ଓଡ଼ିଶାକୁ ୯ ପଦକ: ହକିରୁ ସ୍ୱର୍ଣ୍ଣ, ଫୁଟ୍‌ବଲ୍‌ରୁ କାଂସ୍ୟ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଗୁରୁବାର ଉଦ୍‌ଯାପିତ ଖେଲୋ ଇଣ୍ଡିଆ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ବାଳକ ହକି ଦଳ ସ୍ୱର୍ଣ୍ଣ ଏବଂ ବାଳିକା ଫୁଟ୍‌ବଲ୍‌ ଦଳ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ବାଳକ ହକି ଦଳ ଫାଇନାଲ୍‌ରେ ପଞ୍ଜାବକୁ ୨-୧ ଗୋଲ୍‌ରେ ପରାସ୍ତ କରି ସ୍ୱର୍ଣ୍ଣିମ ଅଭିଯାନ ଶେଷ କରିଥିଲା। ଓଡ଼ିଶା ପାଇଁ ଏହା ଥିଲା ତୃତୀୟ ସ୍ୱର୍ଣ୍ଣ। ଲିଗ୍‌ ମ୍ୟାଚ୍‌ରେ ୩-୦ରେ ପଞ୍ଜାବଠୁ ଜିତିଥିବା ଓଡ଼ିଶା ଫାଇନାଲ୍‌ରେ ମଧ୍ୟ ସମାନ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ସୁଶୀଲ ଧନଓକରଙ୍କ ପେନାଲଟି କର୍ନର ଜରିଆରେ ଓଡ଼ିଶା ଆଗୁଆ ହେବା ପରେ ୪୧ତମ ମିନିଟ୍‌ରେ ସୁଦୀପ ଚିରମାକୋ ଏହାକୁ ୨-୦ରେ ପରିଣତ କରିଥିଲେ। ପଞ୍ଜାବ ପାଇଁ ସୁଦର୍ଶନ ସିଂହ ଏକମାତ୍ର ସାନ୍ତ୍ୱନାମୂଳକ ଗୋଲ୍‌ ଦେଇଥିଲେ। ବିଜୟ ପରେ ଦଳର ପ୍ରଦର୍ଶନକୁ ନେଇ ଉଲ୍ଲସିତ ହୋଇଛନ୍ତି ପ୍ରଶିକ୍ଷକ ସଂଜି କେରକେଟା। ‘ଆମେ ପ୍ରତିଯୋଗିତା ସାରା ଉନ୍ନତ ହକି ଖେଳିଲୁ, ଫାଇନାଲ୍‌ରେ ଯୋଜନାବଦ୍ଧ ଖେଳି ଜିତିଲୁ’ ବୋଲି କହିଥିଲେ କେରକେଟା।

ଗୁରୁବାର ଖେଳାଯାଇଥିବା ତୃତୀୟ ସ୍ଥାନ ମୁକାବିଲାରେ ଓଡ଼ିଶା ୮-୦ ଗୋଲ୍‌ରେ ଫୁଟ୍‌ବଲ୍‌ ସଂସ୍କୃତିର ରାଜ୍ୟ ବେଙ୍ଗଲକୁ ପରାସ୍ତ କରିଥିଲା। ଓଡ଼ିଶା ପାଇଁ ପ୍ରତିମା ଓରାମ ଏବଂ ସୁସ୍ମିତା ତନ୍ତୀ ୨ ଲେଖାଏଁ ଗୋଲ୍‌ ଦେଇଥିବା ବେଳେ ପାର୍ବତୀ ମୁର୍ମୁ, ଗୁରୁବାରୀ କାର୍ଜି, ତୁଳସୀରାମ କେରକେଟା, ବାସନ୍ତୀ ଖେସ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ବୁଧବାର ସେମିଫାଇନାଲରେ ଓଡ଼ିଶା ୧-୩ ଗୋଲ୍‌ରେ ମଣିପୁର ନିକଟରୁ ହାରିଥିଲା। ପୂର୍ବରୁ ୦-୭ ଗୋଲ୍‌ରେ ହରିଆନା ନିକଟରୁ ହାରିଥିବା ଓଡ଼ିଶା ଦଳ ପରବର୍ତୀ ମ୍ୟାଚ୍‌ ଗୁଡ଼ିକରେ ଗୁଜରାଟକୁ ୩-୦ ଗୋଲ୍‌ରେ, ମିଜୋରାମକୁ ୭-୨ ଗୋଲ୍‌ରେ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଥିଲା। ପ୍ରଶିକ୍ଷିକା ମମତା କୁମାରୀ ସାମନ୍ତଙ୍କ ତତ୍ୱାବଧାନରେ ଓଡ଼ିଶା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିଥିବାରୁ ଏବେ ବିଭିନ୍ନଆଡ଼ୁ ଅଭିନନ୍ଦନ ଓ ଶୁଭେଚ୍ଛା ପାଇବାରେ ଲାଗିଛି।

ସୂଚନାଯୋଗ୍ୟ, ପ୍ରତିଯୋଗିତାରେ ଓଡ଼ିଶା ୩ ସ୍ୱର୍ଣ୍ଣ, ୧ ରୌପ୍ୟ, ୫ କାଂସ୍ୟ ସହିତ ମୋଟ ୯ ପଦକ ଜିତିଥିଲା। ବାଧାଦୌଡ଼ାଳି ପୁଙ୍ଗା ସୋରେନ୍‌ ସ୍ୱର୍ଣ୍ଣ ହାତେଇଥିବା ବେଳେ ଭାରୋତ୍ତୋଳନରେ ଭକ୍ତରାମ ଦେଷ୍ଟି ସ୍ୱର୍ଣ୍ଣ, ସ୍ନେହା ସୋରେନ୍‌ ରୌପ୍ୟ ଏବଂ ନନ୍ଦନ ସାହୁ କାଂସ୍ୟ ପଦକ ଜିତିଥିିଲେ। ଯୁବ ସନ୍ତରିକା ପ୍ରତ୍ୟାଶା ରାୟ ବ୍ୟକ୍ତିଗତ ଭାବେ ୨ କାଂସ୍ୟ (୧୦୦ ଓ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌) ଜିତିଥିଲେ। ମୁଷ୍ଟିଯୁଦ୍ଧରେ ଏସ୍‌ ଆର୍‌ ସାହୁ କାଂସ୍ୟ ପଦକ ଜିତିଥିଲେ।
ଓଡ଼ିଶା ହକି ଦଳ (ବାଳକ): ସଂଜୟ ପ୍ରଧାନ, ଅନୀଲ ବାର୍ଲା, ବିକାଶ କୁଜୁର, ମାତିଆସ୍‌ ଡାଙ୍ଗ, ସୁଶାନ୍ତ ଟୋପ୍ପୋ, ସୁଦୀପ ଚିରମାକେ, ବୀର୍ସା ଖାଲକୋ, ଚିତ୍ତରଂଜନ ସାହୁ, ଜର୍ଜ ତିର୍କି, ସୁନୀତା ଲାକ୍ରା, ପାତ୍ରାସ ଭେଙ୍ଗ୍ରା, ଲବଣ ଲୁଗୁନ, ସୁଶୀଲ ଧନଓ୍ଵାର, ସୁନୀଲ ଜୋଜୋ, ସବ୍ୟସାଚୀ ମିଞ୍ଜ୍‌ ଏବଂ ଅନୁଭବ ରାଉତ। ଓଡ଼ିଶା ଫୁଟ୍‌ବଲ୍‌ ଦଳ (ବାଳିକା): ପଙ୍ଗଲା ହେମ୍ବ୍ରମ୍‌, ସସ୍ମିନ୍‌ ବାରିକ, ଜ୍ୟୋତ୍ସ୍ନା ଟୋପ୍ପୋ, ପୁଜାରାଣୀ ସାମଲ, ସାଲଗେ ସୋରେନ୍‌, ଖୁସୀ ପ୍ରଧାନ, ପାର୍ବତୀ ମୁର୍ମୁ, ସ୍ପନ୍ଦିତା ଦାସ, ବିଶ୍ୱଜିତା ଦାସ, ତୁଲସୀମା କେରକେଟା, ବାସନ୍ତୀ ଖେସ୍‌, ଗୁରୁବାରୀ କାର୍ଜି, ଗୀତା କିଷନ, ସୁସ୍ମିତା ତନ୍ତୀ, ପ୍ରତିମା ଓରାମ, ପ୍ରତିଭା ଟୋପ୍ପୋ, ଶିବାନୀ ମୁନ୍ଦାରୀ, ମାଖିମା କୁଜୁର। ପ୍ରଶିକ୍ଷକ: ମମତା କୁମାରୀ ସାମନ୍ତ।

ସମ୍ବନ୍ଧିତ ଖବର