ବ୍ରହ୍ମପୁର: ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ୍ରେ ଆୟୋଜିତ ଅସ୍ମିତା ଖେଲୋ ଇଣ୍ଡିଆ ଜାତୀୟ ଜୋନାଲ୍ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଶେଷ ଦିନରେ ଓଡ଼ିଶାର ଭାରୋତ୍ତୋଳକ ଆଉ ଦୁଇଟି ରୌପ୍ୟ ପଦକ ଜିତି ଅଭିଯାନ ଶେଷ କରିଛନ୍ତି। ଓଡ଼ିଶା ଖେଳାଳିଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଜରିଆରେ ଘରୋଇ ଦଳ ୧୮ ପଦକ ସହ ୩ଟି ବର୍ଗରେ ଦଳଗତ ବିଜେତା ହୋଇ ତ୍ରିମୁକୁଟ ହାସଲ କରିଛି। ତନ୍ମଧ୍ୟରେ ୮ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସହ ୩ କାଂସ୍ୟ ପଦକ ରହିଛି। ସେହିଭଳି ଯୁବ ବର୍ଗରେ ଓଡ଼ିଶାର ମୀନା ସାନ୍ତା (ଏ), କନିଷ୍ଠରେ ମହାରାଷ୍ଟ୍ରର ଆକାଂକ୍ଷା ବ୍ୟବହାରେ ଏବଂ ବରିଷ୍ଠରେ ଓଡ଼ିଶାର ସେହ୍ନା ସୋରେନ୍ ଶ୍ରେଷ୍ଠ ଭାରୋତ୍ତୋଳିକା ବିବେଚିତ ହୋଇଛନ୍ତି।
ଅସ୍ମିତା ଖେଲୋ ଇଣ୍ଡିଆ ଜାତୀୟ ଜୋନାଲ୍ ମହିଳା ଭାରୋତ୍ତୋଳନ
ଶେଷ ଦିନରେ ୮୧+, ୮୭ ଓ ୮୭+ ବର୍ଗର ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ୮୧+ କେଜି ଯୁବବର୍ଗରେ କେରଳର ଅମ୍ରିତା ପି. ସୁନି ମୋଟ ୧୮୪ (ସ୍ନାଚ୍ ୮୧ ଓ କ୍ଲିନ୍ ଆଣ୍ଡ ଜର୍କ ୧୦୩) କେଜି ସ୍ବର୍ଣ୍ଣ, ଓଡ଼ିଶାର ମୌସୁମୀ ଦାଶ ମୋଟ ୧୪୦ (ସ୍ନାଚ୍ ୬୨ ଓ କ୍ଲିନ୍ ଆଣ୍ଡ ଜର୍କ ୭୮) କେଜି ରୌପ୍ୟ ଏବଂ ଜମ୍ମୁ କଶ୍ମୀରର କୌଶିକ୍ ଶର୍ମା ମୋଟ ୧୩୨ (ସ୍ନାଚ୍ ୫୮ ଓ କ୍ଲିନ ଆଣ୍ଡ ଜର୍କ ୭୪) କେଜି ଭାର ଉଠାଇ କାଂସ୍ୟ ପଦକ ହାସଲ କରିଛନ୍ତି। ୮୭ କେଜି କନିଷ୍ଠ ବର୍ଗରେ କେରଳର ଅମ୍ରିତା ପି. ସୁନି ମୋଟ ୧୮୪ (ସ୍ନାଚ୍ ୮୧ ଓ କ୍ଲିନ୍ ଆଣ୍ଡ ଜର୍କ ୧୦୩)ରେ ସ୍ବର୍ଣ୍ଣ, ଜମ୍ମୁ କଶ୍ମୀରର ଆକାମ୍ କୌର ମୋଟ ୧୩୫ (ସ୍ନାଚ୍ ୫୮ ଓ କ୍ଲିନ ଆଣ୍ଡ୍ ଜର୍କ ୭୭)ଙ୍କୁ ରୌପ୍ୟ, କର୍ଣ୍ଣାଟକର ଚୁହାନା ଏ.ଭି ମୋଟ ୧୨୦ (ସ୍ନାଚ୍ ୫୩ ଓ କ୍ଲିନ ଆଣ୍ଡ୍ ଜର୍କ ୬୭) କେଜି କାଂସ୍ୟ ପାଇଛନ୍ତି। ବରିଷ୍ଠରେ କେରଳର ଅମ୍ରିତା ପି. ସୁନି ମୋଟ ୧୮୪ (ସ୍ନାଚ୍ ୮୧ ଓ କ୍ଲିନ୍ ଆଣ୍ଡ ଜର୍କ ୧୦୩) କେଜି ସହ ସ୍ବର୍ଣ୍ଣ, ଓଡ଼ିଶାର ଶୁଭସ୍ମିତା ମହାନ୍ତି ମୋଟ ୧୭୯ (ସ୍ନାଚ୍ ୮୦ ଓ କ୍ଲିନ ଆଣ୍ଡ ଜର୍କ ୯୯) କେଜି ରୌପ୍ୟ ପଦକ ହାସଲ କରିଛନ୍ତି।
ସେହିପରି ୮୭+ କେଜିରେ ଜମ୍ମୁ କଶ୍ମୀରର ସାରୋନ୍ ଜେମ୍ସ ମେ ାଟ ୧୩୦ (ସ୍ନାଚ୍ ୫୫ ଓ କ୍ଲିନ୍ ଆଣ୍ଡ ଜର୍କ ୭୫) କେଜି ସ୍ବର୍ଣ୍ଣ, ମିଜୋରାମର ଜୋସାଙ୍ଗ ଜୁଲି ମୋଟ ୧୨୫ (ସ୍ନାଚ୍ ୫୫ ଓ କ୍ଲିନ୍ ଆଣ୍ଡ ଜର୍କ ୭୦) କେଜି ରୌପ୍ୟ, ଛତିଶଗଡ଼ର ରିମ୍ଝିମ୍ ମେଙ୍ଗି ମୋଟ ୧୨୧ (ସ୍ନାଚ୍ ୫୩ ଓ କ୍ଲିନ୍ ଆଣ୍ଡ ଜର୍କ ୬୮) କେଜି ଉଠାଇ କାଂସ୍ୟ ଜିତିଛନ୍ତି। ଦଳଗତ ରୂପେ ଯୁବ ବର୍ଗରେ ତାମିଲନାଡ଼ୁ, କନିଷ୍ଠ ବର୍ଗରେ ବିହାର ଓ ବରିଷ୍ଠ ବର୍ଗରେ ବିହାର ଉପବିଜେତା ହୋଇଛନ୍ତି।
ସପ୍ତାହେ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ପାଲ୍ ସିଂ ସାନ୍ଧୁ, ଭାରତୀୟ ଭାରୋତ୍ତୋଳନ ଚୟନ ସମିତି ସଦସ୍ୟ ପ୍ରଦୀପ କୁମାର ଶର୍ମା, ଗଞ୍ଜାମ ଜିଲ୍ଲା କ୍ରୀଡ଼ା ଅଧିକାରୀ ସନ୍ତୋଷ କୁମାର ସାହୁ, ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ, ସମ୍ପାଦକ କେ ରବି କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ। ଓଡ଼ିଶା ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଆଗାମୀ ଦିନରେ ଏହାକୁ ବଜାୟ ରଖିବେ ବୋଲି ଓଡ଼ିଶା ଭାରୋତ୍ତୋଳନ କମିଟିର ସଭାପତି ଶ୍ରୀ ସ୍ବାଇଁ ଆଶାବ୍ୟକ୍ତ କରିଛନ୍ତି।