ପୂର୍ବାଞ୍ଚଳ ଫୁଟ୍‌ବଲ୍ ଟେନିସ୍: ଓଡ଼ିଶାକୁ ଦ୍ବିମୁକୁଟ

ଭୁବନେଶ୍ବର: ସ୍ଥାନୀୟ ମମତାଜ ଅଲୀ ହାଇସ୍କୁଲ୍‌ ପଡ଼ିଆରେ ଚାଲିଥିବା ନରେନ୍ଦ୍ର ଜେନା ସ୍ମାରକୀ ପୂର୍ବାଞ୍ଚଳ ଫୁଟ୍‌ବଲ୍ ଟେନିସ୍ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ‌ ହୋଇଯାଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରାଧାନ୍ୟ ବିସ୍ତାର କରିଥିବା ଓଡ଼ିଶା ଦଳ ବିଜେତା ହୋଇ ଦୁଇ ଦୁଇଟି ଟ୍ରଫି ହାତେଇ ନେଇଛି। ପୁରୁଷ ବର୍ଗରେ ଓଡ଼ିଶା ‘ବି’ ଏବଂ ମହିଳା ବର୍ଗରେ ଓଡ଼ିଶା ‘ଏ’ ଏହି ଗୌରବ ଅର୍ଜନ କରିଛନ୍ତି। ପୁରୁଷ ଫାଇନାଲରେ ଓଡ଼ିଶା ‘ବି’ ୨-୦ରେ ଛତିଶଗଡ଼କୁ ଏବଂ ମହିଳାରେ ଓଡ଼ିଶା ‘ଏ’ ସମାନ ୨-୦ ସେଟ୍‌ରେ ଓଡ଼ିଶା ‘ଡି’କୁ ପରାସ୍ତ କରିଥିଲା। ସେହିଭଳି କନ୍ଧମାଳର କଳାମୋହନ ନାୟକ ଏବଂ ଭଦ୍ରକର ମମତା ବେହେରା ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳି ସମ୍ମାନ ପାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ବୀର ଓଡ଼ିଆ ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ଭାରତୀୟ ଫୁଟ୍‌ବଲ୍ ଟେନିସ୍ ସଂଘର ସମ୍ପାଦକ ପି ସୁଗୁମାରନ, ଭୁବନେଶ୍ବର ଆଥଲେଟିକ୍ ଆସୋସିଏସନ୍‌ (ବିଏଏ)ର ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା, ପ୍ରେରଣାର ଅଧ୍ୟକ୍ଷ ଡକ୍ଟର ଦିଲୀପ ଶ୍ରୀଚନ୍ଦନ, ଭାରତୀୟ ମହିଳା ଫୁଟ୍‌ବଲ୍ ଦଳର ପୂର୍ବତନ ପ୍ରଶିକ୍ଷକ ମହମ୍ମଦ ସେକ୍ ଜବାର, ସଂଗୀତା ଶର୍ମା, ସହଦେବ ରାଉତ, ନଟବର ସାମନ୍ତରାୟ, ଓଡ଼ିଶା ଫୁଟ୍‌ବଲ୍ ଟେନିସ୍ ସଂଘ ସଭାପତି ପ୍ରସନ୍ନ ରାଉତ, ଆୟୋଜକ ସିଟି କ୍ଲବ୍‌ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଅତିଥି ଭାବେ ଉପସ୍ଥିତ ଥିଲେ। ପୁରୁଷରେ ୬ ଏବଂ ମହିଳାରେ ମୋଟ ୪ ଦଳ ଭାଗ ନେଇଥିଲେ। ମ୍ୟାଚ୍‌ଗୁଡ଼ିକୁ ସୁଜିତ ପାତ୍ର, ପଞ୍ଚାନନ ବଳ, ଆନ୍ନା କେରକେଟା, ରଶ୍ମିତା ମହାନ୍ତି, ସୁଦାମ ଚରଣ ମିଶ୍ର, ସଞ୍ଜୟ କୁମାର ମଲ୍ଲିକ ପରିଚାଳନା କରିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷକ ଜଲିଲ୍‌ ଖାନ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର