ଭୁବନେଶ୍ବର: ଓଡ଼ିଶା ଓ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଦଳ ଉତ୍ତରାଖଣ୍ଡରେ ଥିବା ୧୯,୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ମାଉଣ୍ଟ ରୁଦୁଗେରା ଆରୋହଣ କରିଛି। ଏହି ଦଳରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଚାରିଜଣ ଛାତ୍ର ଦୀନେଶ ବାରିକ, ଆୟୁଷ କୁମାର ପାତ୍ର, ଧନଞ୍ଜୟ ଖାଡ଼ିଆ ଓ ଦୀପକ କରୁଆଁଙ୍କ ସହ ନୂଆପଡ଼ା କଲେଜର ଜିତେନ ସାହୁ, ରିଷିଡ଼ା ମହାବିଦ୍ୟାଳୟର ଆର୍ତ୍ତତ୍ରାଣ ମିଶ୍ର, କରଲାପଡ଼ା ମହାବିଦ୍ୟାଳୟର ରମେଶ ଜାଲ, ପ୍ରଗତି ମହାବିଦ୍ୟାଳୟର ସ୍ମୃତିରଞ୍ଜନ ମାଝୀ, କେସିଙ୍ଗା ମହାବିଦ୍ୟାଳୟର ଆଦିତ୍ୟ ପ୍ରତାପ ନାୟକ ଏବଂ ଧର୍ମଗଡ ମହାବିଦ୍ୟାଳୟର ଅଭିମନ୍ୟୁ ଧଙ୍ଗଡ଼ାମାଝୀ, ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦ ନିର୍ଦ୍ଦେଶକ ଘନଶ୍ୟାମ ବେହେରା, ନାଭାଲ ଏନ୍ସିସି ଅଧିକାରୀ ନଳୀନିକାନ୍ତ ରଣା, ଏନ୍ଏସ୍ଏସ୍ ଅଧିକାରୀ ପ୍ରିୟ ରଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇଛନ୍ତି। କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ସିଂ ଦେଓ, କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଲାଷ. ଜି ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ।
ପର୍ବତାରୋହଣ ଦଳ ନିଜ ଅଭିଯାନ ଉତ୍ତରାଖଣ୍ଡର ଉତ୍ତରକାଶୀଠାରୁ ଆରମ୍ଭ କରି ହାରସିଲ, ଗଙ୍ଗୋତ୍ରୀ ଦେଇ ପ୍ରଥମେ ନାଲା କ୍ୟାମ୍ପ, ମାଉଣ୍ଟ ରୁଦୁଗେରା ବ୍ୟାସ କ୍ୟାମ୍ପ (୧୫୦୦୦ ଫୁଟ ଉଚ୍ଚତା)ରେ ପହଞ୍ଚିଥିଲା। ସେଠାରେ ୩ ଦିନ ରହିବା ପରେ ଗତ ୨୬ ତାରିଖ ସକାଳ ୫ଟାରୁ ଶିଖର ଚଢ଼ିବା ଆରମ୍ଭକରି ୭ ଘଣ୍ଟାର କଷ୍ଟକର ଅଭିଯାନ ପରେ ମାଉଣ୍ଟ ରୁଦୁଗେରା ଶିଖର ଛୁଇଁଥିଲା। ମାତ୍ରାଧିକ ଥଣ୍ଡା ସହିତ ବରଫ ପାତ ଏବଂ ଶିଖରରେ -୮ ଡିଗ୍ରୀରୁ -୧୦ ଡିଗ୍ରୀ ତାପମାତ୍ରା ପାଇଁ ଏହି ଅଭିଯାନ ବେଶ୍ ଆହ୍ବାନଭରା ଥିଲା। ପର୍ବତାରୋହୀ ଦଳ କଳାହାଣ୍ଡିର ମାଟି, ହାବସପୁରୀ କପଡ଼ା, ମା’ ମାଣିକେଶ୍ୱରୀଙ୍କ ଆଜ୍ଞାମାଳ, କଳାହାଣ୍ଡିର ଘୁମୁରା ସହିତ ଶିଖରରେ ପହଞ୍ଚିଥିଲେ। ଏଭରେଷ୍ଟ ବିଜୟୀ ଯୋଗବ୍ୟାସ ଭୋଇ ଏବଂ ଜାତୀୟସ୍ତରୀୟ ପର୍ବତାରୋହୀ ରୋମାଞ୍ଚଳ ଭୋଇଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସଂପାଦିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/sfhfshfhfhfhfhff.jpg)