ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ବରରେ ଟେବୁଲ ଟେନିସ (ଟିଟି) ଏକାଡେମି ଉଦ୍ଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ୨୯ତମ ରାଜ୍ୟ ଟିଟି ଆରମ୍ଭ ଘୋଷଣା କରିଛନ୍ତି। ଏହି ଏକାଡେମିରେ ୧୬ ଟିଟି ଟେବୁଲ ରହିବା ସହ ପରିସରରେ ଜିମ୍ନାସିୟମ, ଭାରୋତ୍ତୋଳନ ଏବଂ ଚେସ୍ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏଥିସହ ଫିଟ୍ନେସ୍ ଲାଗି ଯୋଗ ଓ ଜୁମ୍ବା ପାଇଁ ସ୍ଥାନ ରହିଛି। ଏହି ଏକାଡେମି ରାଜ୍ୟରେ ନୂଆ ଟିଟି ପ୍ରତିଭା ବାହାର କରିବାରେ ପ୍ରମୁଖ ଭୂମିକା ନେବ। ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ‘‘ଟେବୁଲ ଟେନିସରେ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହିତ ଲାଗି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛୁ।
ଏହି ଏକାଡେମି କେବଳ ପ୍ରତିଭା ସୃଷ୍ଟି କରିବନି ବରଂ ମନୋରଂଜନ ଓ ପ୍ରତିନ୍ଦ୍ବନ୍ଦ୍ବିତା ମନୋଭାବ ପାଇଁ ଏକ ହବ୍ ହେବ’’। ରାଜ୍ୟରେ ଥିବା ଇନ୍ଡୋର ହଲ୍ଗୁଡ଼ିକରେ ୩୩ଟି ଟିଟି କେନ୍ଦ୍ର ଖୋଲାଯିବ। ସବୁଠାରେ ୩ ଲେଖାଏଁ ଟିଟି ଟେବୁଲ ରହିବ। ଏସବୁ ଡିସେମ୍ବର ମଧ୍ୟରେ ଖୋଲାଯିବ। ୧୬ ଟେବୁଲ ବିଶିଷ୍ଟ କଟକ ଟିଟି ଏକାଡେମି ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ୫-ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଉନ୍ନୟନ କମିସନର ଅନୁ ଗର୍ଗ, ଓଡ଼ିଶା ରାଜ୍ୟ ଟିଟି ସଂଘ ସଭାପତି ସଂଜୟ ସିଂହ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।