ଜାତୀୟ ବାଳକ ହକି ପାଇଁ ଓଡ଼ିଶା ଦଳ

କଟକ: ଛତିଶଗଡ଼ର ରାଇପୁରଠାରେ ଜାତୀୟ ଉପକନିଷ୍ଠ ହକି ପ୍ରତିଯୋଗତା ଆୟୋଜିତ ହେବ। ଏଥିପାଇଁ ୧୮ ଜଣିଆ ଓଡ଼ିଶା ବାଳକ ଦଳ ଘୋଷଣା କରାଯାଇଛି। ଲାବନ ଲୁଗୁନ୍‌ଙ୍କ ନେତୃତ୍ବରେ ଘୋଷିତ ଦଳରେ ପ୍ରୟାସ ସୋନି ଓ ମିଲନ ଭୂୟାଁ ଗୋଲ୍‌ରକ୍ଷକ ଦାୟିତ୍ବରେ ରହିବେ। ରାଉରକେଲା କ୍ରୀଡ଼ା ଛାତ୍ରାବାସରେ ଶେଷ ହୋଇଥିବା ଚୟନ ଶିବିରରୁ ଉକ୍ତ ଖେଳାଳିଙ୍କୁ ମନୋନୀତ କରାଯାଇଛି। ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ୧୧ ତାରିଖରେ ଆନ୍ଧ୍ର ପ୍ରଦେଶକୁ ଭେଟିବ। ଏହାପରେ ୧୨ ତାରିଖରେ ନାମଧାରୀ ଏକାଦଶ, ୧୪ ତାରିଖରେ ପଞ୍ଜାବ, ୧୬ ତାରିଖରେ ତାମିଲନାଡୁ ବିପକ୍ଷରେ ଓଡ଼ିଶା ମ୍ୟାଚ ଖେଳିବ। ୨୨ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ। ଓଡ଼ିଶା ଦଳ ଗୁରୁବାର ରାଉରକେଲାରୁ ରାଇପୁର ଯାତ୍ରା କରିଛି।

ଓଡ଼ିଶା ଦଳ: ପ୍ରୟାସ ସୋନି, ଲାବନ ଲୁଗୁନ୍‌, ଅମନ ତିର୍କି, ଜର୍ଜ ତିର୍କି, ବିନୋଦ କିସ୍‌ପୋଟା, ପାଉଲୁସ୍‌ ଲାକ୍ରା, ମିଲନ ଭୂୟାଁ, ନିଲେସ ବାର୍ଲା, ଦୀପକ ଏକ୍କା, ବିକାଶ ଏକ୍କା, ଆଦରୋଇତ୍‌ ଏକ୍କା, ସ˚ଜୟ ଏକ୍କା, ରୋଶନ କୁଜୁର, ରାଜମୋନ ତେଲି, ପ୍ରତାପ ଟପ୍ପୋ, ପ୍ରବୀଣ ଇନ୍ଦଵାର, ଆଶିଷ ଖେସ୍‌, ମୁକେଶ ଟପ୍ପୋ।

ନିଶାନ ଟିଓ
ଭୁବନେଶ୍ବର: ରାୟପୁରରେ ଚଳିତ ମାସ ୧୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଜାତୀୟ ଉପକନିଷ୍ଠ ହକି (ଏ’ ଡିଭିଜନ୍)ରେ ଓଡ଼ିଶାର ନିଶାନଜ୍ୟୋତି ମହାନ୍ତି ବୈଷୟିକ ଅଧିକାରୀ (ଟିଓ) ନିଯୁକ୍ତ ‌ହୋଇଛନ୍ତି। ହକି ଇଣ୍ଡିଆ ପ୍ରଥମ ଥର ପାଇଁ ତାଙ୍କୁ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଟିଓ ଦାୟିତ୍ବ ପ୍ରଦାନ କରିଛି। ନିକଟରେ ମାଲେସିଆର ଇପୋଠାରେ ଆୟୋଜିତ ସୁଲତାନ ଆଜଲାନ ସାହା ହକି ପ୍ରତିଯୋଗିତାରେ ନିଶାନ ମଧ୍ୟ ଟିଓ ଦାୟିତ୍ବ ତୁଲାଇଥିଲେ। ଖୋଲୋ ଇଣ୍ଡିଆ ହକି ପ୍ରତିଯୋଗିତାର ଟିଓ ସହ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ସେ ଅମ୍ପାୟାର ଦାୟିତ୍ବ ତୁଲାଇ ସାରିଛନ୍ତି। ଏହି ସଫଳତା ଲାଗି ହକି ଓଡ଼ିଶାର ସଂପାଦକ ପ୍ରତାପ ଶତପଥୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର