ଭୁବନେଶ୍ବର: ଭାରତୀୟ ହକି ଦଳର ୨୦୩୬ ଯାଏଁ ଓଡିଶା ପ୍ରାୟୋଜକ ରହିବ। ୨୦୩୬ ଯାଏଁ ପ୍ରାୟୋଜକ ହେବାକୁ ସରକାର ଘୋଷଣା କରିଛନ୍ତି। ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ହେବାର ଥିଲା। ଆଉ ୩ ବର୍ଷ ପ୍ରାୟୋଜକ ହେବା ନେଇ ସରକାର ଘୋଷଣା କରିଛନ୍ତି। ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡିଶା।

Advertisment

ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି ପାଇଁ ଓଡ଼ିଶାକୁ ବିଶ୍ଵ ରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶ ରେ ଓଡ଼ିଶା ର ପ୍ରଶଂସନୀୟ ଅବଦାନ ରହିଛି ବୋଲି ସେମାନେ କହିଥିଲେ। ଭବିଷ୍ୟତରେ ଓଡ଼ିଶା ସରକାର ଙ୍କ ସହ ମିଶି ହକି କୁ ପରବର୍ତ୍ତୀ ପର୍ଯ୍ୟାୟ କୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

publive-image

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସରକାର ଙ୍କ ପକ୍ଷରୁ ୨୦୩୬ ମସିହା ରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ପ୍ରାୟୋଜକ ଅବଧି ସମୟକୁ ୨୦୩୩ ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ।

publive-image

କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ହକି ପ୍ରତି ଓଡ଼ିଶା ବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ। ମୁଖ୍ୟ ଶାସନ ସଚିବ ପି କେ ଜେନା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ହକି ଇଣ୍ଡିଆର ପ୍ରାୟୋଜକ ହେଲା ପରେ ୨୦୧୮ ମସିହା ଠାରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ଅନେକଗୁଡ଼ିଏ ଟୁର୍ଣ୍ଣାମେଣ୍ଟ ଆୟୋଜିତ ‌ହୋଇଛି। ଓଡ଼ିଶାରେ ୨୦୧୮ ଓ ୨୦୨୩ରେ ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଛି। ସେହିପରି ୨୦୧୯ରେ ମହିଳା ଅଲିମ୍ପିକ୍ସ କ୍ବାଲିଫାୟର, ପୁରୁଷ ହକି କ୍ବାଲିଫାୟର, ୨୦୨୦-୨୧ରେ ପୁରୁଷ ପ୍ରୋ ଲିଗ, ପୁରୁଷ ହକି କନିଷ୍ଠ ବିଶ୍ବକପ, ୨୦୨୧-୨୨ରେ ପୁରୁଷ ପ୍ରୋ ଲିଗ, ୨୦୨୨-୨୩ରେ ମହିଳା ପ୍ରୋ ଲିଗ, ୨୦୨୩ରେ ମହିଳା ପ୍ରୋ ଲିଗ, ୨୦୨୩-୨୪ରେ ମହିଳା ପ୍ରୋ ଲିଗ, ୨୦୨୩-୨୪ରେ ପୁରୁଷ ପ୍ରୋ ଲିଗ ଆଦି ଓଡ଼ିଶାରେ ଆୟୋଜନ ହୋଇଛି।