ରାଉରକେଲା: ଏଠାରେ ଚାଲିଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ଶୁକ୍ରବାରଠାରୁ ଓଡ଼ିଶା ତା’ର ଅଭିଯାନ ଆରମ୍ଭ କରିବ। ଓଡ଼ିଶା ପ୍ରଥମ ମୁକାବିଲାରେ ମଣିପୁରକୁ ଭେଟିବ। ଶୁକ୍ରବାର ରାତି ୮ଟାରେ ପୁଲ୍‌ ସି’ରେ ଥିବା ଓଡ଼ିଶା ଓ ମଣିପୁର ଦଳ ନିଜ ନିଜ ପ୍ରଥମ ମ୍ୟାଚ୍‌ ଖେଳିବେ। ଜୁଲାଇ ୩ ରେ ଓଡ଼ିଶା ଦ୍ବିତୀୟ ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ତାମିଲନାଡ଼ୁକୁ ଭେଟିବ। ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ବାଳିକା ଦଳ ଆଜି ଝାଲବୁହା ଅଭ୍ୟାସ କରିଥିଲା। ଓଡ଼ିଶା ଦଳରେ ସାମିଲ ଖେଳାଳିମାନେ ହେଉଛନ୍ତି,- ନାମ୍‌ସୀ ଜାରିକା, ନମିତା ଓରାମ, ଅଞ୍ଜଳି ବାରୱା, ପୂଜା ସାହୁ, ସୁମନ ହେମ୍ବ୍ରମ, ମରୀୟମ ଧନୱାର, ସୁପ୍ରିୟା କୁଜୁର, ମାକ୍ସିମା ଟପ୍ପୋ, ସୁମି ମୁଣ୍ଡାରୀ, ପ୍ରତିଭା କିଣ୍ଡୋ, ପ୍ରିୟଙ୍କା ଟପ୍ପୋ, ପ୍ରିୟଙ୍କା କୁଜୁର, ଅସୀମା ରାଉତ, ସନ୍ଧ୍ୟା କୁଜୁର, ପ୍ରତିଭା ଏକ୍କା, ରମ୍ଭା କୁଜୁର, ସୁରେଖା ବାହାଲା ଓ ପିଙ୍କି ବିଲୋର।
Advertisment
publive-image
ଅପରପକ୍ଷରେ ଶୁକ୍ରବାର ପୁଲ୍‌ ପର୍ଯ୍ୟାୟର ୫ଟି ମ୍ୟାଚ୍‌ ଖେଳାଯାଇଛି। ପୁଲ୍‌ ଇ’ରେ ଥିବା କର୍ଣ୍ଣାଟକ ଓ ମଧ୍ୟପ୍ରଦେଶର ବିଜୟଧାରା ଅବ୍ୟାହତ ରହିଛି। ଆଜି କର୍ଣ୍ଣାଟକ ୪-୦ ଗୋଲ୍‌ରେ ପୁଡ଼ୁଚେରୀକୁ ପରାସ୍ତ କରିଥିବାବେଳେ ମଧ୍ୟପ୍ରଦେଶ ୨୧-୦ ଗୋଲ୍‌ରେ ଜାମ୍ମୁ ଓ କାଶ୍ମୀରକୁ ପରାସ୍ତ କରିଛି। ଦୁଇଟି ଲେଖାଏ ମ୍ୟାଚ୍‌ ଜିତି ବର୍ତ୍ତମାନ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସମାନ ୬ ପଏଣ୍ଟ୍‌ରେ ଅଛନ୍ତି। ଉଭୟ ଦଳ ଜୁଲାଇ ୨ ତାରିଖରେ ମୁହାଁମୁହିଁ ହେବେ। ଉକ୍ତ ମ୍ୟାଚ୍‌ର ବିଜେତା ହିଁ କ୍ବାର୍ଟର ଫାଇନାଲ ପ୍ରବେଶ କରିବ। ସେହିଭଳି ପୁଲ୍‌ ଜି’ର ଅନ୍ୟ ଦୁଇଟି ମ୍ୟାଚ୍‌ରେ ଚଣ୍ଡିଗଡ଼ ୨-୦ ଗୋଲ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଥିବାବେଳେ ମିଜୋରାମ ୧୮-୦ ଗୋଲ୍‌ରେ ଗୁଜୁରାଟକୁ ପରାସ୍ତ କରିଛି। ଉଲ୍ଲେଖଯୋଗ୍ୟ, ନିଜର ପୂର୍ବ ଦୁଇ ମ୍ୟାଚ୍‌ ଜିତି ଉଭୟ ଚଣ୍ଡିଗଡ଼ ଓ ମିଜୋରାମ ସମାନ ୬ ପଏଣ୍ଟ୍‌ ଲେଖାଏ ହାସଲ କରିଛନ୍ତି। ଆସନ୍ତା ୨ ତାରିଖରେ ଉଭୟ ଦଳ ମଧ୍ୟରେ ହେବାକୁ ଥିବା ଶେଷ ପୁଲ୍‌ ମ୍ୟାଚ୍‌ ନିର୍ଣ୍ଣାୟକ ହେବ। ଯିଏ ଜିତିବ, ସେ ହିଁ ପୁଲ୍‌ ଜି’ରୁ କ୍ବାର୍ଟର ଫାଇନାଲ ପ୍ରବେଶ କରିବ।