ସମ୍ବଲପୁର: ଜୁନ୍ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର କିଟ୍ ପରିସରରେ ପ୍ରଥମ ଜାତୀୟ ଜନଜାତି ଖେଳ ମହୋତ୍ସବ ୨୦୨୩ ଅନୁଷ୍ଠିତ ହେବ। ଏହାର ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବା ପାଇଁ କିଟ୍ ପରିସରରେ ହିଁ ୧୦ ଜଣିଆ ଓଡ଼ିଶା ଦଳ ମନୋନୀତ ହୋଇଛି। ମନୋନୀତ ଖେଳାଳିମାନେ ହେଲେ ପୁରୁଷରେ ରୋହିତ ଭତ୍ରା, ସାହିଲ ମାଝି, ଭାଡ଼ୁ ହାଁସ୍‌ଦା, ରାଜେଶ ସୋରେନ୍, କାହ୍ନୁ ସୋରେନ୍, ବତାଓ ବୁଡୁ ଏବଂ ମହିଳାରେ ରେଶମା ମାଝି, ଅଞ୍ଜଳି ମୁଣ୍ଡା, କୃଷ୍ଣପ୍ରିୟା ନାୟକ ଏବଂ ସ୍ମିତା ସ୍ମୃତି ସାହୁ। ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ଅନୁଷ୍ଠିତ ସନ୍ତରଣ ଚୟନ ଶିବିରରେ ମୋଟ ୨୦ ଜଣ ଭାଗ ନେଇଥିଲେ। ସନ୍ତରଣ ପ୍ରଶିକ୍ଷକ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼, ରାଜୁ ପ୍ରଧାନ, ଦୀପଙ୍କର ଦାସ, ଗୋଲାପମଣି ମହାନ୍ତ ପ୍ରତିଯୋଗିତା ଆୟୋଜନ କରିଥିଲେ। ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ସଭାପତି ପ୍ରଦୀପ ପାଢ଼ୀ ମନୋନୀତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଜନଜାତି ମହୋତ୍ସବରେ ସେମାନଙ୍କ ସଫଳତା କାମନା କରିଛନ୍ତି।

Advertisment

ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ ଭାରତୀୟ ସନ୍ତରଣ ମହାସଂଘର ଯୁଗ୍ମସଂପାଦକ
ସମ୍ବଲପୁର: ଓଡ଼ିଶାର ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ ଭାରତୀୟ ସନ୍ତରଣ ମହାସଂଘ (ଏସ୍‌ଏଫ୍‌ଆଇ)ର ଯୁଗ୍ମସଂପାଦକ ନିର୍ବାଚିତ ହୋଇଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ଏସ୍‌ଏଫ୍‌ଆଇର ବାର୍ଷିକ ସାଧାରଣ ପରିଷଦ ବୈଠକ ଅବସରରେ ମହାସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିବା ଶ୍ରୀ ମହାକୁଡ଼ ବିନା ପ୍ରତିଦ୍ବନ୍ଦ୍ବିତାରେ ସର୍ବସମ୍ମତିକ୍ରମେ ଜାତୀୟ କାର୍ଯ୍ୟକାରିଣୀକୁ ମନୋନୀତ ହେବା ସହ ଏସ୍‌ଏଫ୍‌ଆଇର ଯୁଗ୍ମସଂପାଦକ ନିର୍ବାଚିତ ହୋଇଥିଲେ। ସମ୍ବଲପୁର ବାସିନ୍ଦା ମହାକୁଡ଼ ବର୍ତ୍ତମାନ ଓଡ଼ିଶା ସନ୍ତରଣ ସଂଘର ଯୁଗ୍ମସଂପାଦକ ଅଛନ୍ତି। ସେ ପୂର୍ବତଟ ରେଳବାଇର ସନ୍ତରଣ ‌ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଜଣେ ଜାତୀୟସ୍ତରର ସନ୍ତରଣବିତ୍ ହୋଇଥିବା ବେଳେ ଅନେକବାର ଓଡ଼ିଶାର ପ୍ରତିନିଧିତ୍ବ କରିଛନ୍ତି। ସେ ମଧ୍ୟ ୧୯୯୬ ଓ ୯୭ରେ ମୁର୍ସିଦାବାଦରେ ଅନୁଷ୍ଠିତ ୮୧ କିଲୋମିଟର୍ ସମୁଦ୍ର ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ଜାତୀୟ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପଦକ ଜିତିଛନ୍ତି।