ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଆନୁକୂଲ୍ୟରେ ଆସନ୍ତା ୧୨ ତାରିଖରୁ ଡ୍ରିମ୍ସ ଷ୍ଟାଡିୟମ୍‌ରେ ଟିସିଏମ୍‌ ଓଡ଼ିଶା ଟ୍ବେଣ୍ଟି-୨୦ କ୍ରିକେଟ୍‌ ଲିଗ୍‌ ଆରମ୍ଭ ହେବ। ଏହି ଲିଗ୍‌ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଲିଗ୍‌ରେ ମୋଟ୍‌ ୬ଟି ଦଳ ଓଡ଼ିଶା ଟାଇଗର୍ସ, ଓଡ଼ିଶା ଲାୟନ୍ସ, ଓଡ଼ିଶା ଚିତାସ୍‌, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା ପାନ୍ଥର୍ସ, ଓଡ଼ିଶା ପ୍ୟୁମାସ୍‌ ଅଂଶଗ୍ରହଣ କରୁଛନ୍ତି। ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୧୦ଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ମୋଟ୍‌ ୩୩ ଟି ମ୍ୟାଚ୍‌ ଖେଳାଯିବାକୁ ସୂଚୀ ପ୍ରସ୍ତୁତ ହୋଇଛି। ସକାଳ ୯ଟା ଓ ଅପରାହ୍ନ ୧ଟାରେ ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ। ଜୁନ୍‌ ୧୨ ତାରିଖରେ ଓଡ଼ିଶା ଟାଇଗର୍ସ ଓ ଓଡ଼ିଶା ଲାୟନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୬ ତାରିଖ ପର୍ଯ୍ୟନ୍ତ ଲିଗ୍‌ ପର୍ଯ୍ୟାୟ ଚାଲିବା ପରେ ଶ୍ରେଷ୍ଠ ୪ ଦଳ ୨୭ ତାରିଖରେ ସେମିଫାଇନାଲ୍‌ ଖେଳିବେ। ୨୮ ତାରିଖରେ ମେଗା ଫାଇନାଲ୍‌ ଅନୁଷ୍ଠିତ ହେବ। ବାରବାଟୀ ଷ୍ଟାଡିୟମ୍‌ରେ ପିଚ୍‌ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଲିଗ୍‌କୁ ଡ୍ରିମ୍ସରେ ଆୟୋଜନ କରାଯାଉଥିବା ଓସିଏ ସୂତ୍ରରୁ ଜଣାପଡ଼ିଛି।