ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ପୁରସ୍କୃତ: ମନ୍‌ପ୍ରୀତ, ରାଣୀଙ୍କୁ ବର୍ଷର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର

ଭୁବନେଶ୍ବର: ହକି ଇଣ୍ଡିଆ ପକ୍ଷରୁ ରବିବାର ତୃତୀୟ ବା‌ର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି। ମନ୍‌ପ୍ରୀତ ସିଂହ ଏବଂ ରାଣୀ ରାମପାଲ୍‌ଙ୍କୁ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳି ଭାବେ ଧ୍ରୁବ ବାତ୍ରା ପୁରସ୍କାର ମିଳିଥିଲା। ଏହି ବାବଦରେ ଉଭୟେ ୨୫ ଲକ୍ଷ ଟଙ୍କା ସହ ଟ୍ରଫି ପାଇଥିଲେ। ମେଜର ଧ୍ୟାନ ଚାନ୍ଦ ଜୀବନବ୍ୟାପୀ ସେବା ପୁରସ୍କାର ହରବିନ୍ଦର ସିଂହଙ୍କୁ ମିଳିଥିଲା। ସେ ୩୦ ଲକ୍ଷ ଟଙ୍କା ସହ ଟ୍ରଫି ପାଇଥିଲେ। ସେହିଭଳି ଉଦୀୟମାନ ଖେଳାଳି ପୁରସ୍କାର ବିବେକ ସାଗର ପ୍ରସାଦ (ପୁରୁଷ) ଏବଂ ଲାଲରେମସିଆମି (ମହିଳା)ଙ୍କୁ ମଳିଥିଲା। ଏହି ବାବଦରେ ଉଭୟେ ୧୦ ଲକ୍ଷ ଟଙ୍କା ଲେଖାଏଁ ସହ ଟ୍ରଫି ପାଇଥିଲେ। ମନଦୀପ ସିଂହ (ଶ୍ରେ‌ଷ୍ଠ ଅଗ୍ରଭାଗ), ନେହା ଗୋଏଲ (ଶ୍ରେଷ୍ଠ ମଧ୍ୟଭାଗ), ହରମନପ୍ରୀତ ସିଂହ (ଶ୍ରେଷ୍ଠ ରକ୍ଷଣଭାଗ) ଓ କ୍ରିଷନ ବି ପାଠକ (ଶ୍ରେ‌ଷ୍ଠ ଗୋଲ୍‌ରକ୍ଷକ)ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିଭଳି ମୂଲ୍ୟବାନ ସହଯୋଗ ପୁରସ୍କାର ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଏବଂ ଅତ୍ୟନ୍ତ ଉତ୍ତମ ଲକ୍ଷ୍ୟସାଧନ ପୁରସ୍କାର ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ମିଳିଥିଲା। ଏହି ବାବଦରେ ଉଭୟ ସଂସ୍ଥାକୁ ୫ ଲକ୍ଷ ଟଙ୍କା ଓ ଟ୍ରଫି ମିଳିଥିଲା।

ଏହି ଅବସରରେ ୨୦୧୯ ବର୍ଷରେ ବ୍ୟକ୍ତିଗତ ଭାବେ ସଫଳତା ପାଇଥିବା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଅର୍ଥରାଶି ପ୍ରଦାନ କରା ଯାଇଥିଲା। ବିଶ୍ବ କ୍ରୀଡ଼ା ଶ୍ରେଷ୍ଠ ଆଥ୍‌ଲେଟ୍‌ ପୁରସ୍କାରପ୍ରାପ୍ତ ରାଣୀ ରାମପାଲ ଓ ଏଫ୍‌ଆଇଏଚ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାରପ୍ରାପ୍ତ ମନପ୍ରୀତ ସିଂହଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ଏଫ୍‌ଆଇଏଚ୍‌ ଶ୍ରେଷ୍ଠ ଉଦୀୟମାନ ପୁରସ୍କାରପ୍ରାପ୍ତ ବିବେକ ସାଗର (ପୁରୁଷ) ଓ ଲାଲରେମସିଆମି (ମହିଳା)ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ପାଇଥିବା ଓଡ଼ିଆ ଝିଅ ଦୀପ ଗ୍ରେସ୍‌ ଏକ୍କା, ସବିତା ଓ କୋଥାଜିତ ସିଂହ ‌ଖଦାଙ୍ଗବାମଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଓ ଟ୍ରଫି ‌ମିଳିଥିଲା। ସେହିଭଳି ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂରଣ କରିଥିବା ହରମନପ୍ରୀତ ସିଂହ, ଲଲିତ କୁମାର ଉପାଧ୍ୟାୟ ଓ ନିକ୍କି ପ୍ରଧାନଙ୍କୁ ୫୦ ହଜାର ଟଙ୍କା ଲେଖ‌‌‌ାଏଁ ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର