ଓଡ଼ିଶାକୁ ଷଷ୍ଠ ପୂର୍ବାଞ୍ଚଳ ଦୃଷ୍ଟିହୀନ କ୍ରିକେଟ୍‌ ଟ୍ରଫି

ଭୁବନେଶ୍ୱର: ଓଡ଼ିଶା ଲଗାତାର ଷଷ୍ଠ ଥର ପାଇଁ ପୂର୍ବାଞ୍ଚଳ ଦୃଷ୍ଟିହୀନ କ୍ରିକେଟ୍‌ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି। ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ଝାଡ଼ଖଣ୍ଡକୁ ୨୭ ଏବଂ ତ୍ରିପୁରାକୁ ୭୨ ରନ୍‌ରେ ପରାସ୍ତ କରି ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ତ୍ରିପୁରା-ଓଡ଼ିଶା ମ୍ୟାଚ୍‌ରେ ଲିଙ୍ଗରାଜ ରାଉତରା ଏବଂ ଓଡ଼ିଶା-ଝାଡ଼ଖଣ୍ଡ ମୁକାବିଲାରେ ସୁଖରାମ ମାଝୀ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରବିବାରର ଓଡ଼ିଶା-ପଶ୍ଚିମବଙ୍ଗ ଫାଇନାଲରେ ଲିଙ୍ଗରାଜଙ୍କ ୮୦ ରନ୍‌ ସହାୟତାରେ ଓଡ଼ିଶା ନିର୍ଧାରିତ ୧୦ ଓଭରରେ ୧୮୫ ରନ୍‌ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ପଙ୍କଜ ଭୂଏ ୪୦ ଓ ନକୁଳ ବଡ଼ନାୟକ ୩୬ ରନ୍‌ କରିଥିଲେ। ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ବେଙ୍ଗଲ ୧୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ମାତ୍ର ୧୦୮ ରନ୍‌ କରିବା ସହ ପରାଜିତ ହୋଇଥିଲା। ବି-୧ରେ ଜାଫର ଇକବାଲ, ବି-୨ରେ ଝାଡ଼ଖଣ୍ଡର ରାଜୀବ ରଂଜନ ଏବଂ ବି-୩ରେ ଓଡ଼ିଶାର ଲିଙ୍ଗରାଜ ରାଉତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର