ଜାତୀୟ ରୋଇଂରେ ଓଡ଼ିଶାକୁ ୫ ସ୍ବର୍ଣ୍ଣ

କଟକ: ପୁଣେରେ ଶେଷ ହୋଇଥିବା ୩୯ତମ ଜାତୀୟ ବରିଷ୍ଠ ରୋଇଂ ପ୍ରତିଯୋଗିତାରେ ଓଡ଼ିଶାକୁ ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୩ କାଂସ୍ୟ ପଦକ ମିଳିଛି। ଏଥିରେ ଓଡ଼ିଶାରୁ ୧୦ ମହିଳା ଓ ୭ ପୁରୁଷ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୦୦ ମିଟର ମହିଳା କକ୍ସଲେସ ପେୟାରରେ ରିତୁ କାଉଡ଼ି ଓ ସୋନାଲି ସ୍ବାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ। କକ୍ସଲେସ ‌ଫୋର୍‌ରେ ମଞ୍ଜୁଳା ଖେସ୍‌, ଝରଣା ହସ୍ତି, ଅସ୍ମିତା କୁଜୁର, ହାର୍ନୁର ସିଦ୍ଧୁ ସ୍ବର୍ଣ୍ଣ ଜିତିଥିଲାବେଳେ ଡବଲ ସ୍କଲରେ ରେଶମା କୁମାରୀ ମିଞ୍ଜ, ହାର୍ନୁର ସିଦ୍ଧୁଙ୍କୁ ରୋପ୍ୟ ଏବଂ ସିଙ୍ଗଲ ସ୍କଲ୍‌ରେ ସଂଯୁକ୍ତା ଡୁଙ୍ଗଡୁଙ୍ଗଙ୍କୁ କାଂସ୍ୟ ପଦକ ମିଳିଛି। ପୁରୁଷ ଡବଲ ସ୍କଲରେ କରଣବୀର ଓ ସଙ୍ଗଦୀପ କାଂସ୍ୟ ପଦକ ପାଇଛନ୍ତି। ୨୦୦୦ ମିଟର ମହିଳା କକ୍ସଲେସ ପେୟାରରେ ରିତୁ କାଉଡ଼ି ଓ ସୋନାଲି ସ୍ବାଇଁଙ୍କୁ ସ୍ବର୍ଣ୍ଣ, କକ୍ସଲେସ ଫୋର୍‌ରେ ମଞ୍ଜୁଳା ଖେସ୍, ଝରଣା ହସ୍ତି, ଅସ୍ମିତା କୁଜୁର, ହାର୍ନୁର ସିଦ୍ଧୁଙ୍କୁ ରୌପ୍ୟ, ଡବଲ ସ୍କଲ୍‌ରେ ରେଶମା କୁମାରୀ ମିଞ୍ଜ ଓ ଦୀପିକା ଖେସ୍‌ଙ୍କୁ କାଂସ୍ୟ ପଦକ ମିଳିଛି। କରଣଦୀପ ଓ ସଙ୍ଗଦୀପ ପୁରୁଷ ଡବଲ ସ୍କଲ୍‌ରେ ଏବଂ ମିଶ୍ରିତ ଡବଲ ସ୍କଲରେ ସଙ୍ଗଦୀପ ସିଂହ ଓ ସଂଯୁକ୍ତା ଡୁଙ୍ଗଡୁଙ୍ଗଙ୍କ ଯୋଡ଼ି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଦଳର ଏହି ପ୍ରଦର୍ଶନ ପାଇଁ ଓଡ଼ିଶା ରୋଇଂ ଓ ସ୍କଲିଂ ସଂଘର ସଭାପତି ବିନୋଦ ଦାଶ ଓ ସମ୍ପାଦକ ଅମରଜ୍ୟୋତି ସିଂହଦେଓ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର