ରାଉରକେଲା: ରାଉରକେଲାରେ ଚାଲିଥିବା ଜାତୀୟ କନିଷ୍ଠ ହକି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ପୁଲ୍‌ ଡି’ର ସଂଘର୍ଷପୂର୍ଣ୍ଣ ଶେଷ ଲିଗ୍‌ ମ୍ୟାଚ୍‌ରେ ମଣିପୁରକୁ ୩-୨ ଗୋଲରେ ପରାସ୍ତକରି ଓଡ଼ିଶା କ୍ବାର୍ଟର ଫାଇନାଲ ସ୍ଥାନ ସୁରକ୍ଷିତ କରିଛି। ଏତଦ୍‌ବ୍ୟତୀତ ପୁଲ୍‌ ଏ’ରୁ ମଧ୍ୟପ୍ରଦେଶ, ପୁଲ୍‌ ବି’ରୁ ଚଣ୍ଡିଗଡ଼, ପୁଲ୍‌ ସି’ରୁ ହରିୟାଣା, ପୁଲ୍‌ ଇ’ରୁ କର୍ଣ୍ଣାଟକ, ପୁଲ୍‌ ଏଫ୍‌’ରୁ ଛାଡ଼ଖଣ୍ଡ, ପୁଲ୍‌ ଜି’ରୁ ପଞ୍ଜାବ ଓ ପୁଲ୍‌ ଏଚ୍‌’ରୁ ମହାରାଷ୍ଟ୍ର କ୍ବାର୍ଟର ଫାଇନାଲ ପ୍ରବେଶ କରିଛି।
Advertisment
publive-image
ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଓଡ଼ିଶା ଓ ମଣିପୁର ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ସମାନ ୬ ପଏଣ୍ଟ୍‌ରେ ‌ଯୁଗ୍ମଭାବରେ ଟେବଲ୍‌ ଶୀର୍ଷରେ ରହିଥିଲେ। ଏଣୁ ଆଜିର ମ୍ୟାଚ୍‌ର ଫଳାଫଳ ହିଁ କ୍ବାର୍ଟର ଫାଇନାଲ ପ୍ରବେଶ ଦ୍ବାର ଖୋଲିଥିଲା। ଏଣୁ ଏହି ମ୍ୟାଚ୍‌କୁ ଜିଣିବାକୁ ଉଭୟ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ଓଡ଼ିଶା ଏକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ପାଇଥିଲା। ଏହାକୁ ହାତଛଡ଼ା ନ କରି ଆକାଶ ସୋରେଙ୍ଗ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ଭଳି ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ଓଡ଼ିଶା ଖେଳାଳିଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୧୭ତମ ମିନିଟ୍‌ରେ ଅଧିନାୟକ ରୋଶନ କୁଜୁର ଓ ୨୨ତମ ମିନିଟ୍‌ରେ ଦୀପକ ମିଞ୍ଜ ଗୋଟିଏ ଲେଖାଏ ଗୋଲ୍‌ ଦେଇ ଦଳକୁ ୩-୦ରେ ଆଗୁଆ କରିଥିଲେ। ଓଡ଼ିଶାର ସମସ୍ତ ତିନୋଟିଯାକ ଗୋଲ୍‌ ପେନାଲ୍‌ଟି କର୍ଣ୍ଣର୍‌ରୁ ଆସିଥିଲା। ତେବେ ତୃତୀୟ କ୍ବାର୍ଟରରେ ମଣିପୁର ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ଏହି କ୍ବାର୍ଟର୍‌ରେ ମଣିପୁରର ଗୁରୁମୟୁମ୍‌ ଡିଙ୍କୁ ଶର୍ମା(୩୯) ଓ ଖାଙ୍ଗେଗବାମ ସୋମିକାନ୍ତ ସିଂହ(୪୪) ଗୋଟିଏ ଲେଖାଏ ଗୋଲ୍‌ ଦେଇ ବ୍ୟବଧାନ ହ୍ରାସ କରିଥିଲେ। ଚତୁର୍ଥ କ୍ବାର୍ଟରରେ ଘନଘନ ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ତେବେ କେହି କାହାରିକି ଆଉ ଗୋଲ୍‌ ଦେଇନପାରିନଥିଲା। ଫଳରେ ଓଡ଼ିଶା ୩-୨ ଗୋଲ୍‌ରେ ବିଜୟୀ ହୋଇ କ୍ବାର୍ଟର ଫାଇନାଲ ପ୍ରବେଶ କରିଥିଲା।
ଆଜି ଲିଗ୍‌ ପର୍ଯ୍ୟାୟର ଶେଷ ୫ଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ମଧ୍ୟପ୍ରଦେଶ ୨-୧ ଗୋଲ୍‌ରେ ଉତ୍ତପ୍ରଦେଶକୁ ପରାସ୍ତ କରିଥିବାବେଳେ ଚଣ୍ଡିଗଡ଼ ୧୧-୩ ଗୋଲ୍‌ରେ ଛତିଶଗଡ଼କୁ, ହରିୟାଣା ୧୦-୩ଗୋଲ୍‌ରେ ଉତ୍ତରାଖଣ୍ଡକୁ ଓ ଜାମ୍ମୁଖ ଓ କାଶ୍ମୀର ୭-୧ ଗୋଲ୍‌ରେ ଗୁଜରାଟକୁ ପରାସ୍ତ କରିଛି।