ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା: ହକିରେ ଓଡ଼ିଶାକୁ ୨ ପଦକ

ବାଳିକା ଜିତିଲେ ରୌପ୍ୟ; ବାଳକଙ୍କୁ କାଂସ୍ୟ

ଭୁ‌ବନେଶ୍ବର : ହରିୟାଣାର ପଞ୍ଚକୁଲାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଶୁକ୍ରବାର ଓଡ଼ିଶାକୁ ଆଉ ୨ ପଦକ ମିଳିଛି। ଏହି ଦୁଇ ପଦକ ହକିରୁ ଆସିଛି। ମହିଳା ହକି ଦଳ ରୌପ୍ୟ ଏବଂ ପୁରୁଷ ଦଳ କାଂସ୍ୟ ପଦକ ଜିତିଥିଲେ। ଫାଇନାଲ୍‌ରେ ମହିଳା ଦଳ ୧-୪ ଗୋଲ୍‌ରେ ଆୟୋଜକ ହରିୟାଣାଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲା। ତେବେ ପୁରୁଷ ଦଳ ତୃତୀୟ ସ୍ଥାନ ମୁକାବିଲାରେ ଝାଡ଼ଖଣ୍ଡକୁ ୮-୦ ଗୋଲ୍‌ରେ ହରାଇ କାଂସ୍ୟ ପଦକ କରାୟତ୍ତ କରିଥି‌ଲା। ଝାଡ଼ଖଣ୍ଡଠୁ ଲିଗ୍‌ ପର୍ଯ୍ୟାୟରେ ୧-୦ରେ ହାରିଥିବା ଓଡ଼ିଶା ଏହି ବିଜୟ ସହ ମଧୁର ପ୍ରତିଶୋଧ ନେଇଛି।

ଆଜିର ଦୁଇ ପଦକ ଅମଳ ପରେ ଓଡ଼ିଶା ଏପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରୁ ମୋଟ ୭ (୧ ସ୍ବର୍ଣ୍ଣ, ୩ ରୌପ୍ୟ, ୩ କାଂସ୍ୟ) ପଦକ ହାସଲ କରିସାରିଛି। ଏହା ପୂର୍ବରୁ ଭାରୋ‌‌ତ୍ତୋଳନରେ କୁଲ୍‌ଦୀପ ସାହୁ ଏବଂ ପୁନିତ ଚନ୍ଦ୍ର ସାହୁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା ବେଳେ ପୁରୁଷ ୨୦୦ ମିଟର ଦୌଡ଼ରେ ଆର୍ଯ୍ୟନ ଏକ୍କା ରୌପ୍ୟ ଏବଂ ଏ ଗ୍ରାସେସନ ଜୀଭା ପୁରୁଷ ୧୧୦ ମିଟର ବାଧାଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି। ସେହିପରି ଲମ୍ବ ଡିଆଁରେ ସବିତା ଟପ୍ପୋ କାଂସ୍ୟ ପଦକ କରାୟତ କରିଛନ୍ତି।

ସମ୍ବନ୍ଧିତ ଖବର