ଭୁବନେଶ୍ବର: ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ହକି ଦଳ ବୁଧବାର ଓଡ଼ିଶା ଆସିବ। ଅପରାହ୍ଣ ୧୨.୩୦ରେ ଖେଳାଳିମାନେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପାଦ ଥାପିବା ପରେ ସେମାନଙ୍କୁ ସେଠାରେ ଦିଆଯିବ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ପାରମ୍ପରିକ ଓଡ଼ିଆ ଶୈଳୀରେ ପାଛୋଟି ନେବେ ପ୍ରଶଂସକ, ହକି ଇଣ୍ଡିଆର କର୍ମକର୍ତ୍ତା ଓ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀମାନେ। ଭୁବନେଶ୍ବରରେ ଥିବା ଓଡ଼ିଆ ତାରକା ଅମିତ ରୋହିଦାସ ଦଳ ସହ ଯୋଗଦେବା ପରେ ଖେଳାଳିମାନେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ରୋଡ୍ ଶୋ’ରେ କଳିଙ୍ଗ ଷ୍ଟାଡିୟମ୍ ବାହାରିବେ। ପାଖାପାଖି ଦୁଇ ଘଣ୍ଟାର ରୋଡ୍ ଶୋ’ ପରେ ଷ୍ଟାଡିୟମ୍ରେ ପହଞ୍ଚି ଫଟୋ ସୁଟ୍ରେ ଯୋଗଦେବେ। ସେଠାରେ ଆଦର ସତ୍କାର ପରେ ସିଧାସଳଖ ଦଳୀୟ ହୋଟେଲକୁ ଯାଇ ବିଶ୍ରାମ କରିବେ। ଅପରାହ୍ଣ ୫ଟା ୩୦ରେ ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖେଳାଳିଙ୍କୁ ପୂର୍ବ ଘୋଷଣା ଅନୁସାରେ ଆର୍ଥିକ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିବେ। ଭାରତୀୟ ଦଳର ଖେଳାଳିମାନେ ପ୍ରତ୍ୟେକ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫ୍ ୧୦ ଲକ୍ଷ ଟଙ୍କା ଲେଖାଏଁ ପାଇବେ। ଓଡ଼ିଆ ପୁଅ ଅମିତ ରୋହିଦାସ ୪ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଗ୍ରହଣ କରିବେ। ଏହି ଅବସରରେ ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭଲିନ୍ରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ଅନ୍ୟତମ ସଫଳ କ୍ରୀଡ଼ା ତାରକା କିଶୋର ଜେନାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର ସୂଚନା ‘ସମ୍ବାଦ’ର ହସ୍ତଗତ ହୋଇଛି। ଭାରତୀୟ ହକି ଦଳ ୪୮ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିଲା। ପୁଣି ପ୍ୟାରିସ୍ରେ ଏହି ସଫଳତାକୁ ଦୋହରାଇଛି। ୫୨ ବର୍ଷ ପରେ ଲଗାତାର କାଂସ୍ୟ ପଦକ ଜିତିବାର ଗୌରବ ହାସଲ କରିଥିଲା ଭାରତ। ଯାହାକୁ ନେଇ ସମଗ୍ର ଦେଶ ଉତ୍ସବ ମୁଖର ଥିଲା ବେଳେ ଦଳର ପ୍ରାୟୋଜକ ଓ ପୃଷ୍ଠପୋଷକ ଭାବେ ‘ଓଡ଼ିଶା’ ଅନନ୍ୟ ଇତିହାସର ଅଂଶୀଦାର ହୋଇପାରିଛି। ଏକ ଦଶନ୍ଧି ହେବ ଭାରତୀୟ ହକି ଦଳର ପ୍ରାୟୋଜକ ଥିଲା ବେଳେ ଆଗାମୀ ସମୟରେ ମଧ ଏହି ଧାରା ଜାରି ରହିବ ବୋଲି ରାଜ୍ୟର ନୂଆ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ବୁଧବାର ଓଡ଼ିଶା କ୍ରୀଡ଼ାକୁ ନେଇ ଏକାଧିକ ମହତ୍ତ୍ବପୂର୍ଣ୍ଣ ଘୋଷଣା କରିବାର ସମ୍ଭାବନା ରହିଛି।
ଓଡ଼ିଶାକୁ କୃତଜ୍ଞତା ଜଣାଇବେ ଖେଳାଳି
ଭାରତୀୟ ହକିର ପୁନରୁଦ୍ଧାରରେ ‘ଓଡ଼ିଶା’ର ପ୍ରମୁଖ ହାତ ରହିଛି। ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବେ ଜାତୀୟ ହକି ଦଳର ପ୍ରାୟୋଜକ ହେବାଠାରୁ ଦୁଇଟି ବିଶ୍ବକପ୍ର ସଫଳ ଆୟୋଜକ ହୋଇ ଭାରତୀୟ ହକିକୁ ଅଲିମ୍ପିକ୍ସରେ ସଫଳ କରାଇବା ପର୍ଯ୍ୟନ୍ତ ଓଡ଼ିଶା ସବୁବେଳେ ପାଖେପାଖେ ଭାରତୀୟ ହକି ଖେଳାଳିଙ୍କୁ ସହ ରହିଆସିଛି। ହକି ପଡ଼ିଆର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଓଡ଼ିଶା ଏବେ ସମ୍ବର୍ଦ୍ଧିତ କରିବାକୁ ପୂରା ପ୍ରସ୍ତୁତ ଥିଲା ବେଳେ ହକି ଖେଳାଳିମାନେ ମଧ୍ୟ ସେମାନଙ୍କ ସଫଳତାରେ ‘ଓଡ଼ିଶାର’ ଅବଦାନକୁ ସଲାମ କରିଛନ୍ତି। ବୁଧବାରର ସମ୍ବର୍ଦ୍ଧନା ଉତ୍ସବରେ ସେମାନେ ମଧ୍ୟ୍ୟ ଓଡ଼ିଶାକୁ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଜଣାଇବାକୁ ଯାଉଛନ୍ତି। ଏହାର ନେତୃତ୍ବ ଅଧିନାୟକ ହର୍ମନପ୍ରୀତ ସିଂହ ନେବେ। ପାଖରେ ଭାରତୀୟ ହକିର ଅନ୍ୟତମ କିଂବଦନ୍ତି ପୁରୁଷ ପିଆର୍ ଶ୍ରୀଜେଶ ଓ ଅନ୍ୟମାନେ ଉପସ୍ଥିତ ରହିବେ। ରାଜ୍ୟର ଏକମାତ୍ର ଖେଳାଳି ଭାବେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାର ବିରଳ ସଫଳତା ଲାଭ କରିଥିବା ଅମିତ ରୋହିଦାସ କିନ୍ତୁ ମୁଖ୍ୟ ଆକର୍ଷଣ ସାଜିବେ। ଉତ୍ସବରେ ଉପସ୍ଥିତ ରହିବାକୁ ଥିବା ଖେଳାଳିମାନେ ହେଲେ ହର୍ମନପ୍ରୀତ ସିଂହ, ପିଆର ଶ୍ରୀଜେଶ, ଜର୍ମନପ୍ରୀତ ସିଂହ, ଅମିତ ରୋହିଦାସ, ସୁମିତ, ସଞ୍ଜୟ, ରାଜକୁମାର ପାଲ, ସମଶେର ସିଂହ, ମନପ୍ରୀତ ସିଂହ, ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଅଭିଷେକ, ସୁଖଜିତ ସିଂହ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂହ, ଗୁରଜାନ୍ତ ସିଂହ, ନୀଳକାନ୍ତ ଶର୍ମା, ଯୁଗରାଜ ସିଂହ, କିଶନ ବାହାଦୁର ପାଠକ।
୨୦୨୮ରେ ଜଣେ ଓଡ଼ିଆଙ୍କୁ ଅଲିମ୍ପିକ୍ସ ପୋଡିୟମ୍ରେ ପହଞ୍ଚାଇବା ଲକ୍ଷ୍ୟ: କ୍ରୀଡ଼ାମନ୍ତ୍ରୀ
ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଧବାରର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଦେଇଥିଲେ। ତା’ସହ ୨୦୩୬ ସୁଦ୍ଧା ରାଜ୍ୟରେ କ୍ରୀଡ଼ା ବିକାଶ ଲାଗି ପ୍ରସ୍ତୁତ କରଯାଇଥିବା ବ୍ଲୁ ପ୍ରିଣ୍ଟ୍କୁ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେ କହିଥିଲେ, ଆମେରିକାର ଲସ୍ ଏଞ୍ଜେଲ୍ସରେ ୨୦୨୮ ମସିହାରେ ହେବାକୁ ଥିବା ଅଲିମ୍ପିକ୍ସର ପରବର୍ତ୍ତୀ ସଂସ୍କରଣରେ ଜଣେ ଓଡ଼ିଆଙ୍କୁ ପୋଡିୟମ୍ରେ ଛିଡ଼ା କରାଇବାର ଲକ୍ଷ୍ୟ ନେଇ ଆମେ କାମ କରୁଛୁ। ଏଥିଲାଗି ମୁଖ୍ୟମନ୍ତ୍ରୀ କ୍ରୀଡ଼ା ବିକାଶକୁ ଆଗ୍ରାଧିକାର ଦେଉଛନ୍ତି। ୨୦୩୨ ସହ ୨୦୩୬ ଅଲିମ୍ପିକ୍ସ ଉପରେ ମଧ୍ୟ ଆମର ନଜର ରହିଛି। ୨୦୩୬ରେ ଅଲିମ୍ପିକ୍ସ ଭାରତରେ ଆୟୋଜିତ ହେବାର ସମ୍ଭାବନା ରହିଛି। ପୁଣି ତାହା ହେଉଛି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ। ଏଣୁ ୨୦୩୬ ସୁଦ୍ଧା ଓଡ଼ିଶା ଯେଭଳି ବିଶ୍ବ କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ, ସେ ନେଇ ନିଷ୍ଠାପର ସହ କାମ କରିବାକୁ ଆମେ ଯାଉଛୁ। ବୁଧବାରର ଉତ୍ସବରୁ ଏହି ପର୍ବର ଆୟମାରମ୍ଭ ହେବ। ସେହିଭଳି ଓଡ଼ିଶାରେ ହକିର ସର୍ବାଙ୍ଗୀନ ଉନ୍ନତି ଲାଗି ଆଗାମୀ ଦିନରେ ପ୍ରଚଳିତ ବିଧିବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରାଯିବ ବୋଲି ସଙ୍କେତ ଦେଇଥିଲେ ଶ୍ରୀ ସୂର୍ଯ୍ୟବଂଶୀ। ସୂଚନାଯୋଗ୍ୟ ଯେ ଆଧୁନିକ ଅଲିମ୍ପିକ୍ସର ୧୨୮ବର୍ଷର ଇତିହାସ ମଧ୍ୟରେ ଓଡ଼ିଶାକୁ ତିନିଟି ଅଲିମ୍ପିକ୍ସ ପଦକ (ପାରାଲିମ୍ପିକ୍ସକୁ ଛାଡ଼ି) ଆସିଛି। ଟୋକିଓରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏବଂ ପ୍ୟାରିସ୍ରେ ଅମିତ ଏକାକୀ କାଂସ୍ୟ ବିଜୟୀ ହୋଇଛନ୍ତି। ତେବେ ଏସବୁ ପଦକ ଦଳଗତ ଖେଳରୁ ଆସିଛି। ବ୍ୟକ୍ତିଗତ ବର୍ଗରେ କୌଣସି ଓଡ଼ିଆ ଆଜି ପର୍ଯ୍ୟନ୍ତ ପଦକ ଜିତି ପାରି ନାହାନ୍ତି। ଏହି ଆଶା ୨୦୨୮ରେ ପୂରଣ ହେବ ବୋଲି କ୍ରୀଡ଼ାମନ୍ତ୍ରୀ ଦୃଢ଼ ଆଶା ପୋଷଣ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ୟ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ ଏବଂ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମା ଉପସ୍ଥିତ ଥିଲେ।