କଟକ: ଆସନ୍ତା ଜାନୁଆରି ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିସିସିଆଇର ଘରୋଇ ପ୍ରତିଯୋଗିତା ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ ପାଇଁ ଗୁରୁବାର ୨୦ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଶୁଭ୍ରା˚ଶୁ ସେନାପତିଙ୍କ ନେତୃତ୍ବରେ ଘୋଷିତ ଦଳରେ ୯ ଜଣ ନୂଆ ମୁହଁ ସାମିଲ ହୋଇଛନ୍ତି। ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ରେ ପ୍ରଭାବୀ ପ୍ରଦର୍ଶନ ଦେଇଥିବା ଆଦିତ୍ୟ ରାଉତ, ଗୌରବ ଚୌଧୁରୀ, ସୁକେଶ ହୀରା, ଵାଲ୍ଟର ଟପ୍ପୋ, ପ୍ରବୀଣ ଲୋହା, ତାରିଣୀ ସ’, ଅଙ୍କିତକର ଜୈସ୍ବାଲ, ସୁନୀଲ କୁମାର ରାଉଳ, ଆଶିଷ ରାଏ ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ରାଜ୍ୟ ଦଳରେ ସାମିଲ ହୋଇଛନ୍ତି। ରାଜେଶ ଧୂପରଙ୍କ ସହ ପ୍ରବୀଣ ଦ୍ବିତୀୟ ଵିକେଟ୍ ରକ୍ଷକ ଭାବେ ଦଳରେ ସ୍ଥାନ ପାଇଛନ୍ତି।
ଓଡ଼ିଶାକୁ ଏଲିଟ୍ ଗ୍ରୁପ୍ରେ ରଖାଯାଇଥିଲା ବେଳେ ଏହି ଗ୍ରୁପ୍ରେ ବେଙ୍ଗଲ, ହାଇଦ୍ରାବାଦ, ତାମିଲନାଡୁ, ଝାଡ଼ଖଣ୍ତ, ଆସାମ ସ୍ଥାନ ପାଇଛନ୍ତି। ଏହି ଗ୍ରୁପ୍ର ସମସ୍ତ ମ୍ୟାଚ୍ କୋଲକାତାରେ ଖେଳାଯିବ। ଜାନୁଆରି ୧୦ ତାରିଖରେ ବେଙ୍ଗଲ, ୧୨ ତାରିଖରେ ହାଇଦ୍ରାବାଦ, ୧୪ ତାରିଖରେ ତାମିଲନାଡୁ, ୧୬ରେ ଝାଡ଼ଖଣ୍ତ, ୧୮ରେ ଆସାମ ବିପକ୍ଷରେ ଓଡ଼ିଶା ମ୍ୟାଚ୍ ଖେଳିବ। ଜାନୁଆରି ୨୬ ଓ ୨୭ ତାରିଖରେ କ୍ବାର୍ଟର ଫାଇନାଲ୍, ୨୯ ତାରିଖରେ ସେମି ଫାଇନାଲ୍ ଓ ୩୧ ତାରିଖରେ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ନକ୍ଆଉଟ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଅହମ୍ମଦାବାଦ୍ରେ ଖେଳାଯିବ। ଓଡ଼ିଶା ଦଳ ୨ ତାରିଖ ସୁଦ୍ଧା କୋଲକାତାରେ ପହଞ୍ଚିବ। ସେଠାରେ ପହଞ୍ଚିବା ପରେ ସମସ୍ତ ଖେଳାଳି ଓ ଦଳୀୟ ସଦସ୍ୟମାନଙ୍କର କରୋନା ପରୀକ୍ଷା କରାଯିବ। ଜାନୁଆରି ୨, ୪ ଓ ୬ ତାରିଖରେ ତିନିଟି ପର୍ଯ୍ୟାୟରେ କରୋନା ପରୀକ୍ଷା ହେବ। ଏଥିସହିତ ଓଡ଼ିଶା ଯଦି ନକ୍ଆଉଟରେ ପ୍ରବେଶ କରେ, ତାହେଲେ ଜାନୁଆରି ୨୦ ଓ ୨୨ ତାରିଖରେ ଆଉ ଦୁଇଥର କରୋନା ପରୀକ୍ଷା କରାଯିବ।
ଓଡ଼ିଶା ଦଳ: ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ପ୍ରତୀକ ଦାସ, ଶାନ୍ତନୁ ମିଶ୍ର, ଅଙ୍କିତ ଯାଦବ, ଆଦିତ୍ୟ ରାଉତ, ଗୌରବ ଚୌଧୁରୀ, ସୁକେଶ ହୀରା, ଵାଲ୍ଟର ଟପ୍ପୋ, ରାଜେଶ ଧୂପର, ପ୍ରବୀଣ ଲୋହା, ସୂର୍ଯ୍ୟକାନ୍ତ ପ୍ରଧାନ, ସର୍ବେଶ୍ବର ମହାନ୍ତି, ତାରିଣୀ ସ’, ପପୁ ରାୟ, ଅଙ୍କିତକର ଜୈସ୍ବାଲ, ରାଜେଶ ମହାନ୍ତି, ସୁନୀଲ କୁମାର ରାଉଳ, ଆଶିଷ ରାଏ।