ଓଡ଼ିଶାକୁ ପୁଣି ବୋନସ୍‌ ପଏଣ୍ଟ୍‌ ବିଜୟ: ଆସାମକୁ ପାଳି ଓ ୩ ରନ୍‌ରେ ହରାଇଲା, ଦେବବ୍ରତ ପ୍ରଧାନ ଶ୍ରେଷ୍ଠ ଖେଳାଳି

କଟକ: ଡ୍ରିମ୍ସ ପଡ଼ିଆ ଓଡ଼ିଶା ପାଇଁ ପୁଣି ଥରେ ଶୁଭ ସାବ୍ୟସ୍ତ ହୋଇଛି। ଚଳିତ ଋତୁରେ ଓଡ଼ିଶା ଚତୁର୍ଥ ଥର ପାଇଁ ବୋନସ ପଏଣ୍ଟ ପାଇ ଏକ ବିରଳ କୃତିତ୍ବ ଅର୍ଜନ କରିଛି। ଗୁରୁବାର ଶେଷ ହୋଇଥିବା ରଣଜୀ ମ୍ୟାଚରେ ଫଲୋଅନ୍‌ ହୋଇ ଖେଳୁଥିବା ଆସାମକୁ ଏକ ପାଳି ଓ ୩ ରନ୍‌ରେ ଓଡ଼ିଶା ହରାଇ କ୍ବାର୍ଟର ଫାଇନାଲ୍‌ର ନିକଟତର ହୋଇଛି। ଦେବବ୍ରତ ପ୍ରଧାନ ଏହି ମ୍ୟାଚରେ ଅଲରାଉଣ୍ତ ପ୍ରଦର୍ଶନ କରି ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି। ଚଳିତ ଋତୁରେ ଓଡ଼ିଶା ୭ ମ୍ୟାଚରୁ ୫ଟିରେ ବିଜୟୀ ହୋଇଛି। ଏହି ବିଜୟ ମଧ୍ୟରେ ଛତିଶଗଡ଼, ସର୍ଭିସେସ୍‌, ଉତ୍ତରାଖଣ୍ତ ଓ ଆସାମ ବିପକ୍ଷରେ ଓଡ଼ିଶା ବୋନସ ପଏଣ୍ଟ ପାଇଛି। ଏଲିଟ୍‌ ଗ୍ରୁପ୍‌-‘ସି’ ପଏଣ୍ଟ ଟେବୁଲ୍‌ରେ ଶୀର୍ଷକୁ ଉନ୍ନୀତ ହୋଇଛି।

ଫଲୋଅନ୍‌ ହୋଇ ବ୍ୟାଟି˚ ଆରମ୍ଭ କରିଥିବା ଆସାମ ପାଇଁ ତୃତୀୟ ଦିନରେ ଶୁଭମ୍‌ ମଣ୍ତଳ ଓ କୁନାଲ ସାଇକିଆ ଓଡ଼ିଶା ବୋଲରଙ୍କୁ ଖୁବ୍‌ କନ୍ଦାଇଥିଲେ। ଶେଷ ଦିନରେ କିନ୍ତୁ ଓଲଟା ପରିଣାମ ଦେଖିବାକୁ ମିଳିଥିଲା। ଦିନର ୧୦ ଓଭର ଖେଳ ପରେ କୁନାଲ (୭୨)ଙ୍କୁ ଦେବବ୍ରତ ପ୍ରଧାନ ଓ ଶୁଭମ୍‌ ସାଇକିଆ (୭୪)ଙ୍କୁ ରାଜେଶ ମହାନ୍ତି ଆଉଟ୍‌ କରି ଓଡ଼ିଶା ଶିବିରରେ ଆଶ୍ବସ୍ତି ଆଣିଥିଲେ। ଏମାନଙ୍କ ପଛକୁ ଆସାମ ବ୍ୟାଟି˚କ୍ରମ ତାସ ଘର ଭଳି ଭାଙ୍ଗିବାରେ ଲାଗିଥିଲା। ଫଳରେ ଦଳ ମାତ୍ର ୧୯୫ରେ ସମସ୍ତ ଵିକେଟ ହରାଇଥିଲା। ରାଜେଶ ମହାନ୍ତି ୪, ଦେବବ୍ରତ ପ୍ରଧାନ ୩, ସୂର୍ଯ୍ୟକାନ୍ତ ପ୍ରଧାନ ୩ ଵିକେଟ ନେଇ ଓଡ଼ିଶାକୁ ବୋନସ ପଏଣ୍ଟ ଆଣିଦେଇଥିଲେ। ରାଜେଶ ତାଙ୍କ ବୋଲି˚ ମଧ୍ୟରେ ୧୦.୪ ଓଭର ବଲ୍‌ ପକାଇଥିଲା ବେଳେ ୩୦ ରନ୍‌ ବ୍ୟୟ କରି ଶୁଭମ୍‌ଙ୍କ ସହ ବିପ୍ଳବ ସାଇକିଆ (୧), ପ୍ରୀତମ୍‌ ଦାସ (୪), ଅରୂପ ଦାସ (୧୩)ଙ୍କ ଵିକେଟ ନେଇଥିଲେ। ସେହିପରି ଦେବବ୍ରତ ପ୍ରଧାନ ତାଙ୍କର ୧୮ ଓଭର ବୋଲି˚ ମଧ୍ୟରେ ୫୩ ରନ୍‌ ବିନିମୟରେ କୁନାଲଙ୍କ ସହ ରିଶଭ ଦାସ (୭), ଗୋକୁଲ ଶର୍ମା (୦)ଙ୍କ ଵିକେଟ ଏବ˚ ସୂର୍ଯ୍ୟକାନ୍ତ ପ୍ରଧାନ ସମାନ ସ˚ଖ୍ୟକ ଓଭରରୁ ୫୩ ରନ୍‌ ଦେଇ ରିୟାନ ପରାଗ (୧), ସାହିଲ ଜୈନ୍‌ (୫), ରଞ୍ଜିତ ମାଳି (୧)ଙ୍କୁ ଆଉଟ କରିଥିଲେ।

ଏହି ମ୍ୟାଚରେ ଆସାମ ଟସ୍‌ ଜିତି ବୋଲି˚ କରିଥିଲା ବେଳେ ଶାନ୍ତନୁ ମିଶ୍ର (୬୬), ଅନୁରାଗ ଷଡ଼ଙ୍ଗୀ (୫୮), ଗୋବିନ୍ଦ ପୋଦ୍ଦାର (୫୮), ଅଭିଷେକ ରାଉତ (୭୧), ଦେବବ୍ରତ ପ୍ରଧାନ (୭୯) ଙ୍କ ଅର୍ଧଶତକ ସହାୟତାରେ ୪୩୬ ରନ୍‌ ସ˚ଗ୍ରହ କରିଥିଲା। ଜବାବରେ ଆସାମ ପ୍ରଥମ ପାଳିରେ ୨୩୮ ରନ୍‌ରେ ସମସ୍ତ ଵିକେଟ ହରାଇବା ସହ ଫଲୋଅନ୍‌ ହୋଇଥିଲା। ଦେବବ୍ରତ ଏହି ପାଳିରେ ୪ ଵିକେଟ ଅକ୍ତିଆର କରିଥିଲେ। ଏହାପରେ ଆରମ୍ଭ ହୋଇଥିବା ଦ୍ବିତୀୟ ପାଳିରେ ଆସାମକୁ ୧୯୫ ରନ୍‌ରେ ଆଉଟ କରି ଓଡ଼ିଶା ଶେଷ ଦିନରେ ବିଜୟୀ ହୋଇଥିଲା। ମ୍ୟାଚ୍‌ରେ ମୋଟ ୭ ୱିକେଟ୍‌ ସହିତ ୭୯ ରନ୍‌ର ବ୍ୟକ୍ତିଗତ ଶ୍ରେଷ୍ଠ ପାଳି ଖେଳିଥିବା ଦେବବ୍ରତ ପ୍ରଧାନ ପ୍ରଥମ ଥର ପାଇଁ ଶ୍ରେଷ୍ଠ ଖେଳାଳି ସମ୍ମାନ ମଧ୍ୟ ହାସଲ କରିଥିଲେ।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୪୩୬। ଆସାମ ପ୍ରଥମ ପାଳି: ୨୩୮। ଆସାମ ଦ୍ବିତୀୟ ପାଳି (ଫଲୋଅନ୍‌): ୬୫.୪ ଓଭରରେ ୧୯୫ (ଶୁଭମ ମଣ୍ତଳ-୭୪, କୁନାଲ ସାଇକିଆ-୭୨, ରାଜେଶ ମହାନ୍ତି-୪/୩୦, ସୂର୍ଯ୍ୟକାନ୍ତ ପ୍ରଧାନ-୩/୫୩, ଦେବବ୍ରତ ପ୍ରଧାନ-୩/୫୩)।

ସମ୍ବନ୍ଧିତ ଖବର