ଭୁବନେଶ୍ୱରର: ହକି ପରେ ଯେଉଁ ଖେଳ ପାଇଁ ଓଡ଼ିଶା ବିଶେଷ ଭାବେ ପରିଚିତ ସେଥିରେ ପୁଣି ରାଜ୍ୟର ଝିଅମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ରବିବାର ଉଦଯାପିତ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାର (ଜୋନ୍ ଏ) ସମସ୍ତ ୩ ବର୍ଗରେ ବିଜେତା ହୋଇ ଓଡ଼ିଶା ବିରଳ ତ୍ରିମୁକୁଟ ଅର୍ଜନ କରିଛି। ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରୁ ଓଡ଼ିଶା ଲିଫ୍ଟର ମୋଟ ୨୭ ପଦକ ଜିତି ଏହି ଗୌରବ ଆଣିଛନ୍ତି। ବ୍ୟକ୍ତିଗତ ଭାବେ ମଧ୍ୟ ରାଜ୍ୟର ଦୁଇ ଅନ୍ତର୍ଜାତୀୟ ତାରକା ମୀନା ସାନ୍ତା (୫୫ କିଲୋଗ୍ରାମ) ଓ ଜ୍ୟୋତ୍ସ୍ନା ସବର (୪୦ କିଲୋଗ୍ରାମ) ଯଥାକ୍ରମେ କନିଷ୍ଠ ଓ ଯୁବବର୍ଗରେ ଶ୍ରେଷ୍ଠ ଭାରୋତ୍ତୋଳିକା ଟ୍ରଫି ହାସଲ କରିଛନ୍ତି। ବରିଷ୍ଠ ବର୍ଗରେ ଛତିଶଗଡ଼ର ଜ୍ଞାନେଶ୍ୱରୀ ଯାଦବ (୪୯ କିଲୋଗ୍ରାମ) ଶ୍ରେଷ୍ଠ ଭାରୋତ୍ତୋଳିକା ହେବାରୁ ଓଡ଼ିଶା ଆଉ ଏକ ତ୍ରିମୁକୁଟରୁ ବଞ୍ଚିତ ହୋଇଛି।
ଯୁବ ବର୍ଗରେ ଓଡ଼ିଶା ୬ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ୩ କାଂସ୍ୟ ସହ ୧୦ ପଦକ ଜିତିଥିଲା। କନିଷ୍ଠ ବର୍ଗରେ ଓଡ଼ିଆ ଝିଅମାନେ ୩ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୧ କାଂସ୍ୟ ସହ ୭ ପଦକ ହାତେଇଥିଲେ। ସେହିପରି ବରିଷ୍ଠ ବର୍ଗରେ ୪ ସ୍ୱର୍ଣ୍ଣ, ୨ ରୌପ୍ୟ, ୪ କାଂସ୍ୟ ସହ ମୋଟ ୧୦ ପଦକ ମିଳିଥିଲା। ଯୁବ ବର୍ଗରେ ଝାଡ଼ଖଣ୍ଡ, କନିଷ୍ଠ ବର୍ଗରେ ବିହାର ଏବଂ ବରିଷ୍ଠ ବର୍ଗରେ ଛତିଶଗଡ଼ ଉପବିଜେତା ହୋଇଛି। ଜ୍ୟୋତ୍ସ୍ନା ସବର (୪୦ କିଲୋଗ୍ରାମ) ଯୁବ ବର୍ଗରେ ଶ୍ରେଷ୍ଠ ଭାରୋତ୍ତଳିକା, କନିଷ୍ଠ ବର୍ଗରେ ଓଡ଼ିଶାର ମୀନା ସାନ୍ତା (୫୫ କିଲୋଗ୍ରାମ) ଶ୍ରେଷ୍ଠ ଭାରୋତ୍ତୋଳିକା ହୋଇଥିଲା ବେଳେ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ ହୋଇଥିଲେ। ରବିବାର ଶେଷ ଦିନରେ ଓଡ଼ିଶା ପାଇଁ ମୌସୁମୀ ଦାସ (ଯୁବ, ୮୧ କିଲୋଗ୍ରାମ), ଅଭିଷିକ୍ତା କାଦୁଲୁରି (କନିଷ୍ଠ, ୮୭ କିଲୋଗ୍ରାମ), ଶୁଭସ୍ମିତା ମହାନ୍ତି (ବରିଷ୍ଠ, ୮୭ କିଲୋଗ୍ରାମ) ତିନିଟି ସ୍ବର୍ଣ୍ଣ ପଦକ ଜିତିବା ଉଲ୍ଲେଖନୀୟ ଥିଲା।
ଉଦ୍ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତି କ୍ରୀଡ଼ାବିତ୍ଙ୍କୁ ପୁରସ୍କୃତ କରିବା ସହିତ ସେମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବର ଉଚ୍ଚ ପ୍ରଶଂସା କରିଥିଲେ। ରାଜ୍ୟର ଭାରୋତ୍ତୋଳିକାମାନେ ପ୍ରତ୍ୟେକ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ଏବଂ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଶ୍ରୀ ଜେନା ଆଶାବ୍ୟକ୍ତ କରିଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଭାରୋତ୍ତୋଳନ ସଂଘର ପୂର୍ଣ୍ଣପ୍ରାଣ ସହଯୋଗ ଫଳରେ ଏହି ପ୍ରତିଯୋଗିତା ସଫଳତାର ସହିତ ଆୟୋଜନ କରାଯାଇପାରିଛି । ଓଡ଼ିଶା ସରକାର ଭାରୋତ୍ତୋଳନର ଉନ୍ନତି ପାଇଁ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାର ସୁଫଳ ଏହି ପ୍ରତିଯୋଗିତାରେ ପ୍ରତିଫଳିତ ହୋଇଛି। ଅନ୍ୟ ରାଜ୍ୟ ସରକାର ମଧ୍ୟ କ୍ରୀଡା ଓ କ୍ରୀଡ଼ାବିତ୍ଙ୍କ ବିକାଶ ପାଇଁ ଓଡିଶାର ପଦାଙ୍କ ଅନୁସରଣ କରନ୍ତୁ ବୋଲି ଭାରତୀୟ ଭାରୋତ୍ତୋଳନ ଫେଡେରେସନର ସାଧାରଣ ସମ୍ପାଦକ ଆନନ୍ଦ ଗୋୱଡା ପ୍ରକାଶ କରିଛନ୍ତି। ଉଦ୍ଯାପନୀ ଉତ୍ସବରେ ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତ ରଞ୍ଜନ ସ୍ୱାଇଁ, ସାଧାରଣ ସମ୍ପାଦକ ଅଲିମ୍ପିଆନ୍ କେ ରବି କୁମାର ଉପସ୍ଥିତ ଥିଲେ। ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ୧୧ ରାଜ୍ୟରୁ ୧୩୮ ଜଣ ମହିଳା ଭାରୋତ୍ତୋଳିକା ଭାଗ ନେଇଥିଲେ।