ନୂଆଦିଲ୍ଲୀ: ଆସନ୍ତା ମାସ ୪ରୁ ୮ ତାରିଖ ପର୍ଯ୍ୟନ୍ତ ନୀଳାଚଳ ସ୍ପୋର୍ଟସ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଭୁବନେଶ୍ବରର କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ (ଓଟିପିଏଲ୍‌) ତୃତୀୟ ସଂସ୍କରଣ ଆୟୋଜିତ ହେବ। ଏଥିପାଇଁ ରବିବାର ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ଦଳୀୟ ଜର୍ସି ଉନ୍ମୋଚିତ ହୋଇଯାଇଛି। ପ୍ରତିଯୋଗିତାରେ ମୋଟ ୮ ଦଳ ଭାଗ ନେଉଥିଲା ବେଳେ ପ୍ରତି ଦଳରେ ୮ ଲେଖାଏଁ ଖେଳାଳି ରହିବେ। ଭାଗ ନେବାକୁ ଯାଉଥିବା ମୋଟ ୬୪ ଖେଳାଳିଙ୍କ ମଧ୍ୟରୁ ଆନ୍ତର୍ଜାତିକ, ଜାତୀୟ ଓ ରାଜ୍ୟସ୍ତରର ପ୍ରତିଭାମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆୟୋଜକ କହିଥିଲେ। ଭଦ୍ରକ ଭିକ୍ଟର୍ସ, ଭୁବନେଶ୍ବର ୱାରିୟର୍ସ, କ୍ୟାପିଟାଲ୍ କିଙ୍ଗ୍ସ, କଟକ କଙ୍କର୍ସ,‌ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ, କେଜିଆର୍‌ ଯାଜପୁର ସୁଟର୍ସ, କିଟ୍‌ କିଲର୍‌ ବିଜ୍‌, ପାରୁଲ ପାନାସୋନିକ୍ ପୁରୀ ୱେଭର୍ସ ପ୍ରତିଯୋଗିତାରେ ପ୍ରତିଦ୍ବଦ୍ବିତା କରିବେ। ବି‌ଜେତା ଦଳକୁ ୨ ଲକ୍ଷ ଏବଂ ଉପ ବିଜେତା ଦଳକୁ ୧ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ। ସବୁଠାରୁ ବଡ଼ କଥା ହେଲା ପୂର୍ବତନ ୱିମ୍ବଲଡନ୍ କନିଷ୍ଠ ଟ୍ରଫି ବିଜେତା ତଥା ଗ୍ରାଣ୍ଡସ୍ଲାମ୍ ଖେଳାଳି ସୁମିତ ନାଗଲ ଏବଂ ଓଲିଉଡ୍‌ ତାରକା ସବ୍ୟସାଚୀ ମିଶ୍ରଙ୍କୁ ଓପିଟିଏଲ୍‌ ଏଥର ବ୍ରାଣ୍ଡ୍ ଆମ୍ବାସାଡର୍‌ ଭାବେ ଗ୍ରହଣ କରିଛି। ଜର୍ସି ଉନ୍ମୋଚେନ ଅବସରରେ ପୂର୍ବତନ ବୈଦେଶିକ ବ୍ୟାପାର ଅଧିକାରୀ ଅମରେନ୍ଦ୍ର ଖଟୁଆ, କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ସଂଜୀବ ପଟ୍ଟଯୋଶୀ, ଓଟିପିଏଲ୍‌-୩ର ପ୍ରତିଯୋଗିତା ନିର୍ଦେଶକ ଦିଲୀପ ମହାନ୍ତିଙ୍କ ସମେତ ପ୍ରଦୀପ ଖଣ୍ଡେଲୱାଲ, ମୟୁରେଶ ଦାସ, ପ୍ରବୀର ମହାନ୍ତି, ସନ୍ତୋଷ ରାଉତ, ସୁକାନ୍ତ କୁମାର ବିଶ୍ବାଳ, ଆଲେକ୍‌ଜାଣ୍ଡର ଦାସ, ଭବାନୀ ମହାନ୍ତି, ସୌଭାଗ୍ୟ ପଣ୍ଡା, ଅରୁଣ ଅଗ୍ରୱାଲ ପ୍ରମୁଖ ବିଭିନ୍ନ ଦଳର ମାଲିକ ଉପସ୍ଥିତ ଥିଲେ।