶା ଦୁଃଖଦ ବିଦାୟ ନେଇଛି। ଶନିବାର ହରିୟାଣା ବିପକ୍ଷ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ ମୁକାବିଲାରେ ଓଡ଼ିଶା ୧-୩ ଗୋଲ୍ରେ ସୁଟ୍ଆଉଟ୍ ହୋଇଛି। ଅନ୍ୟ ସେମିଫାଇନାଲ୍ରେ ଉତ୍ତରପ୍ରଦେଶକୁ ଝାଡ଼ଖଣ୍ଡ ୨-୧ ଗୋଲ୍ରେ ସୁଟ୍ଆଉଟ୍ କରି ଝାଡ଼ଖଣ୍ଡ ଫାଇନାଲ୍ରେ ପହଞ୍ଚିଯାଇଛି। ରବିବାର ଫାଇନାଲ୍ରେ ହରିୟାଣା ଓ ଝାଡ଼ଖଣ୍ଡ ମୁହାଁମୁହିଁ ହେବେ। ଫଳରେ ଓଡ଼ିଶା ତୃତୀୟ ସ୍ଥାନ ପାଇଁ ଉତ୍ତରପ୍ରଦେଶ ସହ ଖେଳିବ।
ଓଡ଼ିଶା ଓ ହରିୟାଣା ଦ୍ବିତୀୟ ସେମିଫାଇନାଲ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଉଭୟ ଦଳର ଆକ୍ରମଣ, ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ୧୫ତମ ମିନିଟ୍ରେ ହରିୟାଣା ଅଧିନାୟକ ପୂଜା ଏକ ଫିଲ୍ଡ ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ ଓଡ଼ିଶା ଖେଳାଳି ଘନଘନ ଆକ୍ରମଣ କରିଥିଲେ ମଧ୍ୟ ଗୋଲ୍ କରିପାରିନଥିଲା। ହେଲେ ୪୨ ତମ ମିନିଟ୍ରେ ଓଡ଼ିଶା ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା। ଏହାକୁ ଜ୍ୟୋତି ଖାଖା ସଫଳତାର ସହ ଗୋଲ୍ରେ ପରିଣତ କରି ସ୍କୋର୍କୁ ୧-୧ରେ ବରାବର ରଖିଥିଲେ। ଏହାପରେ ଉଭୟ ଦଳ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲେ ମଧ୍ୟ କେହି ଗୋଲ୍ ଦେବାରେ ସଫଳ ହୋଇପାରିନଥିଲେ।
ମ୍ୟାଚ୍ ଶେଷ ସୁଦ୍ଧା ସ୍କୋର୍ ୧-୧ରେ ଅମୀମାଂସିତ ରହିବାରୁ ସୁଟ୍ଆଉଟ୍ ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ହରିୟାଣା ୩-୧ରେ ଓଡ଼ିଶାକୁ ପରାସ୍ତ କରି ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ସେହିପରି ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମଧ୍ୟ ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ୍ ଶେଷ ସୁଦ୍ଧା ସ୍କୋର ୨-୨ ଗୋଲ୍ରେ ଅମୀମାଂସିତ ରହିବାରୁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ଝାଡ଼ଖଣ୍ଡ ୨-୧ ଗୋଲରେ ବାଜି ମାରିଥିଲା।