ଭୁବନେଶ୍ବର: ରାଞ୍ଚିସ୍ଥିତ ମାରାଙ୍ଗ ଗୋମ୍‌କେ ଜୟପାଲ ସିଂହ ମୁଣ୍ଡା ଆଷ୍ଟ୍ରୋ ଟର୍ଫ ହକି ‌ଷ୍ଟାଡିୟମ୍‌ରେ ଚାଲିଥିବା ମହିଳା ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶା ୱାରିୟର୍ସ ଚତୁର୍ଥ ବିଜୟ ସହ ପଏଣ୍ଟ୍‌ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ମଙ୍ଗଳବାର ନିଜର ପଞ୍ଚମ ମ୍ୟାଚ୍‌ରେ ଏହି ଦଳ ୨-୦ (୦-୦) ସୁଟ୍‌ଆଉଟ୍‌ରେ ଶୀର୍ଷରେ ଥିବା ସୁର୍‌ମା ହକି କ୍ଲବ୍‌କୁ ପରାସ୍ତ କରିଛି। ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ତେଣୁ ଫଳାଫଳ ଲାଗି ପେନାଲ୍‌ଟି ସୁଟ୍‌ଆଉଟ୍‌ର ସହଯୋଗ ‌ନିଆଯାଇଥିଲା। ଏଥିରେ ଓଡ଼ିଶା  ୨-୦ ଗୋଲ୍‌ରେ ଜିତି ବୋନସ୍‌ ପଏଣ୍ଟ୍‌ ପାଇଥିଲା। ସୁଟ୍‌ଆଉଟ୍‌ରେ ଓଡ଼ିଶାର ସୋନିକା ଓ କାଟଲିନ୍‌ ନବ୍ସ ସଫଳତା ସହ ଗୋଲ୍‌ କରିଥିଲେ। ହେଲେ ସୁର୍‌ମାର ସମସ୍ତ ସୁଯୋଗକୁ ଓଡ଼ିଶା ଗୋଲି ଜାକଲିନ୍‌ ବର୍ତରାମ ଅଟକାଇ ଦଳକୁ ବହୁମୂଲ୍ୟ ବୋନସ୍‌ ପଏଣ୍ଟ୍‌ ଭେଟି ଦେଇଥିଲେ। 

Advertisment

ସେହିଭଳି ରାଉରକେଲାରେ ଖେଳାଯାଇଥିବା ପୁରୁଷ ମ୍ୟାଚ୍‌ରେ ଟିମ୍‌ ଗୋନାସିକା ପରାସ୍ତ ହୋଇଛି। ଏହି ଦଳକୁ ୨-୦ ଗୋଲ୍‌ରେ ୟୁପି ରୁଦ୍ରାସ୍‌ ମାତ୍‌ ଦେଇଛି। ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ‌ତୃତୀୟ କ୍ବାର୍ଟରରେ ‌ରୁଦ୍ରାସ୍‌କୁ ମିଳିଥିବା ଦୁଇଟି ପେନାଲ୍‌ଟି କର୍ଣ୍ଣରକୁ ଟାଙ୍ଗ୍‌ୟୁ କୋସିନ୍ସ (୩୭ ମିନିଟ୍‌) ଓ କେନ ରେସଲ୍ସ (୪୦ ମିନିଟ୍‌) ଗୋଲ୍‌ରେ ପରିଣତ କରି ଦଳକୁ ଆଗୁଆ କରିଥିଲେ। ଚତୁର୍ଥ କ୍ବାର୍ଟରରେ ଆଉ କେହି କାହାରିକୁ ଗୋଲ୍ ଦେଇ ନପାରିବାରୁ ରୁଦ୍ରାସ ବିଜୟୀ ହୋଇଥିଲା।