ଭୁବନେଶ୍ବର: ସାତ ବର୍ଷର ବ୍ୟବଧାନ ପରେ ଫେରିଥିବା ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ର ଖେଳାଳି ନିଲାମ ଶେଷ ହୋଇଛି। ଏବେ ‌ଦଳୀୟ ସନ୍ତୁଳନ, ରଣନୀତି ପ୍ରସ୍ତୁତି ଓ ତାଳମେଳ ଉପରେ ଅଧିକାରୀ, ପ୍ରଶିକ୍ଷକ ଓ ବିଶେଷଜ୍ଞଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଲିଗ୍‌ର ପୁରୁଷ ବର୍ଗରେ ଖେଳିବାକୁ ଥିବା ୮ଟି ଦଳ ମଧ୍ୟରୁ କଳିଙ୍ଗ ଲାନ୍‌ସର୍ସ ରୂପରେ ଗୋଟିଏ ଓଡ଼ିଶା ଭିତ୍ତିକ ଦଳ ଥିଲା ବେଳେ ଓଡ଼ିଆ ବ୍ୟବସାୟୀ ତାରିଣୀ ପ୍ରସାଦ ମହାନ୍ତିଙ୍କ ମାଲିକାନାରେ ‘ଟିମ୍ ଗୋନାସିକା’ ନାମକ ଆଉ ଏକ ଦଳ ପ୍ରଥମ ଥର ପାଇଁ ଏଚ୍‌ଆଇଏଲ୍‌ରେ ଆଗାମୀ ସଂସ୍କରଣରେ ଭାଗ ନେବାକୁ ଯାଉଛି। ତେବେ ଏହି ଦଳର ଘରୋଇ ସହର ବିଶାଖାପାଟଣା ରହିଛି। ଅର୍ଥାତ୍ ଏହି ଦଳ ବିଶାଖାପାଟଣାର ଏକ ହକି ଷ୍ଟାଡିୟମ୍‌କୁ ନିଜ ଘରୋଇ ପଡ଼ିଆ କରିବାକୁ ଯାଉଛି। ଅନ୍ୟପକ୍ଷରେ ଚାରିଟି ଦଳକୁ ନେଇ ଖେଳା ଯିବାକୁ ଥିବା ମହିଳା ବର୍ଗରେ ଓଡ଼ିଶାର ଅନ୍ୟତମ ହକି ପେଣ୍ଠସ୍ଥଳ ଭାବେ ପରିଚିତ ରାଉରକେଲା ଭିତ୍ତିକ ଦଳ ‘ଓଡ଼ିଶା ୱାରିୟର୍ସ’ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି। ଏହି ଦଳର ମାଲିକାନା ଅବଶ୍ୟ ନଭୋୟମ୍ ସ୍ପୋର୍ଟସ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କଂପାନି ହାତରେ ରହିଛି। ଯାହାର ଅଧ୍ୟକ୍ଷ ଅଛନ୍ତି ସଂଜୀବ ଶ୍ରୀବାସ୍ତବ।  

Advertisment

୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଚାରିଟି ଋତୁରେ ଖେଳି ଥରେ ଲେଖାଏଁ ବିଜେତା ଓ ଉପବିଜେତା ହୋଇଥିବା କଳିଙ୍ଗ ଲାନ୍‌ସର୍ସର ମାଲିକାନା ଓଡ଼ିଶା ସରକାରଙ୍କ ହାତରୁ ବେଦାନ୍ତ କଂପାନିକୁ ଯାଇଛି। ଏହି ଦଳକୁ ବେଦାନ୍ତ କିଣିବା ପରେ ହକି ଇଣ୍ଡିଆ ଲିଗ୍ ମଧ୍ୟ ସଂପୂର୍ଣ୍ଣ ଭାବେ ଘରୋଇ ମାଲିକାନାରେ ଆୟୋଜିତ ହେବାକୁ ଯାଉଛି। ତେବେ ଲିଗ୍‌ର ସର୍ବମୋଟ ୧୨ଟି ଦଳ (ପୁରୁଷ ଓ ମହିଳାକୁ ମିଶାଇ) ମଧ୍ୟ ଓଡ଼ିଶା ଭିତ୍ତିକ କିମ୍ବା ଓଡ଼ିଆ ବ୍ୟବସାୟୀଙ୍କ ମାଲିକାନାରେ ଥିବା ତିନିଟି ଦଳ କଳିଙ୍ଗ ଲାନ୍‌ସର୍ସ, ଟିମ୍ ଗୋନାସିକା ଓ ଓଡ଼ିଶା ୱାରିୟର୍ସ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। କଳିଙ୍ଗ ଲାନ୍‌ସର୍ସ ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ବିଶ୍ବସ୍ତରୀୟ ଷ୍ଟାଡିୟମ୍ ‘କଳିଙ୍ଗ ଷ୍ଟାଡିୟମ୍’କୁ ନିଜ ଘରୋଇ ପଡ଼ିଆ କରିଛି। ଅନ୍ୟପକ୍ଷରେ ଓଡ଼ିଶା ୱାରିୟର୍ସ ଦର୍ଶକଙ୍କ ପାଇଁ ବିଛା ଯାଇଥିବା ଆସନ କ୍ଷମତା‌ରେ ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍‌ର ମାନ୍ୟତା ଲାଭ କରିଥିବା ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌କୁ ନିଜ ଘରୋଇ ପଡ଼ିଆ କରିବା ସେଠାକାର ହକିପ୍ରେମୀଙ୍କୁ ଉତ୍ସାହିତ କରିଛି। ଆସନ୍ତୁ ଏହି ତିନିଟି ଦଳରେ ଥିବା ଖେଳାଳି ଏବଂ ଏହାର ପ୍ରଶିକ୍ଷକ ମଣ୍ଡଳି ଉପରେ ନଜର ପକାଇବା:- 
କଳିଙ୍ଗ ଲାନ୍‌ସର୍ସ: କ୍ରିଷ୍ଣନ୍ ବାହାଦୁର ପାଠକ, ସା‌ହିଲ କୁମାର ନାୟକ, ତୋବିଆସ୍ ରେନୋଲ୍ଡ-କୋଟେରିଲ, ଆଲେଜାଣ୍ଡାର ହେଣ୍ଡ୍ରିକ୍ସ, ଆଣ୍ଟୋନି କିନା, ଆର୍ଥର ଭାନ୍ ଡୋରେନ୍, ମନଦୀପ ମୋର, ପ୍ରତାପ ଲାକ୍ରା, ରୋହିତ କୁଲୁ, ସଂଜୟ ରଣା, ସୁଶୀଲ ଧନୱାର, ଆରନ ଜଲେସ୍କି, ଏନ୍‌ରିକ ଗୋଞ୍ଜାଲେଜ୍, ମୁକେଶ ଟପ୍ପୋ, ନିକ ବନ୍ଦୁରକ୍, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ୍, ରୋଶନ କୁଜୁର, ଅଙ୍ଗଦ ବୀର ସିଂହ, ବବି ସିଂହ ଧାମି, ଦୀପକ ପ୍ରଧାନ, ଦିଲପ୍ରୀତ ସିଂହ, ଗୁରସାହିବଜିତ ସିଂହ, ରୋଶନ ମିଞ୍ଜ୍, ଥିଏରି ବ୍ରିଙ୍କମ୍ୟାନ୍। ରଣନୀତି ନିର୍ଦ୍ଦେଶକ-ଜନ୍ ଡେଭିଡ୍, ପ୍ରବନ୍ଧକ- ଏବି ସୁବାୟା। 

ଟିମ୍ ଗୋନାସିକା: ମନଦୀପ ସିଂହ, ମନପ୍ରୀତ ସିଂହ, ଅଲିଭର୍‌ ପାଇନ୍, ସୂରଜ କର୍କେରା, ଜେରୋନ ହର୍ଜବର୍ଗର, ଅରାଇଜିତ ସିଂହ ହୁଣ୍ଡାଲ, ନୀଲମ ସଂଜୀବ ଖେସ୍, ଅମିର ଅଲୀ, ବୀରେନ୍ଦ୍ର ଲାକ୍ରା, ଯୋଗେମ୍ବର ରାୱତ, ବିଷ୍ଣୁକାନ୍ତ ସିଂହ, ଟମ୍ ବୁନ୍, ତିମୋଥି ହୋୱାର୍ଡ, ଲି’ ମୋର୍ଟନ, ଜ୍ୟାକ୍ ୱାଲର, ଦୀପସାନ୍ ତିର୍କି, ଅନମୋଲ ଏକ୍କା, ଜ୍ୟାକବ ଡ୍ରାପର, ମୁସ୍ତାଫା କାସିମ, କମଲବୀର ସିଂହ, ନିକିନ ଥିମାୟା, ଉଥାପ୍ପା ସାନୁଭନ୍ଦା, ୟଶଦୀପ ସିଂହ। 

ଓଡ଼ିଶା ୱାରିୟର୍ସ: ଆଞ୍ଜେଲ ହର୍ଷରାଣୀ ମିଞ୍ଜ୍, ଜସଲିନ ବାର୍‌ତ୍ରମ, ମାଧୁରୀ କିଣ୍ଡୋ, ଅଞ୍ଜଳି ବର୍‌ୱା, ଚାର୍ଲି କଲୱିଲ୍‌, ଦୀପଗ୍ରେସ୍ ଏକ୍କା, ନିକ୍କି ପ୍ରଧାନ, ଜ୍ୟୋତି ଛତ୍ରୀ, କୈତିନ ନବ୍ସ, ବଲଜିତ କୌର, ଲିଲି ଷ୍ଟୋ‌ଫେଲସ୍ମା, ନେହା ଗୋଏଲ, ନିଶା ୱାର୍‌ସୀ, ସୋନିକା ତା‌ଣ୍ଡି, ଭିକ୍ଟୋରିଆ‌ ସୌଜ, ୟବି ୟ‌ାନସେନ, ଅନୁ, ଫ୍ରିକ୍ ମୋଏସ୍, ଗାଲୁଜା ନନ୍ଦିନୀ, କନିକା ସିୱାଚ, ମିଚେଲ ଫିଲେଟ, ଋତୁଜା ଦାଦାସୋ ପିସାଲ, ସାଧନା ସେନଗର, ସାକ୍ଷୀ ରାଣା। ପ୍ରଶିକ୍ଷକ-ଜାନେକ ସପମ୍ୟାନ୍।