ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ପ୍ରତିଯୋଗିତା ଲାଗି ସୋମବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ସଂଘ (କ୍ୟାଭି) ଆନୁକୂଲ୍ୟରେ ଚଳିତ ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ହାଇଟେକ୍‌ ମେଡିକାଲ କଲେଜ ପଡ଼ିଆରେ ଆୟୋଜିତ ଚୟନ ଶିବିରରୁ ଏହି ୧୪ ଜଣିଆ ଦଳ ବଛାଯାଇଛି ବୋଲି ସଂଘର ସଭାପତି ମହମ୍ମଦ ଜାଫର ଇକ୍‌ବାଲ କହିଛନ୍ତି। ଜାତୀୟ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ବେଙ୍ଗାଲୁରୁରେ ଚଳିତ ମାସ ୨୮ରୁ ମାର୍ଚ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିଲାଗି ଓଡ଼ିଶା ଦଳ ୨୫ ତାରିଖରେ ଏକ ଅଭ୍ୟାସ ମ୍ୟାଚ୍‌ ହାଇଟେକ୍‌ରେ ଖେଳି ୨୬ ତାରିଖରେ ବେଙ୍ଗାଲୁରୁ ଗସ୍ତ କରିବ। ୧୬ ଦଳକୁ ନେଇ ଟି-୨୦ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୧୬ ଦଳ ଅଂଶଗ୍ରହଣ କରିଛି। ଏହାକୁ ୪ ଟି ଗ୍ରୁପ୍‌ରେ ବିଭକ୍ତ କରଯାଇଛି। ପ୍ରତି‌ଗ୍ରୁପ୍‌ରେ ୪ ଦଳ ଲେଖାଏଁ ରହିଛନ୍ତି। ଓଡ଼ିଶା ଗ୍ରୁପ୍‌-ଏ’ରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ହାରିୟାଣା ସହ ରହଛି। ମାର୍ଚ ୧ରୁ ହାରିୟାଣା ବିପକ୍ଷରେ ପ୍ରଥମ ଲିଗ୍‌ ଖେଳିବା ପରେ ୨ରେ ମଧ୍ୟପ୍ରଦେଶ ଏବଂ ୩ରେ ମହାରାଷ୍ଟ୍ର ସହ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ। ୪ରେ ସେମିଫାଇନାଲ୍‌ ଏବଂ ୫ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ସୂଚନାଯୋଗ୍ୟ ପ୍ରଥମ ସଂସ୍କରଣ (୨୦୧୯)ରେ ଓଡ଼ିଶା ବିଜେତା ହୋଇଥିଲା ବେଳେ ଏଥର ବଜାୟ ରଖିବା ଅଶାରେ ରହିଛି।

ଓଡ଼ିଶା ଦଳ: ଲିନା ସ୍ବାଇଁ (ଅଧିନାୟିକା), ପଦ୍ମିନୀ ଟୁଡ଼ୁ, ଚିତା ମାରାଣ୍ଡି, ଏସ୍‌ ପୁଷ୍ପା, ମାମିନା ନାୟକ, ପତନୀ ସିଂହ, ସୁଲୋଚନା ସିଂହ, ବାସନ୍ତୀ ହାଂସ୍‌ଦା, ଫୁଲ ସୋରେନ, ଝିଲ୍ଲୀ ବେରୁଆ, ରଚନା ଜେନା, ଗୁରୁବାରି ବନରା, ପାବର୍ତୀ ଟୁଡ଼ୁ, ସୁଖରାମ ମାଝୀ (ପ୍ରଶିକ୍ଷକ), ଅର୍ପିତା ମହାପାତ୍ର (ମାର୍ଗଦର୍ଶକ ଓ ପ୍ରବନ୍ଧକ)।

ସମ୍ବନ୍ଧିତ ଖବର