ଭୁବନେଶ୍ବର: ଏଠାରେ ଚାଲିଥିବା ହିରୋ ଭାରତୀୟ ମହିଳା ଲିଗ୍ (ଆଇଡବ୍ଲୁଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ଶନିବାର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ସ୍ପୋର୍ଟସ ପରାଜୟ ବରଣ କରିଛି। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ କିକ୍ଷ୍ଟାର୍ଟ ଏଫ୍ସି (କର୍ଣ୍ଣାଟକ) ୧-୦ ଗୋଲ୍ରେ ହିଁ ଓଡ଼ିଶା ସ୍ପୋର୍ଟସକୁ ପରାସ୍ତ କରିଦେଇଛି। ଉଭୟ ଦଳର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ୯୦ ମିନିଟ ପର୍ଯ୍ୟନ୍ତ ମ୍ୟାଚ୍ ଗୋଲ୍ଶୂନ୍ୟ ରହିଥିଲା। ହେଲେ ୯୦ତମ ମିନିଟ୍ରେ ହିଁ ଅସିମ ରୋଜା ଦେବୀ ମ୍ୟାଚ୍ର ଏକମାତ୍ର ଗୋଲ୍ଟି ଦେଇ କିକ୍ଷ୍ଟାର୍ଟ ଏଫ୍ସିକୁ ବିଜୟ ଭେଟି ଦେଇଥିଲେ।
ଶନିବାରର ଅନ୍ୟ ଦୁଇଟି ମ୍ୟାଚ୍ରୁ ଗୋଟିକରୁ ଫଳ ମିଳିଥିଲା ବେଳେ ଅନ୍ୟଟି ଅମୀମାଂସିତ ରହିଥିଲା। କ୍ୟାପିଟାଲ ପଡ଼ିଆରେ ଗୋକୁଳମ୍ ଏଫ୍ସି ୯-୦ ଗୋଲ୍ର ବଡ଼ ବ୍ୟବଧାନରେ ହାନ୍ସ ମହିଳା ଫୁଟ୍ବଲ କ୍ଲବ୍କୁ ପରାସ୍ତ କରି ପୂର୍ଣ୍ଣ ପଏଣ୍ଟ ହାସଲ କରିଥିଲା। ଥିଲା। ଅନ୍ୟପକ୍ଷରେ ସପ୍ତମ ବାଟାଲିଅନ ପଡ଼ିଆରେ ଖେଳାଯାଇଥିବା ଫିଫା ସ୍ପୋର୍ଟସ (କୋଲାବା) ଏବଂ ସିର୍ଭଦେମ୍ ସ୍ପୋର୍ଟସ କ୍ଲବ୍ ମ୍ୟାଚ୍ ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଥିଲା। ଫଳରେ ଉଭୟ ଦଳ ପଏଣ୍ଟ୍ ଭାଗ କରିଥିଲେ।