ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଆଇଟିଟିଏଫ୍-ଏଟିଟିୟୁ ଏସୀୟ ଦଳଗତ ଟେବୁଲ୍ ଟେନିସ୍ (ଟିଟି) ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଇନଡୋର୍ ଆଥଲେଟିକ୍ସ ସେଣ୍ଟର୍ଠାରେ ଉଦ୍ଘାଟିତ ହୋଇଯାଇଛି। ଏସିଆ ମହାଦେଶର ୨୨ଟି ଦେଶର ବଛାବଛାଟିଟି ଖେଳାଳିଙ୍କୁ ଖୋଲା ହୃଦୟରେ ସ୍ବାଗତ କରିଛି ଓଡ଼ିଶା । ଅପୂର୍ବ ଅତିଥେୟତା ପ୍ରଦାନ କରି କ୍ରୀଡ଼ା ମାଧ୍ୟମରେ 'ବ୍ରାଣ୍ଡ ଓଡ଼ିଶା'ର ଚମକକୁ ବିଶ୍ବ ଦରବାରରେ ଆହୁରି ବଢ଼ାଇବାର ଲକ୍ଷ୍ୟ ସାଧନ ଦିଗରେ ଆଉ ଏକ ପାଦ ବଢ଼ାଇଛି। ଶନିବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତୀକାତ୍ମକ ଭାବେ ବଲ୍ ଗଡ଼ାଇ ଏହି ମହାଦେଶୀୟ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ତା' ସହିତ ଓଡ଼ିଶା କ୍ରୀଡ଼ା ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ପୂର୍ବରୁ ଓଡ଼ିଶା ସଫଳତାର ସହ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଥିଲା। ଏବେ ଏସୀୟ ଦଳଗତ ଟିଟି ଆୟୋଜନ କରିଥିବା ହାତଗଣତି ଭାରତୀୟ ରାଜ୍ୟ ମଧ୍ୟରେ ସାମିଲ ହୋଇଛି। ଓଡ଼ିଶାରେ ଏଭଳି ଏକ ପ୍ରତିଯୋଗିତା ପ୍ରଥମ ଥର ଆୟୋଜିତ ହେଉଛି। ଏଣୁ ଆଗାମୀ ସମୟରେ ଓଡ଼ିଶାରେ ଟିଟିର ଲୋକପ୍ରିୟତା ଓ ଗ୍ରହଣୀୟତା ଢେର୍ ବଢ଼ିବ ବୋଲି ମଧ୍ୟ ରାଜ୍ୟ ଟିଟି ସଂଘ ଆଶା ରଖିଛି। ‘‘ଏସୀୟ ଦଳଗତ ଟିଟି ପ୍ରତିଯୋଗିତା ଆୟୋଜନ କରି ଆମେ ଗର୍ବିତ। ଏହା ବିଶ୍ବ କ୍ରୀଡ଼ା ଦୃଶ୍ୟପଟ୍ଟରେ ଓଡ଼ିଶାର ବର୍ଦ୍ଧିତ ସମ୍ମାନକୁ ଦର୍ଶାଉଛି। ଆମେ ୨୨ଟି ଦେଶର ଖେଳାଳିଙ୍କୁ ଏହି ପ୍ରତିଯୋଗିତାକୁ ସ୍ବାଗତ କରୁଛୁ'' ବୋଲି ଏହି ଅବସରରେ କହିଥିଲେ ଶ୍ରୀ ସୂର୍ଯ୍ୟବଂଶୀ। ଅନ୍ୟମାନଙ୍କ ମଧ୍ୟରେ ଏଟିଟିୟୁର କାର୍ଯ୍ୟକାରୀ ଆଞ୍ଚଳିକ ଉପସଭାପତି ଶେଖ ହୟାତ ଅଲୀ ଖଲିଫା, ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘର ସଭାପତି ଦୁଷ୍ୟନ୍ତ ଚୌତାଲା, କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ଭାରତୀୟ ଟେବୁଲ୍ ଟେନିସ୍ କିଂବଦନ୍ତି ତଥା ପ୍ରତିଯୋଗିତାର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ଅଚନ୍ତ ଶରତ କମଲ, ମେଘନା ଅହ୍ଲାୱତ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଟ୍ରାକ୍ ଭିତରେ ଟିଟି
ଆଥଲେଟ୍ମାନଙ୍କୁ ବର୍ଷ ସାରା ଅଭ୍ୟାସ କରିବା ତଥା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ ଲକ୍ଷ୍ୟ ନେଇ ନିର୍ମାଣ କରାଯାଇଥିଲା କଳିଙ୍ଗ ଷ୍ଟାଡିୟମ୍ ଇନଡୋର୍ ଆଥଲେଟିକ୍ସ ଷ୍ଟାଡିୟମ୍। ଏହା ମଧ୍ୟ ସମଗ୍ର ଭାରତବର୍ଷର ପ୍ରଥମ ଇନ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ୍ ହେବାର ଗୌରବ ଅର୍ଜନ କରିଥିଲା। ୧୨୦କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଷ୍ଟାଡିୟମ୍ରେ ଦାମୀ ମୁଣ୍ଡୋ ଟ୍ରାକ୍ ବିଛାଯାଇଛି। ଅଣ୍ଡାକୃତିର ଏହି ଟ୍ରାକ୍ ଦେଖିବାକୁ ବେଶ୍ ସୁନ୍ଦର ହୋଇଥିଲା ବେଳେ ଖାସ୍ ଇନ୍ବଡୋର ଆଥଲେଟିକ୍ସ ପ୍ରତିଯୋଗିତା ଲାଗି ଏହାକୁ ଡିଜାଇନ୍ କରାଯାଇଛି। ତେବେ ଏହି ଟ୍ରାକ୍ର ମଝିରେ ଥିବା ଖାଲି ସ୍ଥାନକୁ ଏବେ ସୁନ୍ଦର ଭାବେ ଉପଯୋଗ କରାଯାଇଛି। ଏଠାରେ ଅସ୍ଥାୟୀ ଟେବୁଲ୍ ଟେନିସ୍ ସ୍ଥାପନ କରାଯାଇ ଏସୀୟ ଦଳଗତ ଟିଟି ପ୍ରତିଯୋଗିତା ଆୟୋଜିତ ହେଉଛି। ସୁନ୍ଦର ଗ୍ୟାଲେରି ସହ ଚାରିପଟେ ନୀଳ ଟ୍ରାକ୍ ଏବଂ ମଝିରେ ପଡ଼ିଥିବା ଟେବୁଲ୍ ଗୁଡ଼ିକରେ ଟିଟି ଖେଳାଯିବା ଏକ ଅପୂର୍ବ ଦୃଶ୍ୟ ସୃଷ୍ଟି କରୁଛି। ରାଜ୍ୟ କ୍ରୀଡ଼ା ବିଭାଗର ଟ୍ରାକ୍ ଭିତରେ ଏହି ମହାଦେଶୀୟ ଟିଟି ପ୍ରତିଯୋଗିତାକୁ ଆଥଲେଟ୍ମାନେ ଊଣା ଆଖିରେ ଦେଖୁଥିଲେ ମଧ୍ୟ କ୍ରୀଡ଼ାପ୍ରେମୀଙ୍କୁ ବେଶ୍ ପସନ୍ଦ ଆସୁଛି। ବିଭିନ୍ନ ଦେଶରୁ ଆସିଥିବା ଖେଳାଳିମାନେ ମଧ୍ୟ ଏଭଳି ଏକ ଭିତ୍ତିଭୂମିକୁ ବେଶ୍ ପସନ୍ଦ କରୁଛନ୍ତି। ଏଠାରୁ ଲଣ୍ଡନରେ ଆସନ୍ତାବର୍ଷ ଆୟୋଜିତ ହେବାକୁ ଥିବା ବିଶ୍ବ ଟେବୁଲ୍ ଟେନିସ୍ ଲାଗି ଟିକେଟ ହାସଲ କରିବାର ସୁଯୋଗ ଥିବାରୁ ନିଜନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସମସ୍ତେ ଲକ୍ଷ୍ୟ ରଖିଛନ୍ତି।
ଓଲି ପାଇଁ ଅଲଗା କ୍ରେଜ୍
ଟେବୁଲ୍ ଟେନିସ୍ ଭଳି ଏକ ଅପେକ୍ଷାକୃତ କମ୍ ଲୋକପ୍ରିୟ ଖେଳ ପାଇଁ ଟିକେଟ ବ୍ୟବସ୍ଥା କରାଯାଇଥିବାରୁ ଦର୍ଶକ ସଂଖ୍ୟା ଆଶାଠାରୁ କମ୍ ରହିଛନ୍ତି। ଯେତିକି ଦର୍ଶକ ଅଛନ୍ତି, ସେମାନଙ୍କୁ ମନୋରଞ୍ଜନର ଖୋରାକ ଦେବାର ଗୁରୁ ଦାୟିତ୍ବ ମାସ୍କଟ ଓଲି ନେଇଛି। ମଝିରେ ମଝିରେ ଗ୍ୟାଲେରି ଆସି ଦର୍ଶକଙ୍କ ସହ କୌତୁକିଆ ଭାବ ବିନିମୟ କରୁଛି। ସେମାନଙ୍କୁ ସେଲ୍ଫି ଦେଇ ମନ ଜିତୁଛି। ତେବେ ଷ୍ଟାଡିୟମ୍ ଭିତରେ ଏକାଧିକ ଓଲି ବୁଲିବା କୁନି ପ୍ରଶଂସକଙ୍କ ମନରେ କୌତୁହଳର ଭାବ ସୃଷ୍ଟି କରୁଛି। ଓଲିର ରୂପରେ ବିମୁଗ୍ଧ ହେଉଥିଲେ ମଧ୍ୟ ତା' ଭିତରେ ଥିବା ମଣିଷକୁ ଜାଣିବା ପାଇଁ ଅଧିକାଂଶ ଦର୍ଶକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ପଚରା ପଚରି ପରେ ଓଲି ଭିତର ଥିବା ଦୁଇ ମଣିଷ ବିଜେବି କଲେଜର ଛାତ୍ର ଏବଂ ସେମାନେ ପାଠପଢ଼ା ସହ ଏହି କାର୍ଯ୍ୟଭାର ସାମୟିକ ଭାବେ ନେଉଛନ୍ତି ବୋଲି ଜଣାପଡ଼ିଛି।
ପ୍ରଥମ ଦିନରେ ବଡ଼ ବିପର୍ଯ୍ୟୟ ନାହିଁ
ଏସୀୟ ଦଳଗତ ଟିଟି ପ୍ରଥମ ଦିନରେ ଖେଳାଯାଇଥିବା ପ୍ରଥମ ଡିଭିଜନ ଚାମ୍ପିଅନ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ସେମିତି କିଛି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିନାହିଁ। ତେବେ ପୁରୁଷରେ ନିଜନିଜ ଗ୍ରୁପ୍ମ୍ୟାଚ୍ ଜିତି ସପ୍ତମ ସିଡ୍ କାଜାଖ୍ସ୍ତାନ, ଇରାନ (୮), ସିଙ୍ଗାପୁର (୯), ମାଲେସିଆ (୧୦) ଓ ଥାଇଲାଣ୍ଡ (୧୧) ପ୍ରଥମ ଡିଭିଜନର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳାରେ ସିଙ୍ଗାପୁର, ଚାଇନିଜ୍ ତାଇପେଇ, ମାଲେସିଆ ଓ ଶ୍ରୀଲଙ୍କା ନିଜନିଜ ମ୍ୟାଚ୍ ଜିତି ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଶନିବାର ଖେଳାଯାଇଥିବା ପୁରୁଷ ମ୍ୟାଚ୍ଗୁଡ଼ିକରେ କିର୍ଗିଜ୍ସ୍ତାନ ୩-୧ରେ ଶ୍ରୀଲଙ୍କାକୁ, କାଜାଖ୍ସ୍ତାନ ୩-୦ରେ କିର୍ଗିଜ୍ସ୍ତାନକୁ, ମଙ୍ଗୋଲିଆ ୩-୧ରେ ମାଳଦ୍ବୀପକୁ, ଇରାନ ୩-୦ରେ ମାଳଦ୍ବୀପକୁ, ଉଜ୍ବେକିସ୍ତାନ ୩-୦ରେ ଓମାନକୁ, ସିଙ୍ଗାପୁର ୩-୦ରେ ଓମାନକୁ ପରାସ୍ତ କରିଥିଲା। ସେହିଭଳି କୋରିଆ ୩-୦ରେ ମକାଉକୁ ଏବଂ ମାଲେସିଆ ୩-୦ରେ ମକାଉକୁ ହରାଇଥିଲା। ମହିଳାର ପ୍ରଥମ ଡିଭିଜନ୍ ମ୍ୟାଚ୍ଗୁଡ଼ିକରେ ଶ୍ରୀଲଙ୍କା ୩-୦ରେ ମଙ୍ଗୋଲିଆକୁ, ଥାଇଲାଣ୍ଡ ୩-୦ରେ ଶ୍ରୀଲଙ୍କା, କାଜାଖସ୍ତାନ ୩-୦ରେ ମାଳଦ୍ବୀପକୁ, ସିଙ୍ଗାପୁର ୩-୦ରେ ମାଳଦ୍ବୀପକୁ, ଚାଇନିଜ୍ ତାଇପେଇ ୩-୦ରେ ବାଂଲାଦେଶକୁ, ମକାଉ ୩-୨ରେ ଉଜ୍ବେକିସ୍ତାନକୁ, ଚାଇନିଜ୍ ତାଇପେଇ ୩-୦ରେ ମକାଉକୁ, ଉଜ୍ବେକିସ୍ତାନ ୩-୦ରେ ବାଂଲାଦେଶକୁ, ମାଲେସିଆ ୩-୦ରେ ନେପାଳକୁ, ଇରାନ ୩-୦ରେ କିର୍ଗିଜସ୍ତାନକୁ, ଇରାନ ୩-୦ରେ ନେପାଳକୁ ଏବଂ ମାଲେସିଆ ୩-୦ରେ କିର୍ଗିଜ୍ସ୍ତାନକୁ ହରାଇଥିଲା।