ଭୁବନେଶ୍ବର: ଏପର୍ଯ୍ୟନ୍ତ ସୁପର କପ୍ରେ ଅପରାଜେୟ ଥିବା ଓଡ଼ିଶା ଏଫ୍ସି ଶନିବାର ଖେଳାଯିବାକୁ ଥିବା ସେମିଫାଇନାଲ୍ରେ ନର୍ଥଇଷ୍ଟ ୟୁନାଇଟେଡ୍କୁ ଭେଟିବ। ଏହି ମ୍ୟାଚ୍ କେରଳର ପାୟାନାଦ୍ ଷ୍ଟାଡିୟମ୍ରେ ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ଏଫ୍ସି ଚମତ୍କାର ପ୍ରଦର୍ଶନ ଦେଇଥିଲା ବେଳେ ତାରକା ଖେଳାଳି ଡିଏଗୋ ମୌରିସିଓ, ଭିକ୍ଟର ରଦ୍ରିଗ୍ବେଜ ଓ ନନ୍ଦା ସମସ୍ତ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ପ୍ରଥମ ଥର ଫାଇନାଲ୍ ଖେଳିବାରୁ ଦଳ ଆଉ ଗୋଟିଏ ପାଦ ଦୂରରେ ରହିଛି। ଅନ୍ୟପକ୍ଷରେ ନର୍ଥଇଷ୍ଟ ୟୁନାଇଟେଡ୍କୁ ପ୍ରତିଯୋଗିତାରେ ମିଶ୍ରିତ ଫଳ ମିଳିଛି।
ଦୁଇଟି ମ୍ୟାଚ୍ ଜିତିଥିଲା ବେଳେ ଗୋଟିଏ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି। ତେବେ ମୁମ୍ବାଇ ସିଟି ଏଫ୍ସି ଓ ଚର୍ଚ୍ଚିଲ ବ୍ରଦର୍ସ ବିପକ୍ଷ ବିଜୟ ପରେ ଦଳର ମନୋବଳ ବୃଦ୍ଧି ହୋଇଛି। ତେଣୁ ଓଡ଼ିଶା ଏଫ୍ସି ବିପକ୍ଷରେ ମଧ୍ୟ ବିଜୟ ଧାରା ବଜାୟ ରଖି ଏହି ଦଳ ଫାଇନାଲ୍ ଟିକେଟ ପାଇବା ଅଶା ରଖିଛି। ପୂର୍ବରୁ ଏହି ଦୁଇ ଦଳ ଚାରିଥର ଭେଟାଭେଟି ହୋଇଛନ୍ତି। କିନ୍ତୁ ସବୁଥିରେ ଓଡ଼ିଶା ଏଫ୍ସିର ଜିତାପଟ ରହିଛି। ୨୦୨୧-୨୨ ଆଇଏସ୍ଏଲ୍ରେ ୨-୦ ଗୋଲ୍, ଡୁରାଣ୍ଡ କପ୍ରେ ୬-୦ ଗୋଲ୍, ଗତବର୍ଷ ଆଇଏସ୍ଏଲ୍ରେ ୨-୧ ଓ ୩-୧ରେ ଓଡ଼ିଶା ଏଫ୍ସି ବିଜୟୀ ହୋଇଥିଲା। କିନ୍ତୁ ପୁରୁଣା ପରିସଂଖ୍ୟାନକୁ ଭୁଲି ନର୍ଥଇଷ୍ଟ ୟୁନାଇଟେଡ୍ ଏକ ନୂଆ ରଣନୀତି ନେଇ ଶନିବାର ପଡ଼ିଆକୁ ଓହ୍ଲାଇବ। ତେଣୁ ସେମିଫାଇନାଲ୍ରେ ରୋମାଞ୍ଚକର ମୁକାବିଲା ହେବା ନେଇ ଆଶା କରାଯାଉଛି।