ଡ୍ରିମ୍ସରେ ଓଡ଼ିଶା ଓ ତ୍ରିପୁରା ଦଳର ଅଭ୍ୟାସ

ବୁଧବାରରୁ ରଣଜୀ ଟ୍ରଫି ଚତୁର୍ଥ ପର୍ଯ୍ୟାୟ

କଟକ: ଚଳିତ ରଣଜୀ ଋତୁର ଚତୁର୍ଥ ପର୍ଯ୍ୟାୟ ଆସନ୍ତା ୨୮ ତାରିଖଠୁ ଆରମ୍ଭ ହେବ। ଟାଙ୍ଗୀସ୍ଥିତ ଡ୍ରିମ୍ସ ପଡ଼ିଆରେ ପୂର୍ବାଞ୍ଚଳର ଦୁଇ ଦଳ ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ଏହି ମୁକାବିଲା ହେବ। ଏଥିପାଇଁ ଉଭୟ ଦଳ ସୋମବାର ଡ୍ରିମ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଗତ ଦଶନ୍ଧି ଭିତରେ ଆଦୌ ପରସ୍ପରକୁ ଏହି ଦୁଇ ଦଳ ଭେଟିନଥିଲା ବେଳେ ଗତବର୍ଷ ଭୁବନେଶ୍ବରର ବିକାଶ ପଡ଼ିଆରେ ଉଭୟଙ୍କ ମଧ୍ୟରେ ଋତୁର ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା। ହେଲେ ଦୀର୍ଘଦିନ ପରେ ହୋଇଥିବା ଏହି ଭେଟାଭେଟି ବର୍ଷା ଯୋଗୁଁ ଧୋଇ ଯାଇଥିଲା। ବ୍ୟାଟି˚ ଆରମ୍ଭ କରିଥିବା ତ୍ରିପୁରା ପ୍ରଥମ ଦୁଇ ଦିନ ଆଦୌ ଖେଳି ପାରିନଥିଲା ବେଳେ ତୃତୀୟ ଦିନରେ ମାତ୍ର ୨ ଓଭର ବ୍ୟାଟି˚ କରିଥିଲା। ତେବେ ଚତୁର୍ଥ ଦିନରେ ୮ ଵିକେଟ୍‌ ବିନିମୟରେ ୧୯୪ ରନ୍‌ କରିବା ପରେ ଓଡ଼ିଶାକୁ ବ୍ୟାଟି˚ ପାଇଁ ସୁଯୋଗ ଦେଇଥିଲା। ଏହି ସୀମିତ ସମୟ ମଧ୍ୟରେ ତ୍ରିପୁରା ପକ୍ଷରୁ ଉଦିୟାନ ବୋଷ ଆକର୍ଷଣୀୟ ଶତକ (୧୦୪) ଅର୍ଜନ କରିଥିଲା ବେଳେ ଖେଳ ଶେଷ ହେବା ବେଳକୁ ଓଡ଼ିଶା ୫ ଓଭରରେ ସନ୍ଦୀପ ପଟ୍ଟନାୟକଙ୍କ ଵିକେଟ ହରାଇ ୧୮ ରନ୍‌ କରିଥିଲା। ଏବେ ଡ୍ରିମ୍ସ ପଡ଼ିଆରେ ଉକ୍ତ ଅଧା ରହିଯାଇଥିବା ମ୍ୟାଚକୁ ପୂରଣ କରିବା ସମୟ ଆସିଛି। ଏବେ ପାଗ ଭଲଥିବା ବେଳେ ମ୍ୟାଚ୍‌ରେ ଆଉ କୌଣସି ବାଧା ଆସିବା ଭଳି ପରିସ୍ଥିତି ନାହିଁ। ଫଳରେ ଦଶନ୍ଧିର ଅପେକ୍ଷାର ଫଳ ଡ୍ରିମ୍ସ ପଡ଼ିଆରେ ନିଶ୍ଚିମ ମିଳିବ ବୋଲି କୁହାଯାଉଛି।
ଆସାମ ବିପକ୍ଷ ଶେଷ ମ୍ୟାଚ୍‌କୁ ଜିତି ଓଡ଼ିଶା ଖେଳାଳିଙ୍କ ଆତ୍ମବିଶ୍ବାସ ଓ ମନୋବଳ ଫେରିଛି। ପୂର୍ବରୁ ଗୋଟିଏ ପରାଜୟ ଓ ଅମୀମା˚ସିତ ମ୍ୟାଚ୍‌ ଯୋଗୁଁ ଦଳ ସାମାନ୍ୟ ପଛରେ ପଡ଼ିଥିଲେ ବି ତୃତୀୟ ମ୍ୟାଚ୍‌ରେ ଏକତରଫା ବିଜୟ ସମସ୍ତଙ୍କୁ ଆଶ୍ବସ୍ତି ଦେଇଛି। ବିଶେଷକରି ରାଜେଶ ମହାନ୍ତିଙ୍କ ରୂପରେ ଚୟନକର୍ତ୍ତା ଭେଟିଦେଇଥିବା ନୂଆ ବୋଲର ଏବେ ଓଡ଼ିଶାର ପ୍ରମୁଖ ଶକ୍ତିଭାବେ ଉଭା ହୋଇଛନ୍ତି। ତାଙ୍କ ସହିତ ଅଭିଜ୍ଞ ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ଆବଶ୍ୟକ ସମୟରେ ଵିକେଟ୍‌ ବାହାର କରିପାରୁଛନ୍ତି। ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମ ମ୍ୟାଚ୍‌ ପରଠୁ ବେଞ୍ଚ୍‌ରେ ବସିଥିବାରୁ ସେ ଏହି ମ୍ୟାଚ୍‌ରେ ଖେଳିବାକୁ ବ୍ୟଗ୍ର ଅଛନ୍ତି। ସେହିପରି ସ୍ପିନ୍‌ରେ ପପୁ ରାଏ, ଧୀରାଜ ସି˚ହଙ୍କ ମଧ୍ୟରୁ ଜଣେ ବିକଳ୍ପ ରହୁଥିବା ବେଳେ ଅଭିଷେକ ରାଉତ ସୁଯୋଗ ଅପେକ୍ଷାରେ ରହିଛନ୍ତି। କିନ୍ତୁ ଦଳର ବ୍ୟାଟି˚ ବିଭାଗ ଏବେ ବି ପ୍ରଭାବୀ ପ୍ରଦର୍ଶନ ଦେଇପାରିନାହିଁ। ଅନୁରାଗ ଷଡ଼ଙ୍ଗୀ ଓ ସନ୍ଦୀପ ପଟ୍ଟନାୟକଙ୍କ ପ୍ରାରମ୍ଭିକ ଯୋଡ଼ି କେବଳ ପ୍ରଥମ ମ୍ୟାଚ୍‌ରେ ଭଲ ମୂଳଦୁଆ ଦେଇଥିଲେ ବି ପରବର୍ତ୍ତୀ ସମୟରେ ତାହା ଫିକା ପଡ଼ିଛି। ଗୋବିନ୍ଦ ପୋଦ୍ଦାର, ସୁଜିତ ଲେଙ୍କାଙ୍କ ପାଖରୁ ଗୋଟିଏ ବି ଅର୍ଧଶତକ ମିଳିନି। ଶୁଭ୍ରା˚ଶୁ ସେନାପତି ଓ ଶାନ୍ତନୁ ମିଶ୍ରଙ୍କ ସହିତ ବିପ୍ଲବ ସାମନ୍ତରାୟ ସବୁବେଳେ ଦଳ ପାଇଁ ଭରସାଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି। ତେଣୁ ଡ୍ରିମ୍ସ ପଡ଼ିଆରେ ଓଡ଼ିଶା ବିଜୟ ଧାରାରେ ରହିବାକୁ ହେଲେ ପ୍ରାରମ୍ଭିକ ଯୋଡ଼ି ସହିତ ସବୁ ଖେଳାଳିଙ୍କଠୁ ଭଲ ପ୍ରଦର୍ଶନ ଆସିବା ଆବଶ୍ୟକ।
ଅନ୍ୟପକ୍ଷରେ ତ୍ରିପୁରା ପ୍ରଥମ ମ୍ୟାଚରେ ସର୍ଭିସେସ୍‌ ସହିତ ପାଳି ଅଗ୍ରଣୀ ପାଇଥିଲେ ବି ଆସାମ ଓ ଜମ୍ମୁ କାଶ୍ମୀରଠୁ ମ୍ୟାଚ୍‌ ହାରି ଚାପରେ ରହିଛି। ସ୍ମିତ୍‌ ପଟେଲ ଜମ୍ମୁ କାଶ୍ମୀର ବିପକ୍ଷରେ ଶତକ (୧୧୨) ଅର୍ଜନ କରି ଲୟକୁ ଫେରିଥିଲା ବେଳେ ସର୍ଭିସେସ୍‌ ବିପକ୍ଷରେ ଦ୍ବିଶତକ (୨୦୧) ଅର୍ଜନ କରିଥିବା ବିଶାଲ ଘୋଷଙ୍କ ବ୍ୟାଟ୍‌ ଏବେ ଶାନ୍ତ ରହିଛି। ଦଳର ସଫଳ ଖେଳାଳି ଭାବେ ଉଦୀୟାନ ବୋଷ ଗୋଟିଏ ଲେଖାଏଁ ଶତକ ଓ ଅର୍ଧଶତକ ସହ ମଧ୍ୟକ୍ରମ ସମ୍ଭାଳୁଛନ୍ତି। ବୋଲି˚ରେ ମଣିଶଙ୍କର ମୁରାସି˚ହ, ରାଣା ଦତ୍ତ, ହର୍ମିତ ସି˚ହ, ଅଭିଜିତ ସରକାର ଏବେ ଭଲ ଲୟରେ ଅଛନ୍ତି। ତେଣୁ ଓଡ଼ିଶା ଖେଳାଳିଙ୍କୁ ସମସ୍ୟାରେ ପକାଇବାକୁ ଏମାନେ ସମର୍ଥ। ଉଭୟ ଦଳ ପୂର୍ବରୁ ଖେଳିଥିବା ୨୦ଟି ମ୍ୟାଚ୍‌ରୁ ଓଡ଼ିଶା ୧୬ଟି ଜିତି ଆଗରେ ରହିଥିବା ବେଳେ ୩ଟି ମ୍ୟାଚ୍‌ରେ ଓଡ଼ିଶା ପାଳି ଅଗ୍ରଣୀ ପାଇଥିଲା। ଶେଷ ମ୍ୟାଚ୍‌ର ଫଳାଫଳ ବାହାରିପାରିନଥିଲା। ଏଭଳିସ୍ଥିତିରେ ଭ୍ରମଣକାରୀ ଦଳ ପଏଣ୍ଟ ଭୋକରେ ଥିବାବେଳେ ମ୍ୟାଚରୁ କିଛି ପାଇବାକୁ ହେଲେ ଓଡ଼ିଶା ଆରମ୍ଭରୁ ଚାପ ସୃଷ୍ଟି କରାଇବାକୁ ଉଦ୍ୟମ କରିବ।

ସମ୍ବନ୍ଧିତ ଖବର