ଭୁବନେଶ୍ବର: ଡାଏମଣ୍ଡ୍ ଲିଗ୍ ତଳକୁ ଦ୍ବିତୀୟ ମର୍ଯ୍ୟାଦାଜନକ ଦୌଡ଼କୁଦ ଇଭେଣ୍ଟ୍ ବିବେଚିତ ହେଉଥିବା ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଲେବୁଲ୍ ପ୍ରତିଯୋଗିତା ଅଗଷ୍ଟ ୧୦ ତାରିଖରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଏଥି ସହିତ ଓଡ଼ିଶା ପ୍ରଥମ ଥର ପାଇଁ ଏକ ବିଶ୍ବସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରି ଭାରତୀୟ କ୍ରୀଡ଼ା ଦୁନିଆରେ ନୂଆ ଫର୍ଦ ଯୋଡ଼ିବ। କାରଣ ବିଶ୍ବ ଦୌଡ଼କୁଦ ସ୍ତରୀୟ ପ୍ରତିଯୋଗିତା କେବଳ ଓଡ଼ିଶାରେ ନୁହେଁ ଭାରତରେ ବି ପ୍ରଥମ ଥର ଅନୁଷ୍ଠିତ ହେବ। ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଜାପାନର ଟୋକିଓରେ ଖେଳାଯିବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ମଧ୍ୟ ଏହି ବ୍ରୋଞ୍ଜ ଲେବୁଲ୍ ପ୍ରତିଯୋଗିତା ଯୋଗ୍ୟତା ସୁଯୋଗ ରଖିବ। ଉଭୟ ପୁରୁଷ ଓ ମହିଳା ବିଭାଗରେ ମୋଟ ୨୦ ଇଭେଣ୍ଟ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଭାରତରୁ ପ୍ରାୟ ୧୦୦ ଖେଳାଳି ଏବଂ ବିଦେଶରୁ ପ୍ରାୟ ୫୦ ଜଣ ଅଂଶଗ୍ରହଣ କରିବେ ବୋଲି ଭାରତୀୟ ଦୌଡ଼କୁଦ ସଂଘ ସମ୍ପାଦକ ସନ୍ଦୀପ ମେହେଟା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଜୁଲାଇ ୧୫ ତାରିଖ ନାମ ପଞ୍ଜୀକରଣର ଶେଷ ତାରିଖ ଥିବାରୁ ଖୁବ୍ ଶୀଘ୍ର ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
୮ ବର୍ଷ ପରେ ଓଡ଼ିଶା ଏକ ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରୁଥିବାରୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ମଧ୍ୟ ଉତ୍ସାହିତ ଅଛି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ‘‘୨୦୧୭ ମସିହାରେ ଓଡ଼ିଶାରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିଥିଲା। ଏବେ ଏକ ବିଶ୍ବସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଖେଳାଳିଙ୍କ ମାନ୍ୟତା ବୃଦ୍ଧିରେ ଏହା ସହାୟକ ହେବ। ଭାରତ ସହିତ ତୁର୍କମେନିସ୍ତାନ, ଭୁଟାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ମାଲେସିଆ, ଇରାକ, ଭିଏତନାମ, କାମେରୁନ୍, ଶ୍ରୀଲଙ୍କା, ଇରାନ୍ ଓ ମାଳଦ୍ବୀପ ଆଦି ୧୦ରୁ ଊର୍ଧ୍ବ ଦେଶର ଖେଳାଳି ଏଥିରେ ଅଂଶଗ୍ରହଣ କରିବେ। ଏହି ସମ୍ମାନଜନକ ପ୍ରତିଯୋଗିତା ଓଡ଼ିଶାକୁ ବିଶ୍ବ ଦୌଡ଼କୁଦ ମାନଚିତ୍ରରେ ସ୍ଥାନିତ କରିବ’’। ଏହି ପ୍ରତିଯୋଗିତା ଆୟୋଜିତ ହେବା ମଧ୍ୟ ଓଡ଼ିଶା କ୍ରୀଡ଼ା ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ ବୋଲି ମନ୍ତ୍ରୀ ସୂରଜ ଆଶା ପ୍ରକଟ କରିଥିଲେ। ଅନିମେଷ କୁଜୁର, ଶ୍ରାବଣୀ ନନ୍ଦ, ଅଶୋକ ଦଣ୍ଡସେନା ଓ ସସ୍ମିତା ଟିଗାଙ୍କ ଭଳି ଖେଳାଳି ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛନ୍ତି। କଣ୍ଟିନେଣ୍ଟାଲ୍ ଟୁର୍ ଇଭେଣ୍ଟ୍ରେ ଓଡ଼ିଶା ଖେଳାଳି ଭଲ କରନ୍ତୁ ଏବଂ ଭାରତୀୟ ଖେଳାଳି ଅଧିକ ପଦକ ଜିତନ୍ତୁ ବୋଲି ମନ୍ତ୍ରୀ ଆଶା କରିଥିଲେ। କନିଷ୍ଠ ବର୍ଗରେ ଓଡ଼ିଶା ନିକଟରେ ପ୍ରଚୁର ପ୍ରତିଭା ରହିଥିବାରୁ ପରବର୍ତ୍ତୀ ପିଢ଼ି ବି ବାହାରିପାରିବେ ବୋଲି ମନ୍ତ୍ରୀ କହିଥିଲେ। ଓଡ଼ିଶା ଦୌଡ଼କୁଦ ପ୍ରକଳ୍ପର ସିଓଓ ଦିନେଶ ସୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ସଚିବ ଭାସ୍କର ଶର୍ମା, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଭାରତୀୟ ଦୌଡ଼କୁଦ ସଂଘ କୋଷାଧ୍ୟକ୍ଷ ଷ୍ଟାନଲେ ଜୋନ୍ସ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଲେବୁଲ୍ ପ୍ରତିଯୋଗିତାରେ ମୋଟ ୨୦ ଇଭେଣ୍ଟ୍ ଖେଳାଯିବ। ୧୦୦, ୨୦୦, ୪୦୦, ୮୦୦ ଓ ୧୫୦୦ ମିଟର୍ ଓ ୪ ଗୁଣା ୪୦୦ ମିଟର୍ ରିଲେ, ଲଙ୍ଗ୍ଜମ୍ପ୍, ଜାଭଲିନ୍ ଥ୍ରୋ ଆଦି ୮ରେ ଉଭୟ ପୁରୁଷ ମହିଳା ଇଭେଣ୍ଟ୍ ଖେଳାଯିବ। ପୁରୁଷ ବିଭାଗରେ ମଧ୍ୟ ୫୦୦୦ ମିଟର ଦୌଡ଼, ଟ୍ରିପଲ୍ ଜମ୍ପ୍, ସଟ୍ପୁଟ୍ ଖେଳାଯିବ। ୪ ଗୁଣା ୪୦୦ ମିଟର୍ ମିଶ୍ରିତ ରିଲେ ମଧ୍ୟ ସାମିଲ ରହିଛି। ଯାହାକି କଳିଙ୍ଗ ଷ୍ଟାଡିୟମ୍ ଦର୍ଶକଙ୍କୁ ଅଗଷ୍ଟ ୧୦ରେ ଦିନତମାମ ଟ୍ରାକ୍ ଆଣ୍ଡ୍ ଫିଲ୍ଡର ଏକାଧିକ ରୋମାଞ୍ଚ ଯୋଗାଇଦେବ।
‘ବିଶ୍ବ ଦୌଡ଼କୁଦ ମାନଚିତ୍ରରେ ପହଞ୍ଚିବ ଓଡ଼ିଶା’: କଳିଙ୍ଗ ଷ୍ଟାଡିୟମ୍ରେ ଅଗଷ୍ଟ ୧୦ରେ ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ୍ ଟୁର୍
ଡାଏମଣ୍ଡ୍ ଲିଗ୍ ତଳକୁ ଦ୍ବିତୀୟ ମର୍ଯ୍ୟାଦାଜନକ ଦୌଡ଼କୁଦ ଇଭେଣ୍ଟ୍ ବିବେଚିତ ହେଉଥିବା ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଲେବୁଲ୍ ପ୍ରତିଯୋଗିତା ଅଗଷ୍ଟ ୧୦ ତାରିଖରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ...
/sambad/media/media_files/2025/07/12/qazxsw-2025-07-12-06-07-27.jpg)