ଓଡ଼ିଶା କ୍ରୀଡ଼ାରେ ନୂଆ ଅଧ୍ୟାୟ

କଳିଙ୍ଗ ଷ୍ଟାଡିୟମରେ ରବିବାର ଜାମସେଦପୁର ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ ସଫଳତାର ସହ ଶେଷ ହେବା ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଥିଲା। ନିକଟ ଅତୀତରେ ଏକାଧିକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ସାରା ବିଶ୍ୱରୁ ପ୍ରଶଂସା ସାଉଣ୍ଟିଥିବା ଓଡ଼ିଶା ପ୍ରଥମ ଥର ପାଇଁ କୌଣସି ପେସଦାର ଫୁଟବଲ୍‌ ଲିଗ୍‌ ଆୟୋଜକ ହେଲା। ହକି ଏବଂ ଦୌଡ଼କୁଦ ଭଳି ଫୁଟ୍‌ବ୍‌ଲକୁ ମଧ୍ୟ ଓଡ଼ିଶା କ୍ରୀଡ଼ାପ୍ରେମୀ ଅଜସ୍ର ଭଲ ପାଇବା ଅଜାଡ଼ିଦେଲେ। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅବଶ୍ୟ ପୂର୍ବରୁ ୧୯୬୭-୬୮, ୧୯୮୦-୮୧, ୧୯୯୩-୯୪ ଓ ୨୦୧୧-୧୨ କ୍ରୀଡ଼ା ଋତୁରେ ଘରୋଇ ଫୁଟ୍‌ବଲ୍‌ର ସବୁଠାରୁ ସମ୍ମାନଜନକ ‘ସନ୍ତୋଷ ଟ୍ରଫି’ ଆୟୋଜିତ ହୋଇଥିଲା ହେଲେ ପୂର୍ବରୁ କେବେବି ପେସାଦାର ଫୁଟ୍‌ବଲ୍‌ ଲିଗ୍‌ର କୌଣସି ମ୍ୟାଚ୍‌ ଖେଳା ଯାଇ ନଥିଲା। ରବିବାର କଳିଙ୍ଗ ଷ୍ଟାଡିୟମରେ ଆଇଏସଏଲ୍‌ ମ୍ୟାଚ୍‌ ଆୟୋଜନ ହେବା ପରେ ଫୁଟବଲ ଜଗତର ଏକ ଅଜଣା ଇଲାକାରେ ମଧ୍ୟ ଓଡ଼ିଶା ପାଦ ଥାପିଥିଲା। ପୁଣି ଜାମସେଦପୁର କଳିଙ୍ଗ ଷ୍ଟାଡିୟମକୁ ଘରୋଇ ପଡ଼ିଆ କରିବା ଓଡ଼ିଶା ଫୁଟ୍‌ବଲ୍‌ ପାଇଁ ନୂଆ କଥା ଥିଲା।

ଫୁଟ୍‌ବଲ୍‌ ଜ୍ୱର

ଭୁବନେଶ୍ୱର: ଦୌଡ଼କୁଦ ଓ ହକି ପରେ ରାଜଧାନୀ ଭୁବନେଶ୍ୱରକୁ ଫୁଟ୍‌ବଲ୍‌ ଜ୍ୱର ଗ୍ରାସିଲା। ଏସୀୟ ଦୌଡ଼କୁଦ ଏବଂ ହକି ବିଶ୍ୱଲିଗ୍‌ର ସଫଳ ଆୟୋଜନ ପରେ ରାଜଧାନୀ ଭୁବନେଶ୍ୱରର କ୍ରୀଡ଼ା ପ୍ରାଣକେନ୍ଦ୍ର କଳିଙ୍ଗ ଷ୍ଟାଡିୟମରେ ପେସାଦାର ଫୁଟ୍‌ବଲ୍‌ ମହାଆଡ଼ମ୍ବର ଏବଂ ଉଲ୍ଲସିତ ପରିବେଶ ମଧ୍ୟରେ ପଦାର୍ପଣ କଲା। ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ ଖେଳାଳି ଜଡ଼ିତ ଥିବା ଚର୍ଚିତ ଫୁଟବଲ୍‌ ଲିଗ୍‌ ଆଇଏସ୍‌ଏଲ୍‌ (ଇଣ୍ଡିଆନ୍‌ ସୁପର ଲିଗ୍‌)ର ଏକ ମ୍ୟାଚ୍‌ ପ୍ରଥମ ଥର ପାଇଁ ରବିବାର ରାତିରେ ଏଠାରେ ଖେଳାଗଲା। ହକି ଓ ଦୌଡ଼କୁଦ ଭଳି ସୁନ୍ଦର ଖେଳ ଭାବେ ପରିଚିତ ଫୁଟ୍‌ବଲ୍‌କୁ ମଧ୍ୟ ରାଜଧାନୀବାସୀ ହୃଦୟ ଖୋଲା ଭଲ ପାଇବା ଅଜାଡ଼ିଦେଲେ। ଶୁଭ ରବିବାରରେ ହିଁ ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଓ ଅଭିନବ ଅଧ୍ୟାୟ ଯୋଡ଼ି ହୋଇଗଲା। ଭାରତର ଉଦୀୟମାନ କ୍ରୀଡ଼ା କ୍ୟାପିଟାଲ ଭୁବନେଶ୍ୱର ଆଉ ଏକ ଲୋକପ୍ରିୟ ଖେଳ ମହୋତ୍ସବର ସଫଳ ଆୟୋଜକ ହେବାର ଗୌରବ ବହନ କଲା। ‘ଜମ୍‌କେ ଖେଲୋ ଜାମ୍‌ସେଦପୁର’ରେ କମ୍ପିଲା କଳିଙ୍ଗ ରବିବାର ମ୍ୟାଚ୍‌ର ଘଣ୍ଟାକ ପୂର୍ବରୁ ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମର ସୁସଜ୍ଜିତ ଓ ନବନିର୍ମିତ ଫୁଟ୍‌ବଲ୍‌ ପଡ଼ିଆକୁ ଓହ୍ଲାଇଥିଲେ। ଦର୍ଶକ ସେମାନଙ୍କୁ କର ତାଳିରେ ସ୍ୱାଗତ କରିଥିଲେ। ବିଶେଷ କରି ଜାମସେଦପୁର ଖେଳାଳିଙ୍କୁ କଳିଙ୍ଗ ଦର୍ଶକ ନିୟମିତ ଉତ୍ସାହିତ କରିଥିଲେ। ଅଭ୍ୟାସ ବେଳେ ମଧ୍ୟ ଦୁଇ ଦଳର ତାରକା ଖେଳାଳି ସୁନୀଲ ଛେତ୍ରୀ ଓ ସୁବ୍ରତ ପଲ୍‌ ମୁଖ୍ୟ ଆକର୍ଷଣ ଥିଲେ। ଦୁଇ ଦଳରେ ଥିବା ଅଧିକାଂଶ ଖେଳାଳି ସ୍ଥାନୀୟ ଦର୍ଶକଙ୍କ ମଧ୍ୟରେ ବିଶେଷ ପରିଚିତ ନଥିଲେ ମଧ୍ୟ ଦର୍ଶକମାନେ ସେମାନଙ୍କୁ ଉତ୍ସାହିତ କରିବାର କୌଣସି ସୁଯୋଗ ହାତଛଡ଼ା କରି ନଥିଲେ। ସେହିଭଳି ମ୍ୟାଚ୍‌ ପୂର୍ବରୁ ଜାମସେଦପୁରର ଥିମ୍‌ ସଙ୍ଗ ‘ଜମ୍‌କେ ଖେଲୋ ଜାମସେଦପୁର’ର ତାଳେ ତାଳେ କଳିଙ୍ଗ ଷ୍ଟାଡିୟମ୍‌ ଝୁମିଉଠିଥିଲା। ଓଡ଼ିଆ ସଂଗୀତ ଦୁନିଆର ସବୁଠାରୁ ଲୋକପ୍ରିୟ ଗୀତ ରଙ୍ଗବତୀ ମଧ୍ୟ କଳିଙ୍ଗ ଦର୍ଶକଙ୍କୁ ମତୁଆଲା କରିଥିଲା। ଦୁଇ ଦଳର ପାତାକା ପଡ଼ିଆକୁ ଆସିବା ପରେ ପ୍ରଥମେ ଜାମସେଦପୁର ଏବଂ ପରେ ବେଙ୍ଗାଲୁରୁ ଦଳ ପଡ଼ିଆକୁ ପ୍ରବେଶ କରିଥିଲେ। ତା’ ସହ ଦର୍ଶକଙ୍କ ଜେଏଫ୍‌ସି, ଜେଏଫ୍‌ସି ରଡ଼ିରେ କମ୍ପି ଉଠିଥିଲା କଳିଙ୍ଗ।

ଛେତ୍ରୀଙ୍କୁ ପାଇଥିବାରୁ ଭାରତ ଭାଗ୍ୟବାନ: ରୋକା

ଆମ ପିଲା ପୂରା ପ୍ରତିଯୋଗିତାରେ ଭଲ ଖେଳିଛନ୍ତି। ଯାହାକି ପ୍ରଥମ ଥର ଲାଗି ଆଇଏସ୍‌ଏଲ୍‌ରେ ଖେଳି ଶୀର୍ଷ ଦଳ ଭାବେ ସେମିଫାଇନାଲ୍‌ ପହଞ୍ଚିବା ଖୁସିର କଥା। ଶେଷ ମ୍ୟାଚ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ନଥିଲେ ମଧ୍ୟ ଜିତିବାକୁ ଚେଷ୍ଠା କରି ମନୋବଳ ଦୃଢ଼ ରଖିବୁ ବୋଲି ବିଜୟ ପରେ ବେଙ୍ଗାଲୁରୁ ପ୍ରଶିକ୍ଷକ ଅଲବର୍ଟ ରୋକା କହିଛନ୍ତି। ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲ୍‌କୁ ରୋକା ଉଚ୍ଚ ପ୍ରଶଂସା କରିଥିଲେ। ପ୍ରତି ମ୍ୟାଚ୍‌ରେ ସୁନୀଲ ଉନ୍ନତି କରୁଛନ୍ତି। ଭାରତ ତାଙ୍କ ଭଳି ଜଣେ ଅଧିନାୟକ ପାଇବା ଭାଗ୍ୟର କଥା ବୋଲି ସେ ପ୍ରକାଶ କରିଥିଲେ।

ବେଙ୍ଗାଲୁରୁ ଭଲ ଖେଳି ଜିତିଲା: କୋପେଲ ବେଙ୍ଗାଲୁରୁ ଆମଠାରୁ ଭଲ ଖେଳି ଜିତିଲା। ପ୍ରଥମାର୍ଧରେ ଆମେ ୪-୪-୨ ଖେଳିଥିଲୁ ଯାହା ଆମ ସପକ୍ଷରେ ଯାଇ ନଥିଲା। ସେମାନେ ଆମ ଉପରେ ଭାରି ପଡ଼ି ୨ ଗୋଲ୍‌ ଦେଇ ଅଗ୍ରଣୀ ନେଇଥିଲେ। ବିଶେଷ କରି ବେଙ୍ଗାଲୁରୁ ଦଳରେ ଥିବା ଡେଙ୍ଗା ଖେଳାଳି ଆମ ପାଇଁ ଅଡ଼ୁଆ ହୋଇଥିଲା ବୋଲି ମ୍ୟାଚ୍‌ ପରର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଜାମ୍‌ସେଦ୍‌ପୁର ଏଫ୍‌ସି ପ୍ରଶିକ୍ଷକ ଷ୍ଟିଫେନ୍‌ ଜେମ୍ସ କୋପେଲ୍‌।

ଖାଲି ଆତସବାଜୀ

ରବିବାର ମ୍ୟାଚ୍‌ ପାଇଁ ଦର୍ଶକ ଦୁଇ ଅଢ଼େ ଘଣ୍ଟା ପୂର୍ବରୁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିବା ଆରମ୍ଭ କରିଥିଲେ। ପୂରା ଭର୍ତି ହୋଇ ନଥିଲେ ମଧ୍ୟ ମ୍ୟାଚ୍‌ ବେଳେ ଦର୍ଶକଙ୍କ ସଂଖ୍ୟା ପ୍ରାୟ ୧୦,୦୦୦ରୁ ଅଧିକ ଥିଲା। ହେଲେ ଅଧିକାଂଶ ଦର୍ଶକ ହକି ବିଶ୍ୱ ଲିଗ୍‌ ଓ ଏସୀୟ ଦୌଡ଼କୁଦର ରଙ୍ଗା ରଙ୍ଗ ଉଦଘାଟନୀ ଉତ୍ସବକୁ ଝୁରି ଥିଲେ। ଏହି ଦୁଇ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଉଦଘାଟନୀ ବେଳେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମ ସେତେବେଳେ ଦର୍ଶକଙ୍କ ମନ ଛୁଇଁ ନେଇଥିଲା। ହେଲେ ରବିବାର ଆଇଏସଏଲ୍‌ ଆୟୋଜକ ଆତସବାଜୀରେ ହିଁ କାମ ଚଳାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କଲା ବେଳେ କେବଳ ଯାହା ଆତସବାଜୀରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପ୍ରଦ୍ୟୁଷଣ ମୁକ୍ତ ବ୍ୟାଟେରି ଗାଡ଼ିରେ ଷ୍ଟାଡିୟମକୁ ଆସିବା ପରେ ଜାତୀୟ ସଂଗୀତ ଗାନ ହୋଇଥିଲା। ଏହା ପରେ ସିଧାସଳଖ ମ୍ୟାଚ୍‌ ଆରମ୍ଭ ହୋଇ ଯାଇଥିଲା।

ଅଜାଡ଼ିଦେଲେ ଭଲ ପାଇବା
ହକି ଭଳି ଫୁଟ୍‌ବଲ୍‌କୁ ମଧ୍ୟ ରାଜଧାନୀବାସୀ ରବିବାର ହୃଦୟ ଖୋଲି ଭଲ ପାଇବା ଅଜାଡ଼ି ଦେଇଥିଲେ। ଜାମସେଦପୁର-ବେଙ୍ଗାଲୁରୁ ମ୍ୟାଚ୍‌ ଲାଗି ଯେତିକି ପ୍ରଚାର ପ୍ରସାର ହେବା କଥା ସମ୍ଭବତଃ ସେତିକି ହୋଇ ନଥିଲା। ତଥାପି ଷ୍ଟାଡିୟମର ଅଧିକାଂଶ ଭାଗ ପୂରି ଯାଇଥିଲା। ବଡ଼ ଗ୍ୟାଲେରି ଏବଂ ଅଧିକ ସଂଖ୍ୟକ ସିଟ୍‌ ଥିବାରୁ ହକି ଷ୍ଟାଡିୟମରେ ଯେତିକି ଗହଳି ଦେଖିବାକୁ ମିଳେ ସେତିକି ଅବଶ୍ୟ ଦେଖିବାକୁ ମିଳି ନଥିଲା। ତଥାପି ୭ ବର୍ଷର କୁନି ପିଲାଙ୍କଠାରୁ ଆରମ୍ଭ କରି ୭୦ ବର୍ଷର ବୃଦ୍ଧଙ୍କ ପର୍ଯ୍ୟନ୍ତ ସବୁ ପ୍ରକାର ଦର୍ଶକଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ ଗ୍ୟାଲେରିରେ ଦେଖିବାକୁ ମିଳିଥିଲା।

ଗୋଟିଏ ଫ୍ରେମ୍‌ରେ ଦୁଇ କିମ୍ବଦନ୍ତୀ

ରବିବାର ମ୍ୟାଚ୍‌ ବେଳେ ଭାରତୀୟ ଫୁଟ୍‌ବଲ୍‌ର ଦୁଇ ମହାନ ଖେଳାଳି ସୁବ୍ରତ ପଲ୍‌ ଏବଂ ସୁନୀଲ ଛେତ୍ରୀ ଏକାଠି ହୋଇଥିଲେ। ଉଭୟଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିବାକୁ ମିଳିଥିଲା। ଜାତୀୟ ଦଳର ଏହି ଦୁଇ ପୁରୁଣା ସାଥୀ ପରସ୍ପର ସହ କରମର୍ଦନ କରିବା ସହ ମ୍ୟାଚ୍‌ ପାଇଁ ଶୁଭେଚ୍ଛା ଦେଇ ନିଜ ମହାନତାର ପରିଚୟ ଦେଇଥିଲେ। ସୂଚନାଯୋଗ୍ୟ ଯେ ବାଇଚୁଙ୍ଗ ଭୂତିଆଙ୍କ ପରେ ସୁନୀଲ ଭାରତୀୟ ଫୁଟ୍‌ବଲ୍‌ର ସବୁଠାରୁ ପରିଚିତ ନାଁ ହୋଇଥିଲା ବେଳେ ସୁବ୍ରତ ଅନ୍ୟତମ ସଫଳ ଗୋଲ୍‌ ରକ୍ଷକ। ଅର୍ଜୁନ ପୁରସ୍କାର ପ୍ରାପ୍ତ ସୁବ୍ରତ ଭାରତ ପକ୍ଷରୁ ୬୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ସେହିଭଳି ସୁନୀଲ ଭାରତ ପକ୍ଷରୁ ୯୭ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୫୬ ଗୋଲ୍‌ ଦେବାର କୀର୍ତ୍ତିମାନ କରିଛନ୍ତି।

ସମ୍ବନ୍ଧିତ ଖବର