ଓଡ଼ିଶା ଫୁଟବଲ କ୍ଲବ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର

କ୍ରୀଡ଼ା ବିଭାଗ ଓ ଦିଲ୍ଲୀ ସକ୍କର ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ ହେଲା ବୁଝାମଣା ପତ୍ର

ଭୁବନେଶ୍ୱର: କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ଆଉ ଏକ ପାଦ ଅଗ୍ରସର ହେଉଛି। ଓଡ଼ିଶା ଫୁଟବଲ କ୍ଲବ ପାଇଁ ଶନିବାର ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଦିଲ୍ଲୀ ସକ୍କର ପ୍ରାଇଭେଟ୍‌ ଲିମିଟେଡ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ। ଆଗାମୀ ୫ ବର୍ଷ ପାଇଁ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ବୁଝାମଣା ଅନୁସାରେ ଓଡ଼ିଶା ସରକାର ଫୁଟବଲ ଖେଳ ପାଇଁ ଭିତ୍ତିଭୂମି ଯୋଗାଇଦେବ। ଓଡ଼ିଶା ଫୁଟବଲ କ୍ଲବ ଟିମ୍‌ ଇଣ୍ଡିଆନ ସୁପର ଲିଗରେ ଖେଳିବ।

ରାଜ୍ୟ ସରକାର ଭୁବନେଶ୍ୱରରେ ଫୁଟବଲ କ୍ଲବ ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇବ। ଆଇଏସ୍‌ଏଲ୍‌ (ଇଣ୍ଡିଆନ୍‌ ସୁପର ଲିଗ୍‌) ପାଇଁ ବିଶ୍ୱସ୍ତରୀୟ ଭତ୍ତିଭୂମି ଯୋଗାଇ ଦେବ। ଓଡ଼ିଶା ଫୁଟବଲ କ୍ଲବ ଓ ଇଣ୍ଡିଆନ ସୁପର ଲିଗ ମଧ୍ୟରେ ହୋଇଥିବା ବୁଝାମଣା ପତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଛନ୍ତି। ସେ କହିଛନ୍ତି, ଫୁଟବଲ ଖେଳର ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ମୂଳକ ପଦକ୍ଷେପ। ଏହି ଭାଗିଦାରୀ ରାଜ୍ୟର ଫୁଟବଲ ଖେଳାଳିଙ୍କ ପାଇଁ ପ୍ରେରଣା ଯୋଗାଇବ।

ସମ୍ବନ୍ଧିତ ଖବର