ଗଗନେନ୍ଦୁ ଓଡ଼ିଶା ଭଲିବଲ ସଂଘ ସମ୍ପାଦକ

କଟକ: ଓଡ଼ିଶା ଭଲିବଲ୍‌ ସଂଘର ନୂଆ ସମ୍ପାଦକ ହୋଇଛନ୍ତି କିଟ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ। ଗୁରୁବାର ସଂଘର ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ତାରିଖ ଥିବାବେଳେ ପୂର୍ବତନ ସମ୍ପାଦକ ପ୍ରଦୀପ ମହାନ୍ତି ଏଥିରୁ ଓହରିଯାଇଥିଲେ। ଆସନ୍ତା ୨୩ ତାରିଖରେ ସଂଘର ଫଳାଫଳ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା କରାଯିବ। ସମ୍ପାଦକ ପଦକୁ ଛାଡ଼ିଦେଲେ କାର୍ଯ୍ୟକାରୀ ସଭାପତି, ଉପସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ପଦବିରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସଭାପତି ପାଇଁ ୪ ଜଣ ଥିଲେ। ସଂଜୟ କୁମାର ଦାସ ଓ ସୟଦ ଆକମଲ ଅଲ୍ଲୀ ନାମାଙ୍କନ ପ୍ରତ୍ୟାହାର କରିଥିଲେ। ଫଳରେ ସମ୍ପାଦକ ପ୍ରଦୀପ ମହାନ୍ତି ଓ ସଭାପତି ସୁବୋଧ କୁମାର ରାଉତରାୟଙ୍କ ମଧ୍ୟରେ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା ହେବ। କାର୍ଯ୍ୟକାରୀ ସଭାପତି ପଦ ପାଇଁ ସୁକାନ୍ତ ପାଣିଗ୍ରାହୀ ଓ ସୟଦ ଆକମଲ ଅଲ୍ଲୀ ନାମାଙ୍କନ ପ୍ରତ୍ୟାହାର କରିଥିବାରୁ ସଂଜୟ କୁମାର ଦାସ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ପଦ ପାଇଁ ୭ ଜଣ ଥିଲେ। ରବିନାରାୟଣ ରାଉତରାୟ ତାଙ୍କର ପ୍ରାର୍ଥିତ୍ୱ ଫେରାଇ ନେଇଥିଲେ। ଯୁଗ୍ମ ସମ୍ପାଦକ ପାଇଁ ଆଦିତ୍ୟ କୁମାର ଆଚାର୍ଯ୍ୟ ଓ ଜଗଦୀଶ ଚନ୍ଦ୍ର ବେହେରା ଏବଂ କୋଷାଧ୍ୟକ୍ଷ ପାଇଁ ମନୋରଂଜନ ମହାନ୍ତିଙ୍କ ପ୍ରାର୍ଥୀତ୍ୱ କାଏମ ରହିବାରୁ ସେମାନେ ନିର୍ଦ୍ୱନ୍ଦରେ ଜିତିଛନ୍ତି। ନୂଆ ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ ଏଥି ପାଇଁ ଓଡ଼ିଶା ଅଲିମ୍ପିକ୍‌ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ଏବଂ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର