ରାଉରକେଲା: ମହିଳା ହକି ଇଣ୍ଡିଆ ଲିଗ୍ (ହିଲ୍)ର ବିଜେତା ହୋଇଛି ଓଡ଼ିଶା ୱାରିୟର୍ସ। ରବିବାର ରାଞ୍ଚିର ମାରାଙ୍ଗ ଗୋମକେ ଜୟପାଲ ସିଂହ ମୁଣ୍ଡା ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଉଦ୍ଘାଟନୀ ସଂସ୍କରଣର ଫାଇନାଲ୍ରେ ଓଡ଼ିଶା ୱାରିୟର୍ସ ୨-୧ ଗୋଲ୍ରେ ଜେଏସ୍ଡବ୍ଲ୍ୟୁ ସୁର୍ମା ହକି କ୍ଲବ୍କୁ ପରାସ୍ତ କରି ବିଜେତା ମୁକୁଟ ପିନ୍ଧିଛି। ରବିବାରର ଫାଇନାଲ୍ ଥିଲା ବେଶ୍ ସଂଘର୍ଷପୂର୍ଣ୍ଣ। ପ୍ରଥମ କ୍ବାର୍ଟର୍ରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲେ ମଧ୍ୟ ଏହା ଗୋଲ୍ଶୂନ୍ୟ ରହିଥିଲା। ୨୦ତମ ମିନିଟ୍ରେ ଓଡ଼ିଶା ୱାରିଅର୍ସକୁ ପ୍ରଥମ ସଫଳତା ମିଳିଥିଲା। ଭିକ୍ଟୋରିଆ ସଜ୍ଙ୍କ ସୁନ୍ଦର ପାସ୍କୁ ଋତୁଜା ଦାଦାସୋ ପିସାଲଙ୍କ ଆକର୍ଷଣୀୟ ଗୋଲ୍ ବଳରେ ଓଡ଼ିଶା ୱାରିୟର୍ସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ସ୍କୋର୍ ବରାବର କରିବାକୁ ସୁର୍ମା ଆକ୍ରମଣକୁ ଆହୁରି ତୀବ୍ର କରିଥିଲା। ଫଳରେ ଦ୍ବିତୀୟ କ୍ୱାର୍ଟର ଶେଷ ହେବାର ଦୁଇ ମିନିଟ୍ ପୂର୍ବରୁ ସୁର୍ମା ଦଳ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା। ଏହାକୁ ହାତଛଡ଼ା ନ କରି ପେନି ସ୍କ୍ୱିବ୍ ଗୋଲ୍ଦେଇ ସ୍ଥିତି ୧-୧ କରିଥିଲେ। ତୃତୀୟ କ୍ବାର୍ଟର୍ରେ ଅଗ୍ରଣୀ ପାଇଁ ଉଭୟ ଦଳ ଜୋରଦାର ଲଢ଼େଇ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ନଥିଲେ। ଚତୁର୍ଥ କ୍ବାର୍ଟରରେ ଓଡ଼ିଶା ୱାରିୟର୍ସ ଦୁଇଟି ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲେ ମଧ୍ୟ ତାକୁ ହାତଛଡ଼ା କରିଥିଲା। ତେବେ ୫୬ତମ ମିନିଟ୍ରେ ଋତୁଜା ଆଉ ଏକ ଗୋଲ୍ ଦେଇ ଦଳକୁ ୨-୧ ଆଗୁଆ କରିଥିଲେ। ଶେଷ ୪ ମିନିଟ୍ରେ ସୁର୍ମା ମ୍ୟାଚ୍କୁ ଫେରିବାକୁ ପ୍ରୟାସ କରିଥିଲେ ମଧ୍ୟ ୱାରିୟର୍ସ ଖେଳାଳି ତାର ସବୁ ରଣନୀତିକୁ ପ୍ରତିହତ କରି ଦମ୍ଦାର ବିଜୟ ହାସଲ କରିଥିଲେ। ସୁର୍ମା ହକି କ୍ଲବ୍ର ଜ୍ୟୋତି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ସବିତା ଶ୍ରେଷ୍ଠ ଗୋଲ୍କିପର୍, ସୋନମ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ଶ୍ରେଷ୍ଠ ସ୍କୋରର୍ ଭାବେ ୟୁବି ୟାନସେନ (ଓଡ଼ିଶା ୱାରିୟର୍ସ) ଓ ଚାର୍ଲୋଟ ଏଙ୍ଗଲବର୍ଟ (ସୁର୍ମା ହକି କ୍ଲବ୍) ପୁରସ୍କୃତ ହୋଇଥିଲେ।
କଳିଙ୍ଗ ଲାନ୍ସର୍ସ ଓ ଦିଲ୍ଲୀ ପାଇପର୍ସ ବିଦା
ନିଜ ନିଜ ଅନ୍ତିମ ମ୍ୟାଚ୍ରେ ପରାଜୟ ବରଣ କରି ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। କଳିଙ୍ଗ ଲାନ୍ସର୍ସ (୧୨ ପଏଣ୍ଟ୍) ଷଷ୍ଠ ଓ ଦିଲ୍ଲୀ ପାଇପର୍ସ (୫ ପଏଣ୍ଟ୍) ଟେବୁଲର ଶେଷ ଦୁଇ ସ୍ଥାନରେ ରହିଛି। ସୋମବାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ୨-୧ ଗୋଲ୍ରେ ଦିଲ୍ଲୀ ଏସ୍ଜି ପାଇପର୍ସକୁ ପରାସ୍ତ କରିଛି। ଏହାସହ ପଏଣ୍ଟ୍ ଟେବୁଲର ଶୀର୍ଷସ୍ଥାନ ବଜାୟ ରଖିଛି। ଦ୍ବିତୀୟ ମ୍ୟାଚ୍ରେ ତାରକା ଖଚିତ ସୁର୍ମା ହକି କ୍ଲବ୍ ୫-୩ ଗୋଲ୍ରେ କଳିଙ୍ଗ ଲାନ୍ସର୍ସକୁ ହରାଇଛି। ସୁର୍ମା ପକ୍ଷରୁ ଅଧିନାୟକ ହର୍ମନପ୍ରୀତ ସିଂହ (୩୨,୫୪) ଦୁଇଟି, ପ୍ରଭଜୋତ ସିଂହ (୨୬), ନିକୋଲାସ କିନାନ (୩୩) ଓ ମନିନ୍ଦର ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିବା ବେଳେ ଲାନ୍ସର୍ସ ପକ୍ଷରୁ ଦିଲପ୍ରୀତ ସିଂହ(୫), ବ୍ରିଙ୍କମ୍ୟାନ ଥିଏରୀ(୪୪) ଓ ଗୁରସାହିବଜିତ ସିଂହ (୫୬) ଗୋଟିଏ ଲେଖାଏଁ ଗୋଲ୍ ଶୁଝିଥିଲେ।