ଭୁବନେଶ୍ବର/ସମ୍ବଲପୁର : ଭୋପାଳରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତା ଲାଗି ୮ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ପୁରୁଷ ଦଳରେ ବିକାଶ ହରିପାଳ (ସମ୍ବଲପୁର), ଉପେନ୍ଦ୍ର ପୂଜାରି (ସମ୍ବଲପୁର) ଓ ଯଦୁ ବୁଦେକ (ଭୁବନେଶ୍ବର) ସ୍ଥାନ ପାଇଛନ୍ତି। ସେହିଭଳି ମହିଳା ଦଳରେ ପ୍ରତ୍ୟାଶା ରାୟ (ଭୁବନେଶ୍ବର), ସୋନିଆ ପଟେଲ (ଭୁବନେଶ୍ବର) ଓ ଅର୍ପିତା ସାହୁ (ସମ୍ବଲପୁର) ଅଛନ୍ତି। ରାଜେନ୍ଦ୍ର କୁମାର ମିଶ୍ର (ସୁନ୍ଦରଗଡ଼) ବାଳକ ଦଳର ପ୍ରବନ୍ଧକ ଓ ପ୍ରଶିକ୍ଷକ ଥିଲା ବେଳେ ଜେମା ପଟେଲ (ସମ୍ବଲପୁର) ମହିଳା ଦଳର ପ୍ରବନ୍ଧକ ଅଛନ୍ତି। ରାଜ୍ୟ ସ୍ତନ୍ତରଣ ପ୍ରତିଯୋଗିତାର ପ୍ରଦର୍ଶନ ଆଧାରରେ ଏହି ଖେଳାଳିମାନଙ୍କୁ ଚୟନ କରାଯାଇଛି।
ଜୟକୃଷ୍ଣ ବୈଷୟିକ ଅଧିକାରୀ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ଏନ୍ଆଇଏସ୍ ଡିପ୍ଲୋମାଧାରୀ ସନ୍ତରଣ ପ୍ରଶିକ୍ଷକ ଜୟକୃଷ୍ଣ ପଟେଲ ବୈଷୟିକ ଅଧିକାରୀ ଭାବେ ଯୋଗ ଦେବେ। ଜାତୀୟ ସନ୍ତରଣ ମହାସଂଘ ତାଙ୍କୁ ଏଥି ପାଇଁ ମନୋନୀତ କରିଛି। ବର୍ତ୍ତମାନ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ଯୁଗ୍ମ ସଂପାଦକ ଥିବା ଶ୍ରୀ ପଟେଲ ନିଜ ସମୟର ଜଣେ ସଫଳ ସନ୍ତରଣବିତ ଥିଲେ। ସନ୍ତରଣ ପ୍ରଶିକ୍ଷଣ କ୍ଷେତ୍ରରେ ତାଙ୍କର ଲମ୍ବା ଅଭିଜ୍ଞତା ରହିଛି ଓ ସେ ବର୍ତ୍ତମାନ କିଟ୍ ବିଶ୍ବବିଦ୍ୟାଳୟର ସନ୍ତରଣ ପ୍ରଶିକ୍ଷକ ଅଛନ୍ତି।