ଭୁବନେଶ୍ବର: ଓଡ଼ିଶା ସରକାର ରଗ୍ବି ଇଣ୍ଡିଆର ପ୍ରାୟୋଜକ ଅଛନ୍ତି। ଏଥିଲାଗି ବାର୍ଷିକ ସାଢ଼େ ପ୍ରାୟ ଚାରି କୋଟି ଟଙ୍କା ଖର୍ଚ୍ଚ ବି କରୁଛନ୍ତି। ହେଲେ ଜାତୀୟ ରଗ୍ବି ପ୍ରତିଯୋଗିତାରେ ରାଜ୍ୟ ଦଳ ଖେଳୁନି। ଏଭଳି ଅଭାବନୀୟ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ବାଲିୟର୍ରେ ଆରମ୍ଭ ହୋଇଥିବା ଜାତୀୟ ୧୫ବର୍ଷରୁ କମ୍ ରଗ୍ବି ସେଭେନ୍ସ ପ୍ରତିଯୋଗିତାରେ। ପ୍ରତିଯୋଗିତା ଖେଳାଯାଉଥିବା ଲକ୍ଷ୍ମୀବାଈ ଜାତୀୟ ଶାରୀରିକ ଶିକ୍ଷା ପ୍ରତିଷ୍ଠାନ ଷ୍ଟାଡିୟମ୍ ସୀମାରେଖାରେ ଓଡ଼ିଶା ପ୍ରାୟୋଜକ ଥିବାର ବୋର୍ଡ ଲାଗିଛି। ହେଲେ ଦୁଃଖର କଥା ଯେ ଏହି ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶା ଦଳ ସାମିଲ ନାହିଁ। ରାଜ୍ୟ କ୍ରୀଡ଼ା ବିଭାଗ ଯେତେବେଳେ କ୍ରୀଡ଼ା ବିକାଶ ପାଇଁ ସାରା ରାଜ୍ୟର ୩୧୪ ବ୍ଲକ୍ରେ ଷ୍ଟାଡିୟମ୍ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି, ସେତେବେଳେ ନିଜେ ପ୍ରାୟୋଜକ ଥିବା ଏକ ଜାତୀୟ ଓପନ୍ ପ୍ରତିଯୋଗିତାରେ ଓଡ଼ିଶା ଦଳ ନଖେଳିବା କ୍ରୀଡ଼ା ବିକାଶ ଲାଗି ସରକାରଙ୍କର ସତରେ କେତେ ଆନ୍ତରିକତା ଅଛି, ତାହାର ମୁଖା ଖୋଲି ଦେଇଛି। ପୁଣି ରାଜ୍ୟରେ ରଗ୍ବି ପରିଚାଳନା ଦାୟିତ୍ବରେ ଥିବା ଓଡ଼ିଶା ରଗ୍ବି ଫୁଟ୍ବଲ୍ ସଂଘ ଏହି ଖେଳର ବିକାଶ ଲାଗି କେତେ ଯତ୍ନବାନ, ତାହା ମଧ୍ୟ ସ୍ପଷ୍ଟ ବାରି ହେଉଛି। ସଂପ୍ରତି କୌଣସି ନା କୌଣସି କାରଣରୁ ସରକାର ଏବଂ ବିଭିନ୍ନ କ୍ରୀଡ଼ା ସଂଘ ମଧ୍ୟରେ ଯେ ସମନ୍ବୟର ଘୋର ଅଭାବ ସୃଷ୍ଟି ହୋଇଛି, ତାହା ମଧ୍ୟ ଜଳଜଳ ଦେଖାଯାଉଛି।
ଜାତୀୟ ୧୫ବର୍ଷରୁ କମ୍ ରଗ୍ବି ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବର୍ଗରେ ୨୧ଟି ଲେଖାଏଁ ଦଳ ଅଂଶଗ୍ରହଣ କରୁଛନ୍ତି। ଏଥିରେ ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଭଳି ଦଳ ଅଂଶଗ୍ରହଣ କରୁଥିଲା ବେଳେ ଜାତୀୟ ରଗ୍ବିରେ ସବୁବେଳେ ଭଲ କରି ଆସୁଥିବା ଓଡ଼ିଶା ଖେଳାଳିମାନେ ନିଜ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହେବାକୁ ଯାଉଛନ୍ତି। ସୂଚନା ଅନୁସାରେ ଜାତୀୟ କ୍ରୀଡ଼ା ପାଇଁ ଭୁବନେଶ୍ବରରେ ହୋଇଥିବା ପ୍ରଶିକ୍ଷଣ ଶିବିର ଅବସରରେ ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ବଛା ହୋଇଥିଲା। ଦଳ ଗ୍ବାଲିୟର୍ ପଠାଇବାର ଲାଗି ସବୁ ବ୍ୟବସ୍ଥା ମଧ୍ୟ ହୋଇଥିଲା। ରାଜ୍ୟ ସଂଘ ଏଥିଲାଗି ଆବଶ୍ୟକ ଅର୍ଥ ଯୋଗାଇବା ଲାଗି କ୍ରୀଡ଼ା ବିଭାଗକୁ ମଧ୍ୟ ଜଣାଇ ଥିଲା। କିନ୍ତୁ ଫାଇଲ୍ ଅଟକି ଯାଇଥିଲା। ଏହା ପରିବର୍ତ୍ତେ କ୍ରୀଡ଼ା ବିଭାଗ ପରବର୍ତ୍ତୀ ସମୟରେ ଆବଶ୍ୟକ ଅର୍ଥ ଭରଣା କରିବ ବୋଲି ଅଣଆନୁଷ୍ଠାନିକ ଭାବେ ସଂଘର କର୍ମକର୍ତ୍ତାଙ୍କୁ ଜଣାଇ ଦେଇଥିଲା। ରାଜ୍ୟ ସଂଘ ବି ବେପରୁଆ ଭାବେ ସମୟ ପୂର୍ବରୁ ଖେଳାଳିଙ୍କ ଟିକେଟ କରି ନଥିଲା। ଯାହା ଆଶ୍ଚର୍ଯ୍ୟର କଥା। କାରଣ କେବଳ ରାଜ୍ୟ ସଂଘ ନୁହେଁ, ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ରଗ୍ବି ଇଣ୍ଡିଆ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଅଙ୍କର ଅନୁଦାନ ପ୍ରଦାନ କରିଥାଏ। ତଥାପି ରାଜ୍ୟ ସଂଘ, ରାଜ୍ୟ ସରକାର କିମ୍ବା ରଗ୍ବି ଇଣ୍ଡିଆ ସହ ସମନ୍ବୟ ରକ୍ଷା କରି ଖେଳାଳିଙ୍କୁ ଗ୍ବାଲିୟର୍ ପଠାଇବାକୁ କାହିଁକି ବ୍ୟବସ୍ଥା କରାନଗଲା, ତାହା କ୍ରୀଡ଼ାପ୍ରେମୀଙ୍କୁ ବିସ୍ମିତ କରିଛି। ରାଜ୍ୟ କ୍ରୀଡ଼ା ବିଭାଗର ଅଧିକାରୀମାନେ ମଧ୍ୟ ଏହି ବିଷୟକୁ ଆଦୌ ଗୁରୁତ୍ବ ନଦେବା ପରିତାପର ବିଷୟ। ଯେଉଁଥି ପାଇଁ ଓଡ଼ିଶା ଖେଳାଳି ଏବେ ଜାତୀୟ ପ୍ରତିଯୋଗିତାରୁ ବଞ୍ଚିତ ହୋଇଛନ୍ତି।
ଏହି ପ୍ରସଙ୍ଗରେ ଜଣେ ଜଣାଶୁଣା ପ୍ରଶିକ୍ଷକ ତଥା ପୂର୍ବତନ ଖେଳାଳି ନିଜ ନାମ ଗୋପନ ରଖି କହିଛନ୍ତି, ଆମେ ଉପକନିଷ୍ଠ ରଗ୍ବିରେ ବେଶ୍ ଶକ୍ତିଶାଳୀ। ସେଥିପାଇଁ ଏଥର ଆମେ ଉଭୟ ବର୍ଗରେ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ଥିଲା। ହେଲେ ରାଜ୍ୟ ସଂଘ ଏବଂ ରାଜ୍ୟ ସରକାରଙ୍କ ବେପରୁଆ ନୀତି ଯୋଗୁ ଆମ ଖେଳାଳି ଏଭଳି ଏକ ଓପନ୍ ପ୍ରତିଯୋଗିତାରେ ଖେଳିବାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଛୋଟ ଛୋଟ ରାଜ୍ୟ ଦଳ ପଠାଉଥିଲା ବେଳେ ଓଡ଼ିଶା ରଗ୍ବି ଇଣ୍ଡିଆର ପ୍ରାୟୋଜକ ଥାଇ ମଧ୍ୟ ଓଡ଼ିଶା ଜାତୀୟ ପ୍ରତିଯୋଗିତାରେ ଖେଳି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ଆଗରୁ ଓଡ଼ିଶାରେ ୧୮ଟି ଜିଲ୍ଲା ରଗ୍ବି ଖେଳୁଥିଲେ। ଏବେ ଏହା ୬ରେ ପହଞ୍ଚିଲାଣି। ୧୨ଟି ଜିଲ୍ଲା ଆଉ ରଗ୍ବି ଖେଳୁ ନାହାନ୍ତି। ଯାହା ଅତ୍ୟନ୍ତ ଦୁଃଖର ବିଷୟ।
ଏଥିନେଇ ଓଡ଼ିଶା ରଗ୍ବି ଫୁଟବଲ୍ ସଂଘର ସଂପାଦକ ଉପେନ୍ଦ୍ର ମହାନ୍ତି କହିଛନ୍ତି, ଆମେ ସବୁବର୍ଷ ଭଳି ଏବର୍ଷ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କରି ଖେଳାଳି ବାଛିଥିଲୁ। କ୍ରୀଡ଼ା ବିଭାଗକୁ ଏହି ବିଷୟ ବି ଜଣାଇଥିଲୁ। କିନ୍ତୁ କୌଣସି କାରଣରୁ କଥା ଆଗେଇ ପାରି ନଥିଲା। ବିଭାଗ ସମ୍ଭବତଃ ଅନ୍ୟ କାମରେ ବ୍ୟସ୍ତ ରହିଲା। ଫଳରେ ଠିକଣା ସମୟରେ ରେଳ ଟିକେଟ୍ ହୋଇ ପାରି ନଥିଲା। ପରବତ୍ମର୍ତ୍ତୀ ସମୟରେ ଯେତେ ଚେଷ୍ଟା କଲେ ବି ଆଉ ଟିକେଟ୍ ମିଳି ନଥିଲା। ଏଣୁ ଦଳ ପଠାଇ ପାରିଲୁନି। କିନ୍ତୁ ଗୁଆହାଟୀରେ ହେବାକୁ ଥିବା ଜାତୀୟ କନିଷ୍ଠ ଏବଂ ବରିଷ୍ଠ ରଗ୍ବିକୁ ନିଶ୍ଚିତ ଭାବେ ଦଳ ପଠାଇବୁ। ଏଥିଲାଗି ଖୁବ୍ଶୀଘ୍ର ପ୍ରସ୍ତୁତି ଆରମ୍ଭ କରିବୁ। ଗତ ୨୦ବର୍ଷ ହେବ ଓଡ଼ିଶାରେ ରଗ୍ବିର ବିକାଶ ଲାଗି ସଂଘ ଲଢ଼ୁଛି। ହେଲେ ଆଜି ପର୍ଯ୍ୟନ୍ତ ଆମକୁ ପଡ଼ିଆଟିଏ ମିଳିଲାନି। ତାଛଡ଼ା ଛୋଟଛୋଟ ପିଲାଙ୍କୁ ଏତେବାଟ ଖେଳିବାକୁ ନେଇ ଯିବା ବହୁତ କଷ୍ଟକର। ପରୋକ୍ଷରେ ଶ୍ରୀ ମହାନ୍ତି କ୍ରୀଡ଼ା ବିଭାଗ ଉପରେ ହିଁ ଦୋଷ ଲଦିଛନ୍ତି।