ଓଡ଼ିଶା ଦଳର ଷ୍ଟକ୍‌ କାଙ୍ଗ୍ରୀ ଅଭିଯାନ ଆରମ୍ଭ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ହିମାଳୟ ଅଭିଯାତ୍ରୀ ଓଡ଼ିଶା ଦଳର ଷ୍ଟକ୍ କାଙ୍ଗ୍ରୀ ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ଏଭେରେଷ୍ଟ ବିଜୟୀ ଗଣେଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ରାଜ୍ୟର ୧୦ ଜଣ ବାଳକ ଏବଂ ୫ ଜଣ ବାଳିକା ‌ହିମାଳୟର ଲେହ ପରିତ୍ୟାଗ କରି ମାଉଣ୍ଟ ଷ୍ଟକ୍ କାଙ୍ଗ୍ରୀ ପାଦ ଦେଶ ଅଭି‌ମୁଖେ ବାହାରିଛନ୍ତି। ସୋମବାରଠାରୁ ୨୦,୧୮୭ ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟକ୍ କାଙ୍ଗ୍ରୀ ଆରୋହଣ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ଲାଗି ଓଡ଼ିଶା ଦଳର ସମସ୍ତ ସଦସ୍ୟ ଓ ସଦସ୍ୟା ସୁସ୍ଥ ଓ ସକ୍ଷମ ଅଛନ୍ତି ବୋଲି ଗଣେଶ ଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି। କିମ୍ବଦନ୍ତୀ ପର୍ବତାରୋହୀ ତଥା ପଦ୍ମଶ୍ରୀ ବଚେନ୍ଦ୍ରୀ ପାଲ ଏବଂ ଅନ୍ୟତମ ଏଭେରେଷ୍ଟର୍‌ ଆର୍‌ ଏସ୍‌ ପାଲ୍‌ଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ଆୟୋଜିତ ହେଉଛି। କ୍ରୀଡ଼ା ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ହରେଶ କୁମାର ମିଶ୍ର ଦଳ ସହ ଗସ୍ତ କରିଛନ୍ତି। ସୂଚନାଯୋଗ୍ୟ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ୨୦୧୬ ମସିହାରୁ ଏହି ଅଭିଯାନ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଛି।

ଓଡ଼ିଶା ଦଳ: ଟୁଲୁ ସେନ୍, ରୁଦ୍ର ନାରାୟଣ ଲେଙ୍କା, ଏ ବାଳକୃଷ୍ଣ ରେଡ୍ଡୀ, ଦୁଖବନ୍ଧୁ ମାଝୀ, ପ୍ରକାଶ ବେହେରା, ଅଭିଷେକ ବେହେରା, ଦେବାଶିଷ ମହାନ୍ତ, ସୁଭ୍ରାଂଶୁ ଶେଖର ସାହୁ, ସତ୍ୟବ୍ରତ ଦାସ, ଅବିନାଶ ସାହୁ, ରିଙ୍କୁ ସାହୁ, ପ୍ରୀତି ପୋଢ଼, ବିଭାରାଣୀ ପାତ୍ର, ରଚିତା ନାୟକ, ମାମାଲି ପ୍ରଧାନ।

ସମ୍ବନ୍ଧିତ ଖବର