ଓଡ଼ିଶା ଟେନିସ୍‌ରେ ବଡ଼ ସ୍ୱପ୍ନ

ଆଇଟିଏଫ୍‌ ଚାଲେଞ୍ଜର୍ସ ଓ ଡେଭିସ୍‌ କପ୍‌ ଆୟୋଜନ ଆଶା

ଭୁବନେଶ୍ୱର: ହକି, ଦୌଡ଼କୁଦ, ଫୁଟ୍‌ବଲ୍‌ ଭଳି ଓଡ଼ିଶା ଟେନିସ୍‌ ଚଢ଼ିଛି ଆଉ ଏକ ବଡ଼ ପାହାଚ। ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମ୍‌ରେ ୧୫,୦୦୦ ଆମେରିକୀୟ ଡଲାର୍‌ (ପ୍ରାୟ ୯ ଲକ୍ଷ ୭୫ ହଜାର ଟଙ୍କା) ପୁରସ୍କାର ରାଶି ବିଶିଷ୍ଟ ଓଡ଼ିଶା ଆଇଟିଏଫ୍‌ (ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ୍‌)ର ପୁରୁଷ ଫ୍ୟୁଚର୍ସ ପ୍ରତିଯୋଗିତା ଆରମ୍ଭ ହୋଇଛି। କିନ୍ତୁ ଏହାର ଉଦ୍‌ଘାଟନୀ ଉତ୍ସବରେ ହିଁ ଆୟୋଜକ ବୁଣି ଦେଇଛନ୍ତି ଆଉ ଦୁଇଟି ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାର ମଞ୍ଜି। ଆଇଟିଏଫ୍‌ ଫ୍ୟୁଚର୍ସର ପରବର୍ତୀ ଉଚ୍ଚସ୍ତର ପ୍ରତିଯୋଗିତା ଆଇଟିଏଫ୍‌ ଚାଲେଞ୍ଜର୍ସ ସହିତ ମର୍ଯ୍ୟଦାଜନକ ଡେଭିସ୍‌ କପ୍‌ ଆୟୋଜନ ପାଇଁ ଆମେ ଆଶା ବାଦୀ ଏବଂ ପ୍ରସ୍ତୁତ ବୋଲି ଦେଖାଇ ଦିଆଯାଇଛି ସ୍ୱପ୍ନ। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ସବୁଜ ସଙ୍କେତ ଦେବା ଥିଲା ସବୁଠାରୁ ଉଲ୍ଲେଖନୀୟ କଥା। ଏହାର ବାସ୍ତବତାକୁ ନେଇ ଢ଼େର ଆଶାବାଦୀ ଅଛନ୍ତି ସର୍ବଭାରତୀୟ ଟେନିସ୍‌ ସଂଘ (ଆଇଟା)ର ସାଧାରଣ ସମ୍ପାଦକ ହିରଣ୍ମୟ ଚାଟାର୍ଜୀ। ‘ସମ୍ବାଦ’କୁ ବିଶେଷ ସାକ୍ଷାତକାର ଦେଇ ହିରଣ୍ମୟ କହିଥିଲେ ଅନେକ କଥା।
ଖୁସୀର କଥା ଓଡ଼ିଶାରେ ପୁରୁଷ ବର୍ଗର ଆଇଟିଏଫ୍‌ ଇଭେଣ୍ଟ୍‌ ଆୟୋଜିତ ହୋଇଛି। ଆଇଟା ଏହାକୁ ଅନୁମୋଦିତ ଓ ସମର୍ଥନ ଦେବା ପରେ ଓଡ଼ିଶା ଏଭଳି ବଡ଼ ପ୍ରତିଯୋଗିତାକୁ ଆୟୋଜନ କରିବାକୁ ସକ୍ଷମ ହେବା ସବୁଠାରୁ ବଡ଼ କଥା। ଏହା ଫଳରେ ଓଡ଼ିଶା ମଧ୍ୟ ଟେନିସ୍‌ର ଏକ ସ୍ୱୀକୃତିପ୍ରାପ୍ତ ନିୟମିତ କେନ୍ଦ୍ର ପାଲଟିଗଲା। ଏହି ସ୍ତରର ପ୍ରତିଯୋଗିତା ଦେଖି ଓଡ଼ିଶାର ଖେଳାଳିମାନେ ମଧ୍ୟ ଉତ୍ସାହିତ ହେବେ, ପ୍ରେରଣା ପାଇବେ ବୋଲି କହିଥିଲେ ବେଙ୍ଗଲ୍‌ ଟେନିସ ସଂଘ ଦାୟିତ୍ୱରେ ମଧ୍ୟ ଥିବା ବର୍ଷିୟାନ ହିରଣ୍ମୟ। ଭଲ ଖେଳିବାକୁ ଚେଷ୍ଟା କରିବେ, ମାନ୍ୟତା ତାଲିକାରେ ଅଧିକ ଓଡ଼ିଆ ଆସିପାରିବେ। ଆଇଟିଏଫ୍‌ ଫ୍ୟୁଚର୍ସ ପରେ ଅଧିକ ପିଲା ନିଶ୍ଚିତ ଟେନିସ୍‌ ଖେଳିବାକୁ ଆଗ୍ରହ ପ୍ରକାଶ କରିବେ। ଓଡ଼ିଶା ଟେନିସ୍‌କୁ ଏହା ସାମଗ୍ରିିକ ଭାବେ ଉତ୍ସାହିତ କରିବ ବୋଲି ସେ କହିଥିଲେ। ଆଗରୁ ଓଡ଼ିଶାରେ ଟେନିସ୍‌ର ପ୍ରଚାର ଓ ପ୍ରସାର ପାଇଁ ଆଇଟା କିଛି କରି ନ ଥିବା ଅଭିଯୋଗକୁ ଅସ୍ୱୀକାର କରିଥିଲେ। ଓଡ଼ିଶା ସରକାର ଏବଂ ଓଡ଼ିଶା ଟେନିସ୍‌ ସଂଘ ଆଗରୁ ପ୍ରସ୍ତାବ ଦେଉନଥିଲେ ଏବେ ଆଗଭର ହୋଇଥିବାରୁ ଆଇଟା ସବୁବେଳେ ସହଯୋଗ ଓ ସମର୍ଥନ ଦେବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।
ଓଡ଼ିଶାରେ ଆଇଟିଏଫ୍‌ ଆୟୋଜନ ପରେ ଏବେ ବଡ଼ ପ୍ରତିଯୋଗିତା ପାଇଁ ବାଟ ଫିଟିଯାଇଛି। ଆଇଟିଏଫ୍‌ ଚାଲେଞ୍ଜର୍ସ ଏବଂ ଡେଭିସ୍‌ କପ୍‌ ଭଳି ବଡ଼ ପ୍ରତିଯୋଗିତାର ପ୍ରସ୍ତାବ ନିଶ୍ଚିତ ସ୍ୱାଗତଯୋଗ୍ୟ। ଓଡ଼ିଶା ପ୍ରସ୍ତାବ ଦେଲେ ଆଇଟା ନିଶ୍ଚିତ ସମର୍ଥନ ଓ ସହଯୋଗ ପ୍ରଦାନ କରିବ। ଆୟୋଜନର ବାସ୍ତବତାରେ କିଛି ଅସୁବିଧା ନାହିଁ। କେବଳ ଆଉ କିଛି ଭିତ୍ତିଭୂମୀ ବଢ଼ାଇବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ।
ଭାରତୀୟ ଟେନିସ୍‌ର ସ୍ଥିତିକୁ ନେଇ ମଧ୍ୟ ହିରଣ୍ମୟ ସନ୍ତୋଷ ବ୍ୟକ୍ତ କରିଥିଲେ। ଟେନିସରେ ଭାରତ ଅନ୍ୟତମ ଶକ୍ତିଶାଳୀ ଦେଶ। ଦେଶରେ ବହୁ ସଂଖ୍ୟାରେ ଟେନିସ୍‌ ଖେଳାଯାଉଛି। ଆମେ ବିଶ୍ୱଗ୍ରୁପ୍‌ର ଦ୍ୱାରରେ ବାରମ୍ବାର ପହଞ୍ଚୁଛୁ। ୩ ଥର ଡେଭିସ୍‌ କପ୍‌ ଫାଇନାଲ୍‌ସରେ ଖେଳିସାରିଛୁ। ବିଶ୍ୱର ଶ୍ରେଷ୍ଠ ୮ ଦେଶ ମଧ୍ୟରେ ମଧ୍ୟ ଭାରତକୁ ଗଣାଯାଇପାରିବ। ନିକଟ ଅତୀତରେ ଆମେ କେବଳ କାନାଡ଼ା ନିକଟରୁ ହାରିବାକୁ ବାଦ୍‌ ଦେଲେ ସେଭଳି କିଛି ନିରାଶା ନାହିଁ। ଏବେ ଏବେ ଏଲିଟ୍‌ର ସୀମାରେ ରହିଛୁ।

ସମ୍ବନ୍ଧିତ ଖବର