ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ପାଇଁ ଅଜଣା ଅଶୁଣା ଥିଲେ ବି ଭଲିବଲ୍ ଦୁନିଆ ପାଇଁ ନୁହେଁ। ଓଡ଼ିଶା ଭଲିବଲ୍ର ସେ ଆଦ୍ୟ ପୁରୁଷ। ଭାରତୀୟ ବରିଷ୍ଠ ଦଳରୁ ଖେଳିବା ଏବଂ ସାଫ୍ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ତାଙ୍କ ନାମରେ ରହିଛି। ଲମ୍ବା ଚେହେରାର ଏହି ଖେଳାଳି ଜଣଙ୍କ ହେଲେ ମହମ୍ମଦ ମସିଉଜ୍ ଜମା। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ଭଲିବଲ୍ ଖେଳାଳିର ଗୌରବ ଲୋତକବିନ୍ଦୁ ଦାଶଙ୍କ ନାମରେ ରହିଛି। କିନ୍ତୁ ସେ ଖେଳିଥିଲେ କନିଷ୍ଠ ବର୍ଗରୁ। ଭାରତୀୟ ବରିଷ୍ଠ ଭଲିବଲ୍ ଦଳରୁ ଖେଳିବାରେ ମହମ୍ମଦ ମସିଉଜ୍ ଜମାଙ୍କ ଗୌରବ କିନ୍ତୁ ବହୁ ଉଚ୍ଚରେ। ଭାରତୀୟ ଦଳର ପ୍ରଶିକ୍ଷକ ଭାବେ କାମ କରିବାର ସୁଯୋଗ ବି ପାଇ ସାରିଛନ୍ତି ଏହି ଓଏନ୍ଜିସି ତାରକା। ୧୯୯୦ ମସିହାରେ ଥାଇଲାଣ୍ଡ୍ର ବ୍ୟାଙ୍କକ୍ରେ ଅନୁଷ୍ଠିତ ଏସୀୟ କନିଷ୍ଠ ଭଲିବଲ୍ ପ୍ରତିଯୋଗିତାରେ ଖେଳିଥିଲେ। ଚୀନ, ଜାପାନ, ଇରାନ୍, କାଜାକସ୍ତାନ, ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳାରେ ବି ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ। ୧୯୯୧ ମସିହାରେ କିନ୍ତୁ କଲମ୍ବୋରେ ଅନୁଷ୍ଠିତ ସାଫ୍ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିବାରୁ ମସିଉଜା ଜମାଙ୍କ ଖେଳ ଜୀବନ ପରିପୂର୍ଣ୍ଣ ହୋଇଥିଲା। ୨୦୧୦ ମସିହାରେ ତେହେରାନ୍ରେ ଅନୁଷ୍ଠିତ ଏସୀୟ କନିଷ୍ଠ ଭଲିବଲ୍ ପ୍ରତିଯୋଗିତା ଲାଗି ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ନିଯୁକ୍ତ ହେବା ପରଠାରୁ ତାଙ୍କ ପ୍ରଶିକ୍ଷଣ ଜୀବନ ବି ଆଗକୁ ବଢ଼ିଛି। ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି)ର ଲେବୁଲ୍-୨ ପ୍ରଶିକ୍ଷକ ପାଠ୍ୟକ୍ରମରେ ବି ସେ ସଫଳ ହୋଇଛନ୍ତି। ନିଜ ନିଯୁକ୍ତଦାତା ଓଏନ୍ଜିସି ଦଳରୁ ଖେଳିବା ପରେ ଏବେ ସେହି ଦଳର ପ୍ରଶିକ୍ଷକ ଦାୟିତ୍ବକୁ ସଫଳତାର ସହ ତୁଲାଇ ଆସୁଛନ୍ତି।
ବଲ୍ ଗୋଟାଳିରୁ ସାଫ୍ ସ୍ବର୍ଣ୍ଣ ବିଜେତା
କେନ୍ଦ୍ରାପଡ଼ାର ଜୟପୁର ନିବାସୀ ରଫିକୁଜ୍ ଜୋହା ଏବଂ ଶମିମା ଖାତୁନଙ୍କ ପୁଅ ମହମ୍ମଦ ମସିଉଜ୍ ଜମା ମାତ୍ର ୧୩ ବର୍ଷ ବୟସରେ ଭଲିବଲ୍ ପ୍ରେମରେ ପଡ଼ିଥିଲେ। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଭଲିବଲ୍ ଖେଳିବା ଆରମ୍ଭ କରିଥିଲେ। ବଲ୍ ଗୋଟାଳିରୁ ମୋ ଖେଳ ଜୀବନ ହୋଇଥିଲା। ସାଇ ଛାତ୍ରାବାସରେ ସାମିଲ ହେବା ପରେ କଟକରେ ୧୯୮୭ ମସିହାରୁ ୧୯୯୧ ପର୍ଯ୍ୟନ୍ତ ସମରେନ୍ଦ୍ର ମହାପାତ୍ରଙ୍କଠାରୁ ପ୍ରଶିକ୍ଷଣ ନେଇ ନିଜ ଖେଳକୁ ଶାଣିତ କରିଥିଲେ ବୋଲି ପ୍ରକାଶ କରିଛନ୍ତି ମହମ୍ମଦ ମସିଉଜ୍ ଜମା। କେନ୍ଦ୍ରାପଡ଼ାରେ ନିଜ ସ୍କୁଲ ଓ କଲେଜ ଜୀବନ ବିତାଇବା ପରେ ମୁମ୍ବାଇରେ ବୃତ୍ତିଗତ ଜୀବନକୁ ବଢ଼ାଇଛନ୍ତି ଏହି ମହାନ ଭଲିବଲ୍ ଖେଳାଳି। ଆମ ସମୟରେ କେନ୍ଦ୍ରାପଡ଼ା ଭଲିବଲ୍ର ହବ୍ (କେନ୍ଦ୍ରସ୍ଥଳ) ଥିଲା। ତୁର୍ ମାମୁଁ, ସଂଜୟ ଭାଇ, ଜାଫର ଭାଇ, ନିଜାମ ଅଲୀ ପ୍ରମୁଖ ମିଳିତ ଭାବେ ଖେଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ।
ପତନ ପାଇଁ ପ୍ରଶିକ୍ଷଣ ଦାୟୀ
ଆମ ସମୟରେ ସାଇ ଛାତ୍ରାବାସ ଥିଲା, ଆମେମାନେ ବି ପରିଶ୍ରମ କରୁଥିଲୁ। ସାଇ ଛାତ୍ରାବାସ ବନ୍ଦ ହେବା ଏବଂ ଗୁରୁତ୍ବ ହରାଇବା ପରେ ଓଡ଼ିଶା ଭଲିବଲ୍ର ପତନ ଘଟିଛି। ରାଜ୍ୟ କ୍ରୀଡ଼ା ଛାତ୍ରାବାସରୁ ବି ଆଶାଜନକ ସଫଳତା ମିଳିଲା ନାହିଁ। ଆଗ ଭଳି ମଧ୍ୟ ସେଭଳି ଉତ୍ସର୍ଗିକୃତ ପ୍ରଶିକ୍ଷକ ନାହାନ୍ତି। ଶିକ୍ଷିତ ପ୍ରଶିକ୍ଷକଙ୍କ ଅଭାବ ରହିଛି। ପିଲାମାନେ ବି ଆଗଭଳି ପରିଶ୍ରମ କରୁନାହାନ୍ତି କି ଆଗ୍ରହ ଦେଖାଉନାହାନ୍ତି। ରାଜ୍ୟ ପ୍ରତିଯୋଗିତାରେ ଖେଳି ସେମାନେ ସନ୍ତୁଷ୍ଟ ହୋଇଯାଉଛନ୍ତି। ପ୍ରଶିକ୍ଷକମାନେ ଯଦି ୨/୩ ବର୍ଷର ଯୋଜନା କରନ୍ତେ ତେବେ ସଫଳତା ପାଇ ପାରନ୍ତେ। ସାମଗ୍ରିକ ଭାବେ ବିଶ୍ବର ଏହି ଦ୍ବିତୀୟ ଲୋକପ୍ରିୟ ଖେଳରେ ପେସାଦାର ଢ଼ାଞ୍ଚାର ଆବଶ୍ୟକତା ରହିଛି। କ୍ରିକେଟ୍ରେ ଆଇପିଏଲ୍ ଭଳି ଅର୍ଥ ଓ ଲୋକପ୍ରିୟତା ଯୋଡ଼ା ଯାଇପାରିଲେ ଏହା ସମ୍ଭବ ହୁଅନ୍ତା। ଓଡ଼ିଶାରେ ଏବେ ବି ଭଲିବଲ୍ ନିଜସ୍ବ ପକେଟ ଖର୍ଚରେ ଚଳୁଛି। ଏହି ଲୋକପ୍ରିୟ ଗ୍ରାମୀଣ ଖେଳରେ ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ। ବିଦ୍ୟାଳୟସ୍ତରରେ ଭଲିବଲ୍କୁ ଅଧିକ ଯୋଡ଼ି ପାରିଲେ ଏହା ସଫଳତା ସିଡି ଚଢ଼ି ପାରନ୍ତା। ତାମିଲନାଡୁ ଭଳି ରାଜ୍ୟ ଦୀର୍ଘମିଆଦି ଯୋଜନା କରିବାରୁ ୫ ବର୍ଷ ଭିତରେ ଏବେ ଦେଶର ଅନ୍ୟତମ ଶ୍ରେଷ୍ଠ ଦଳ ଭାବେ ଉଭା ହୋଇଛି। ଭାରତୀୟ ଭଲିବଲ୍ ମଧ୍ୟ ଅସ୍ଥିରତା ଭିତରେ ଥିବାରୁ ଆଗକୁ ବଢ଼ି ପାରିନାହିଁ ବୋଲି ଦୁଃଖର ସହ କହିଥିଲେ ମହମ୍ମଦ ମସିଉଜ୍ ଜମା।