ଜାମସେଦପୁର ପ୍ରତ‌ିଶୋଧ କଳିଙ୍ଗରେ, ଓଡ଼ିଶା ଏଫ୍‌ସି ୨-୧ରେ ଜିତିଲା

ଶୁଭମ ଶ୍ରେଷ୍ଠ ଉଦୀୟମାନ ଖେଳାଳି

ଭୁବନେଶ୍ବର: (ପ୍ରଫୁଲ୍ଲ କିଶୋର ସାହୁ): ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଶୁକ୍ରବାର ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ ପଦାର୍ପଣ କରିଥିଲା। ୯ ମ୍ୟାଚ୍‌ ବାହାରେ ଖେଳିବା ପରେ ଚଳିତ ବର୍ଷ ପଦାର୍ପଣ କରିଥିବା ଓଡ଼ିଶାର ନିଜସ୍ବ ଦଳ ଓଡ଼ିଶା ଏଫ୍‌ସି ଶୁକ୍ରବାର ଏଠାରେ ନିଜର ପ୍ରଥମ ଘରୋଇ ମ୍ୟାଚ୍‌ ଖେଳିଥିଲା। ସମ୍ମୁଖରେ ଥିଲା ପଡ଼ୋଶୀ ଜାମ‌ସେଦପୁର ଏଫ୍‌ସି। ଘରୋଇ ଦର୍ଶକଙ୍କ ମାହୋଲରେ ଓଡ଼ିଶା ଦଳ ମଧ୍ୟ ପରାକ୍ରମ ଦେଖାଇଲା। ୨-୧ ଗୋଲ୍‌ ବ୍ୟବଧା‌ନରେ ପଡ଼ୋଶୀ ଦଳକୁ ମାତ୍‌ ଦେଲା ଘରୋଇ ଦଳ। ଜାମସେଦପୁର ବିପକ୍ଷ ପ୍ରଥମ ମ୍ୟାଚ୍‌ ପରାଜୟର ପ୍ରତିଶୋଧ ଓଡ଼ିଶା ଏଫ୍‌ସି ନିଜ ମାଟି କଳିଙ୍ଗରେ ନେଲା। ପୂର୍ବରୁ ଜାମସେଦପୁର ଏଫ୍‌ସି ନିଜ ଘରୋଇ ପଡ଼ିଆ ଜାମସେଦପୁରରେ ସମାନ ବ୍ୟବଧାନ (୨-୧)ରେ ଓଡ଼ିଶାକୁ ହରାଇଥିଲା।

ପାର୍ଶ୍ବ ଟସ୍ ଜିତି ଜାମସେଦପୁର ହକି ଷ୍ଟାଡୟମ୍‌ ପଟେ ଖେଳିବାକୁ ନିଷ୍ପତ୍ତି ନେଇଥିଲା ବେଳେ ଓଡ଼ିଶାକୁ ଆରମ୍ଭ କରିବାକୁ ଆମନ୍ତ୍ରଣ କରିଥିଲା। ଖଚାଖଚ ଘରୋଇ ଦର୍ଶକ ମାହୋଲରେ ବଲ୍‌ ଗଡ଼ାଇଥିବା ଓଡ଼ିଶା ଦଳ ସପ୍ତମ ମିନିଟ୍‌ରେ ହିଁ ଜାମସେଦପୁର ‌ଗୋଲ୍‌ ପୋଷ୍ଟ୍‌କୁ ଟାର୍ଗେଟ କରିଥିଲା। ଡାନିଏଲ୍‌ ଲାଲ୍‌ହ୍ଲିମ୍ପୁଆଙ୍କ ଏହି ସଟ୍‌ ସିଧାସଳଖ ଗୋଲ୍‌ରକ୍ଷକଙ୍କ ପାଖକୁ ଚାଲି ଯାଇଥିଲା। ୧୩ ମିନିଟ୍‌ରେ ଆଉ ଏକ ସୁଯୋଗ ମିଳିଥିଲା। ନାରାୟଣ ଦାସ ସୁନ୍ଦର ପାସ୍‌ ଦେଇଥିଲା ବେଳେ ଫ୍ରାନ୍‌ସିସ୍କୋ ହର୍ନାନ୍ଦିଜ୍‌ଙ୍କ ହେଡର୍‌ ଗୋଲ୍‌ପୋଷ୍ଟ୍‌ ବାର୍‌ ଉପରକୁ ଚାଲି ଯାଇଥିଲା। ହେଲେ ୨୭ତମ ମିନିଟ୍‌ରେ ଆରିଦାନେ ସନ୍ତାନା ଜାମସେଦପୁର ଖେଳାଳିଙ୍କୁ ଚକ୍‌ମା ଦେଖାଇ ଓଡ଼ିଶା ଏଫ୍‌ସି ପାଇଁ ପ୍ରଥମ ଗୋଲ୍‌ ସ୍କୋର୍‌ କରିଥିଲେ। ଭୁ‌ବନେଶ୍ବରରେ ପ୍ରଥମ ଆଇଏସ୍‌ଏଲ୍‌ ଗୋଲ୍‌ କରିବାର ଗୌରବ ନେଇଥିଲେ ସ୍ପେନ୍‌ ତାରକା ସନ୍ତାନା। ଏହି ଗୋଲ୍‌ ପରେ ଓଡ଼ିଶା ଏଫ୍‌ସି ଖେଳାଳି ଟିକେ ହାଲ୍‌କା ହୋଇ ଯାଇଥିଲେ। ୩୭ତମ ମିନିଟ୍‌ରେ ଜାମସେଦପୁରକୁ ପେନାଲ୍ଟି ମିଳିଥିଲା। ଯାହାକୁ ସ୍ପେନ୍‌ ତାରକା ମୋନ୍‌ରୟ ରୁଏଡାରେ ଗୋଲ୍‌ରେ ପରିଣତ କରି ମ୍ୟାଚ୍‌ ୧-୧ ସ୍ତରକୁ ଆଣିଥିଲେ। ଏହି ସାମାନ ସ୍ତରରେ ବିରତିକୁ ଯାଉଥିଲା ବେଳେ ପ୍ରଥମାର୍ଧର ୨ ମିନିଟ୍‌ର ଇନ୍‌ଜୁରି ସମୟ ମଧ୍ୟରେ ସନ୍ତାନା (୪୫ ମିନିଟ୍‌) ଗୋଲ୍‌ ଦେଇ ଦଳକୁ ୨-୧ରେ ଆଗୁଆ କରିବା ସହ ଯୁଗଳ ସଫଳତା ମୁଠାଇଥିଲେ। ଫଳରେ ପ୍ରଥମାର୍ଧକୁ ଓଡ଼ିଶା ଦଳ ୨-୧ରେ ଶେଷ କରିଥିଲା।

ଦ୍ବିତୀୟାର୍ଧ ଆରମ୍ଭରୁ ଓଡ଼ିଶା ଦଳ ସୁଯୋଗ ସୃଷ୍ଟି କରିଥିଲା। ନନ୍ଦକୁମାର ଶେଖର ଜାମସେଦପୁର ଦଳର ଦୁଇ ଖେଳାଳିଙ୍କୁ ପରାସ୍ତ କରି ବଲ୍‌ ମାର୍କସ ଟେବରଙ୍କୁ ପଠାଇ‌ଥିଲେ। ଟେବର ଏହାକୁ ସନ୍ତାନାଙ୍କୁ ଛାଡ଼ି ଦେଇଥିଲେ। ହ୍ୟାଟ୍ରିକ ସୁଯୋଗ ପାଇଥିବା ସନ୍ତାନା ଖରାପ ସଟ୍‌ ମାରି ଏଥିରୁ ବଞ୍ଚିତ ହୋଇଥିଲେ। ଜାମସେଦପୁରକୁ ମିଳିଥିବା ବହୁ ସୁଯୋଗକୁ ଫାରୁକ ଚୌଧୁରୀ ଗୋଲ୍‌‌ରେ ପରିଣତ କରିବାରେ ବିଫଳ ହେବାରୁ ଦଳ ପଛୁଆ ରହି ପରାଜୟ ବରଣ କରିବାକୁ ବାଧ୍ୟ ହୋଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜାମସେଦପୁରର ମୋନ୍‌ରୟ ରୁଏଡାଙ୍କୁ ମିଳିଥିଲା ବେଳେ ଓଡ଼ିଶାର ନନ୍ଦକୁମାର ଶେଖରଙ୍କୁ ବିଜୟୀ ପାସ୍‌, ଶୁଭମ ଷଡ଼ଙ୍ଗୀଙ୍କୁ ଉଦୀୟମାନ ଖେଳାଳି ଏବଂ ଯୁଗଳ ଗୋଲ୍‌ କରିଥିବା ସନ୍ତାନାଙ୍କୁ ହିରୋ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଥିଲା।

ଦର୍ଶକ ମେଳରେ ଶୁଭମ୍‌ ଧ୍ବନି
ହକି ଭଳି ଭୁବନେଶ୍ବରରେ ଫୁଟ୍‌ବଲ୍‌ ପ୍ରେମୀଙ୍କ ଅଭାବ ‌ନାହିଁ ବୋଲି ଷ୍ଟାଡିୟମ‌‌ରେ ଦର୍ଶକଙ୍କ ଉପସ୍ଥିତିରୁ ଜଣା ପଡ଼ୁଥିଲା। ଚଳିତ ଆଇଏସ୍‌ଏଲ୍‌ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିଲା ବେଳେ ଓଡ଼ିଶାର ଦଳ ଖେଳୁଥିବାରୁ ଦର୍ଶକଙ୍କ ସଂଖ୍ୟା ଅଧିକ ଥିଲା। ଓଡ଼ିଶା ଏଫ୍‌ସି ପକ୍ଷରୁ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଶୁଭ‌ମ ଷଡ଼ଙ୍ଗୀ ଥିବାରୁ ଷ୍ଟାଡିୟମ ତାଙ୍କରି ଧ୍ବନୀରେ କମ୍ପି ଉଠୁଥିଲା। ତାଙ୍କ ସମର୍ଥକମାନେ ହାତରେ ଶୁଭମ ଲେଖାଥିବା ପ୍ଲା କାର୍ଡ ଧରି ଶୁଭମ.. ଶୁଭମ.. କହି ରଡ଼ୁଥିଲେ। ଶୁଭମ ଧ୍ବନୀ ସହ ଦର୍ଶକମା‌ନେ ଘରୋଇ ଦଳ ଓଡ଼ିଶା ଏଫ୍‌ସିକୁ ମଧ୍ୟ ପୂରା ସମର୍ଥନ ଦେଇଥିଲେ। ହାତରେ ଓଡ଼ିଶା ଏଫ୍‌ସି ପତାକା ସହ ଓଡ଼ିଶା ଓଡ଼ିଶା ଚିଲାଉଥିବାକରୁ ଦେଖିବାକୁ ମିଳିଥିଲା। ଦର୍ଶକଙ୍କ ସମର୍ଥନକୁ ସମ୍ମାନ ଜଣାଇ ଓଡ଼ିଶା ଏଫ୍‌ସି ବିଜୟ ସହ ନୂଆ ବର୍ଷର ଭେଟି ଦେଇଥିଲା।

ଓଡ଼ିଶାକୁ ଅଧଡ଼ଜନେ ହଳଦିଆ କାର୍ଡ
ମ୍ୟାଚ୍‌ର ପ୍ରଥମାର୍ଧରେ ଓଡ଼ିଶା ଏଫ୍‌ସିର ୩ ଜଣ ଖେଳାଳିଙ୍କୁ ହଳଦିଆ କାର୍ଡ ମିଳିଥିଲା। ୧୯ତମ ମିନିଟ୍‌ରେ ମ୍ୟାଚ୍‌ର ପ୍ରଥମ ହଳଦିଆ କାର୍ଡ ଗୌରବ ବୋରାଙ୍କୁ ମିଳିଥିଲା। ଏହାପରେ ନାରାୟଣ ଦାସ (୩୦ ମିନିଟ୍‌) ଏବଂ ସ୍ପେନ୍‌ର କାର୍ଲୋସ ରୋଦ୍ରିଗୁଏଜ (୩୩ ମିନିଟ୍‌)ଙ୍କୁ ମିଳିଥିଲା। ଦ୍ବିତୀୟାର୍ଧରେ ମଧ୍ୟ ଓଡ଼ିଶା ପାଇଁ ହଳିଦିଆ କାର୍ଡ ଜାରି ରହିଥିଲା। ୬୨ତମ ମିନିଟ୍‌ରେ ଓଡ଼ିଆ ପୁଅ ଶୁଭମ ଷଡ଼ଙ୍ଗୀଙ୍କୁ ମିଳିଥିଲା ଏହି କାର୍ଡ। ଏହାପରେ ସାନ୍ତନା (୭୯ ମିନିଟ୍‌)ଙ୍କୁ ଏବଂ ଫ୍ରାନ୍‌ସିସ୍କୋ ଡୋରୋନ୍‌‌ସୋରୋ (୯୦ ମିନିଟ୍‌)ଙ୍କୁ ମିଳିବାରୁ ଓଡ଼ିଶା ଏଫ୍‌ସିର ହଳଦିଆ କାର୍ଡ ସଂଖ୍ୟା ଅଧଡ଼ଜନେରେ ପହଞ୍ଚିଥିଲା। ହେଲେ ଜାମସେଦପୁର ପକ୍ଷରୁ କେବଳ ଫାରୁକ ଚୌଧୁରୀଙ୍କୁ ହଳଦିଆ କାର୍ଡ ମିଳିଥିଲା।

ଶିଘଂ ବାଜାରେ ଦୁଲ୍‌କିଲା କଳିଙ୍ଗ
ପାରାମ୍ପରିକ ଶିଙ୍ଘ ବାଜାରେ ଦୁଲୁକିଥିଲା କଳିଙ୍ଗ ଷ୍ଟାଡିୟମ୍‌। ଆରମ୍ଭରୁ ଉଭୟ ଦଳର ଖେଳାଳିଙ୍କୁ ଶିଙ୍ଘ ବାଜାରେ ସ୍ବାଗତ କରାଯାଇଥିଲା। ପରବର୍ତୀ ସମୟରେ କିଛି କିଛି ବିରତିରେ ପୁଣି ଶିଙ୍ଘ ବାଜାରେ ଷ୍ଟାଡିୟମ୍‌ କମ୍ପୁଥିଲା। ଦର୍ଶକଙ୍କ କୋଳାହଳ ସାଙ୍ଗକୁ ଏହି ବାଜାର ନାଦ ଷ୍ଟାଡିୟମ୍‌କୁ ପ୍ରକମ୍ପିତ କରୁଥିଲା। ଦୁଇ ପାର୍ଶ୍ବରେ କୁମ୍ପି ବାଣର ଉଜ୍ବଳ ଆଲୋକ ସାଙ୍ଗକୁ ଶିଙ୍ଘ ବାଜାର ଧ୍ବନିରେ ଖେଳାଳିମାନେ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ। ଏହା ପରେ ଉଭୟ ଦଳ ଜାତୀୟ ସଙ୍ଗୀତ ଗାନ କରିବା ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର