ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତରେ ଆୟୋଜିତ ହେଉଥିବା ଟ୍ବେଣ୍ଟି-୨୦ ଲିଜେଣ୍ଡ ଲିଗ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶାର ଏକ ଦଳ ଅଂଶଗ୍ରହଣ କରିବାକୁ ଯାଉଛି। ଓଡ଼ିଶାର ସନ୍‌ପ୍ରିୟା ଗ୍ରୁପ୍‌ ଏହି ଲିଗ୍‌ରେ ଗୋଟିଏ ଦଳର ମାଲିକାନା ହାସଲ କରିଛି। ଏହାର ନାମ ରଖିଛି ‘କୋଣାର୍କ ସୂରୢାସ ଓଡ଼ିଶା’। ପୂର୍ବରୁ ଏହି ଦଳର ନାମ ଭିଲୱାର କିଙ୍ଗ୍ସ ଥିଲା। ଏହି ଲିଗ୍‌ର ଆଗାମୀ ସଂସ୍କରଣରେ କୋଣାର୍କ ସୂରୢାସ ଓଡ଼ିଶା ସହ ଇଣ୍ଡିଆ କ୍ୟାପିଟାଲ୍ସ, ଗୁଜରାଟ ଜ‌ାଏଣ୍ଟସ୍‌, ମଣିପାଲ ଟାଇଗର୍ସ, ସଦର୍ନ ସୁପର ଷ୍ଟାର୍ସ ଓ ଅର୍ବନରାଇଜର୍ସ ହାଇଦ୍ରାବାଦ ଅଂଶଗ୍ରହଣ କରୁଛନ୍ତି। ଏହି ୬ ଦଳକୁ ନେଇ ମୋଟ ୨୫ ମ୍ୟାଚ୍‌ ଖେଳାଯିବ। ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍‌ରେ ପହଞ୍ଚିବେ। ଏହା ଚଳିତ ମାସ ୨୦ ତାରିଖରୁ ଏହି ଲିଗ୍‌ ଆରମ୍ଭ ହେବ। ଫାଇନାଲ୍‌ ମ୍ୟାଚ୍‌ ଅକ୍ଟୋବର ୧୬ରେ ଖେଳାଯିବ। ମ୍ୟାଚ୍‌ଗୁଡ଼ିକ ଯୋଧପୁର, ସୁରଟ, ଜମ୍ମୁ ଓ କାଶ୍ମୀରରେ ଖେଳାଯିବ। କୋଣାର୍କ ସୂରୢାସ ଓଡ଼ିଶା ଉଦ୍‌ଘାଟନୀ ଦିବସରେ ଯୋଧପୁରରେ ମଣିପୁର ଟାଇଗର୍ସ ବିପକ୍ଷ‌ରୁ ଅଭିଯାନ ଆରମ୍ଭ କରିବ। କୋଣାର୍କ ସୂରୢାସ ଓଡ଼ିଶାର ଅଧିନାୟକ ଭାବେ ଭାରତର ପୂର୍ବତନ ଅଲ୍‌ରାଉଣ୍ଡର ଇର୍ଫାନ ପଠାନ ରହିଛନ୍ତି। ଏହି ଦଳରେ ଓଡ଼ିଶାରୁ ନଟରାଜ ବେହେରା ସାମିଲ ହେବାର ସମ୍ଭାବନା ରହିଛି।

Advertisment

ଶୁକ୍ରବାର ଭୁବନେଶ୍ବରସ୍ଥିତ ଏକ ତାରକା ‌‌ହୋଟେଲରେ ‘କୋଣାର୍କ ସୂରୢାସ ଓଡ଼ିଶା’ର ଲୋଗୋ ଉନ୍ମୋଚିତ ହୋଇଛି। ଏହି ଉତ୍ସବରେ ଓଡ଼ିଶା କ୍ରିକେଟ୍‌ ସଂଘ ସମ୍ପାଦକ ସଂଜୟ ବେହେରା, ଦଳର ମାଲିକ ତଥା ସନ୍‌ପ୍ରିୟା ଗ୍ରୁପ୍‌ ଅଧ୍ୟକ୍ଷ ସଂଜୀବ ଶ୍ରୀବାସ୍ତବ, ଅଧିନାୟକ ଇର୍ଫାନ ପଠାନ, ଖେଳାଳି ବିନୟ କୁମ‌ାର, ଶାହବାଜ ନଦୀମ, ରାଜେଶ ବିଷ୍ଣୋଇ, ପୂର୍ବତନ କ୍ରିକେଟର ସତ୍ୟରଞ୍ଜନ ଶତପଥୀ, ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ, ଦୂତି ଚାନ୍ଦ, ପାରାଲିମ୍ପିଆନ୍‌ ପ୍ରମୋଦ ଭଗତ, ଫୁଟ୍‌ବଲର୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା, ଓଲିଉଡ୍‌ ତାରକା ସବ୍ୟସାଚୀ, ଅର୍ଚିତା, କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ସୁସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅଧିନାୟକ ଇର୍ଫାନ କହିଲେ ଯେ ‘‘ଲିଜେଣ୍ଡ୍‌ ଲିଗ୍‌ କ୍ରିକେଟ୍‌ରେ ଅନେକ ଅନ୍ତର୍ଜାତୀୟ ଖେଳାଳି ଖେଳିଛନ୍ତି। ଏଭଳି ଏକ ପ୍ଲାଟ୍‌ଫର୍ମରେ ଓଡ଼ିଶା ଆଜି ସାମିଲ ହୋଇଛି। ଲିଗ୍‌ରେ ‘କୋଣାର୍କ ସୂରୢାସ୍‌’ ନିଶ୍ଚିତ ଭଲ କରିବ। ଚାପକୁ କିପରି ନିୟନ୍ତ୍ରଣ କରିବା ‌ପ୍ରଶ୍ନ‌ର ଉତ୍ତ‌ରରେ ସେ ମହେନ୍ଦ୍ର ସିଂହ ଧୋନି ଉଦାହରଣ ଦେଇ କହିଲେ, ଯେତେ ବଡ଼ ଚାପ‌ ଥିଲେ ଧୋନି ସର୍ବଦା ନିଜକୁ ଶାନ୍ତ ରଖନ୍ତି। ମୁଁ ଏହା ତାଙ୍କଠୁ ଶିଖିଛି। ବ୍ୟାଟିଂ କଲା ବେଳେ ବୋଲର ପାଖରେ ବଲ୍‌ ପକାଇବାକୁ ଅନେକ ବିକଳ୍ପ ଥାଏ। ଆମେ ସବୁ ବିକଳ୍ପକୁ ଚିନ୍ତା କଲେ, ଚାପରେ ପଡ଼ୁ। ତେଣୁ ବଲ୍‌ କେମିତି ଆସିବ ସେହି ‌ଅନୁସାରେ ଖେଳୁ। ଚାପ ଆସିଲେ ଅଧିକ ନ ଭାବି ତାହାକୁ ନିୟନ୍ତ୍ରଣ କରି ନିଜକୁ ଥଣ୍ଡା ରଖିଲେ ଏହା ଆପେ ଆପେ ଚାଲିଯାଏ’’।

ସନ୍‌ପ୍ରିୟା ଗ୍ରୁପ ଓ ଆସୋଟେକ୍‌ ମିଳିତ ଭାବେ ଓଡ଼ିଶାରେ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଷ୍ଠାନ ସୃଷ୍ଟି କରିବାର ଲକ୍ଷ୍ୟ ରଖିଥିବା ନେଇ ଶ୍ରୀବାସ୍ତବ କହିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସହାୟତା ଲାଗି ତାଙ୍କ କମ୍ପାନି ‘ମଲ୍ଟି-ସ୍ପୋର୍ଟ୍ସ ସେଣ୍ଟର ଅଫ୍ ଏକ୍ସଲେନ୍ସ’ ଗଠନ କରିବ। ଏହା ଭୁବନେଶ୍ୱରସ୍ଥିତ ଅସୋଟେକ୍ ୱାର୍ଲ୍ଡ ଟାଉନସିପ୍‌ରେ ଥିବା ସ୍ପୋର୍ଟ୍ସ ହବ୍‌ରେ ଖୋଲାଯିବ। କୋଣାର୍କ ସୂରୢାସ ଓଡ଼ିଶା ଦଳ: ଇର୍ଫାନ ପଠାନ (ଅଧିନାୟକ), ୟୁସୁଫ ପଠାନ, ଅମ୍ବାତି ରାୟୁଡ଼ୁ, ବିନୟ କୁମାର, ଶାହବାଜ ନଦୀମ, ରାଜେଶ ବି‌ଷ୍ଣୋଇ, ପ୍ରବୀଣ ତାମ୍ବେ, ଦିବେଶ ପଠାନିଆ, କେପି ଅପ୍ପନ୍ନା (ଭାରତ), କେଭିନ ଓ’ବ୍ରାଏନ (ଆୟର୍ଲାଣ୍ଡ), ରସ ଟେଲର, ଜେସି ରାଇଡର (ନ୍ୟୁଜିଲାଣ୍ଡ), ରିଚାର୍ଡ ଲେଭି (ଦକ୍ଷିଣ ଆଫ୍ରିକା), ନବୀନ ଷ୍ଟିୱାର୍ଟ, ଫିଡେଲ ଏଡୱାର୍ଡ୍ସ, ଖ୍ରିଷ୍ଟୋଫର ବର୍ଣ୍ଣୱେଲ (ୱେଷ୍ଟ୍‌ଇଣ୍ଡିଜ୍‌), ଦିଲସାନ ମୁନାୱିରା (ଶ୍ରୀଲଙ୍କା), ବେନ୍‌ ଲାଫିନ୍‌ (ଅଷ୍ଟ୍ରେଲିଆ)।